ପୁଣି ସୋନମ ୱାଙ୍ଗଚୁଙ୍ଗ ଅଟକ, ଅନଶନ ଜାରି

 ଜେଲରୁ ମୁକୁଳିବା ପରେ ସୋନମ ୱାଙ୍ଗଚୁକ ପୁଣି ଅଟକ । ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ୧୫୦ ଲଦାଖବାସୀଙ୍କୁ ମଙ୍ଗଳବାର ରାତିରେ ଦିଲ୍ଲୀ ପୁଲିସ ମୁକ୍ତ କରିବା ପରେ ସେମାନଙ୍କୁ ପୁଣି ଥରେ ଅଟକ ରଖିଛି । ଏହାପରେ ଥାନାରେ ଅନି୍ର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଜାରି ରଖିଛନ୍ତି ସୋନମ ୱାଙ୍ଗଚୁକ୍ । ୱାଙ୍ଗଚୁକ୍ ଏବଂ ଅନ୍ୟ ଅଟକ ଲଦାଖୀମାନଙ୍କୁ ମଙ୍ଗଳବାର ରାତିରେ ମୁକ୍ତ କରାଯାଇଥିଲା । କିନ୍ତୁ ସେମାନେ ଦିଲ୍ଲୀର କେନ୍ଦ୍ରୀୟ ଅଞ୍ଚଳ ଅଭିମୁଖେ ପଦଯାତ୍ରା କରିବାକୁ ଜିଦ୍ ଧରିଥିଲେ । ତେଣୁ ସେମାନଙ୍କୁ ପୁଣି ଅଟକ ରଖାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।  ୱାଙ୍ଗଚୁକ୍ଙ୍କୁ ଅନ୍ୟ କିଛି ଲୋକଙ୍କ ସହ ବାୱାନା ଥାନାରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ନରେଲା ଶିଳ୍ପାଞ୍ଚଳ, ଅଲିପୁର ଓ କଂଜାୱାଲା ଥାନାରେ ରଖାଯାଇଛି । ସୋମବାର ରାତିରେ ୱାଙ୍ଗଚୁକ୍ ଏବଂ ତାଙ୍କ ସହଯୋଗୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଦେଶର ରାଜଧାନୀରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଦିଲ୍ଲୀ ପୁଲିସ ସେମାନଙ୍କୁ ସିଂଘୁ ସୀମାରେ ଅଟକ ରଖିଥିଲା, ଯାହା ନିଷେଧାଦେଶକୁ ଉଲ୍ଲଂଘନ କରୁଛି । ମାସେ ତଳେ ଲେହରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ ପଦଯାତ୍ରା'ର ନେତୃତ୍ୱ ନେଉଛନ୍ତି ସୋନମ ୱାଙ୍ଗଚୁକ୍ । ଲଦାଖକୁ ରାଜ୍ୟ ମାନ୍ୟତା, ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ରଖିଛନ୍ତି ସୋନମ ୱାଙ୍ଗଚୁକ୍ । କାରଗିଲ୍ ଗଣତାନ୍ତ୍ରିକ ମେଣ୍ଟ ସହ ମିଶି ଗତ ୪ ବର୍ଷ ଧରି ଆନେ୍ଦାଳନ ଚଳାଇଥିବା ଲେହ ସର୍ବୋଚ୍ଚÿ ସଂସ୍ଥା ପକ୍ଷରୁ ଏହି ଗସ୍ତ ଆୟୋଜନ କରାଯାଇଥିଲା ।