ନେପାଳରେ ଜଳ ପ୍ରଳୟ ୧୯୩ ମୃତ, ୪୨ ନିଖୋଜ
ତାଣ୍ଡବ ରଚିଛି ପ୍ରକୃତି । ଭାରତର ପଡୋଶୀ ଦେଶ ନେପାଳରେ ହୋଇଛି ଜଳ ପ୍ରଳୟ । ଲାଗି ରାହିଛି ପ୍ରବଳ ବର୍ଷା । ତୁହାକୁ ତୁହା ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ବନ୍ୟା ଓ ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୧୯୩ରୁ ଅଧିକ ଜଣ ପ୍ରାଣ ହରାଇ ସାରିଲେଣି । ସେହିପରି ୪୨ ଜଣ ନିଖୋଜ ଅଛନ୍ତି । ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ୩୦୦୦ରୁ ଅଧିକ ପୁଳିସ ଫୋର୍ସ ମୁତୟନ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରବିବାର ବନ୍ୟା ପାଣି ମାଡି ଆସିବାରୁ ପୂର୍ବ ଓ ମଧ୍ୟ ନେପାଳର ଏକ ବଡ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ନେପାଳ ଗୃହମନ୍ତ୍ରଣାଳୟ ଜଣେ ଅଧିକାରୀଙ୍କ କହିବା ମୁତାବକ, ବନ୍ୟା ଜନିତ ଘଟଣାରେ ପ୍ରାୟ ୧୧୧ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଚିକିସôା ଜାରି ରହିଛି । ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ନେପାଳ ସେନା ଦ୍ୱାରା ସମଗ୍ର ଦେଶରେ ୧୬୨ ଜଣଙ୍କୁ ଏୟାରଲିଫ୍ଟ କରାଯାଇଛି । ସେହିପରି ୪୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷା ଜାରି ରହିଥିବାରୁ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ବନ୍ୟା ଯୋଗୁ ପାଖାପାଖି ୪୪ଟି ସ୍ଥାନରେ ମୁଖ୍ୟ ରାଜପଥ ଅବରୋଧ ହୋଇଛି । ସେହିପରି ବନ୍ୟା ଯୋଗୁ ଶନିବାର କାଠମାଣ୍ଡୁରେ ବିଦୁ୍ୟତ ଯୋଗାଣ ପ୍ରଭାବିତ ହୋଇଛି । ବନ୍ୟାରେ ଅତିକମ୍ରେ ନେପାଳରେ ୩୨୨ଟି ଘର ଓ ୧୬ଟି ପୋଲ କ୍ଷତିଗ୍ରସ୍ତ ହୋଇଛି । ୨୦ଟି ଜଳ ବିଦୁ୍ୟତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି ।