ଦେବତା ଶୁଭାନ ଖାନ ନିଜ ଜୀବନ ବାଜି ଲଗାଇ ବଞ୍ଚାଇଲେ ୯ ଜୀବନ
ାା ଏଜେନ୍ସି ।ା ହାଇଦ୍ରାବାଦ : ହିରୋମାନେ ସବୁବେଳେ କ୍ୟାପ ପିନ୍ଧନ୍ତି ନାହିଁ । ବେଳେବେଳେ ରିୟଲ ହିରୋ ବୁଲଡୋଜର ମଧ୍ୟ ଚଲାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ବନ୍ୟା ଯୋଗୁ ଆଉଟ ପାଉଟ ହେଉଥିବା ତେଲଙ୍ଗାନାରେ ଦେଖିବାକୁ ମିଳିଛି । ବାସ୍ତବ ଜୀବନରେ ପ୍ରକୃତ ହିରୋ ସାଜିଛନ୍ତି ହରିୟାଣାର ଶୁଭାନ ଖାନ । ସେ ନିଜ ଜୀବନକୁ ବିପଦରେ ପକାଇ ଭୟଙ୍କର ବନ୍ୟା ବେଳେ ଗୋଟିଏ ବ୍ରିଜରେ ଫସିଥିବା ୯ ଜଣଙ୍କୁ ବଞ୍ଚାଇ ଦେଇଛନ୍ତି । ଖାନ ବନ୍ୟା ପାଣିରେ ବୁଲଡୋଜର ନେଇ ବ୍ରିଜ ଉପରେ ପହଞ୍ଚିଥିଲେ ଓ ସେଠାରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ । ଆଉ ଉଦ୍ଧାର ପାଇଥିବା ସେହି ୯ଜଣଙ୍କ ପାଇଁ ମଣିଷରୁ ଦେବତା ପାଲଟି ଯାଇଛନ୍ତି ଶୁଭାନ ଖାନ ।
ମିଳିଥିବା ସୂଚନା ଅନୁସାରେ, ତେଲଙ୍ଗାନାର ଖାମ୍ମାମ ଜିଲ୍ଲାରେ ଥିବା ମୁନ୍ନେରୁ ନଦୀ ଉପରେ ରହିଥିବା ପ୍ରକାଶ ନଗର ବ୍ରିଜରେ ୯ ଜଣ ଲୋକ ଫସି ଯାଇଥିଲେ ।ସେମାନେ ବ୍ରିଜ ଉପରେ ରହିଥିବା ବେଳେ ଚାରିଆଡେ କେବଳ ବନ୍ୟା ପାଣି ପ୍ରବାହିତ ହେଉଥିଲା । ତେଣୁ ସେମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ । ୯ ଜଣ ଲୋକ ଗୋଟିଏ ଭିଡିଓ ରେକର୍ଡ କରି ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ । ଖବର ମିଳିବା ପରେ ରାଜ୍ୟ ସରକାର ହେଲିକପ୍ଟର ପଠାଇଥିଲେ । କିନ୍ତୁ ଖରାପ ପାଗ ଯୋଗୁ ବ୍ରିଜ ନିକଟରେ ପହଞ୍ଚି ପାରି ନଥିଲା ହେଲିକପ୍ଟର । ସମୟ ବିତିବା ସହ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା । ବ୍ରିଜ ଉପରେ ରହିଥିବା ୯ ଜଣ ଲୋକ କେବଳ ଉଦ୍ଧାର ପାଇଁ ଆକୁଳ ଚିକôାର କରୁଥିଲେ । କୌଣସି ସହୟତା ନ ମିଳିବାରୁ ଶୁଭାନ ଖାନ ନିଜର ବୁଲଡୋଜର ଧରି ବ୍ରିଜ ଉପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେଠାକୁ ବନ୍ୟା ଜଳରେ ପଶି ଯିବା ବେଶ କଷ୍ଟକର ଥିଲା । କିଛି ଲୋକ ମଧ୍ୟ ଖାନଙ୍କୁ ନ ଯିବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେମାନେ ସତର୍କ କରାଇଥିଲେ । ହେଲେ ଖାନ କହିଥିଲେ, ଯଦି ମୁଁ ମରି ଯିବି, ତା’ହେଲେ ଗୋଟିଏ ଜୀବନ ଯିବ । କିନ୍ତୁ ମୁଁ ଯଦି ସେଠାରୁ ସୁରକ୍ଷିତ ଫେରି ପାରିବି, ତା’ହେଲେ ମୁଁ ୯ ଜଣଙ୍କ ଜୀବନ ବଞ୍ଚାଇ ପାରିବି । ଏତିକି କଥା କହିବା ପରେ ସେ ନିଜେ ବୁଲଡୋଜର ଚଳାଇ ବ୍ରିଜ ଅଭିମୁଖେ ବାହାରି ଯାଇଥିଲେ । ବନ୍ୟା ପାଣିରେ ଅତ୍ୟନ୍ତ ବିପଦଜନକ ଭାବେ ଆଗକୁ ବଢି ସେ ବ୍ରିଜ ନିକଟରେ ପହଞ୍ଚିଥିଲେ । ଏହାପରେ ସେ ୯ ଜଣଙ୍କୁ ନିଜ ବୁଲଡୋଜରରେ ବସାଇ ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ସେମାନେ ଫେରିବା ପରେ ସମସ୍ତେ ଶୁଭାନ ଖାନ ଓ ଉଦ୍ଧାର ହୋଇଥିବା ଲୋକଙ୍କୁ କର ତାଳି ଦେଇ ସ୍ୱାଗତ କରିଥିଲେ । ଏହି ସାହସିକତା ପଦକ୍ଷେପ ଶୁଭାନ ଖାନଙ୍କୁ ରାତାରାତି ଲୋକପ୍ରିୟ କରି ଦେଇଛି । ଲୋକମାନେ ତାଙ୍କୁ ରିୟଲ ଲାଇଫ ହିରୋ କହି ପ୍ରଶଂସା କରୁଛନ୍ତି । କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୁଭାନଙ୍କୁ ଫୋନ କରି ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛନ୍ତି ।