ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍  ତିନି ପ୍ରତିଶତ ମହଙ୍ଗା ଭତ୍ତାକୁ ବିରୋଧ


 କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟର ମୂଲ୍ୟବୃଦ୍ଧି ଯେଉଁଦିନ କଲେ ସେହିଦିନ କେନ୍ଦ୍ର କ୍ୟାବିନେଟରେ ସରକାରୀ କର୍ମଚାରୀ ଓ ପେନସନରମାନଙ୍କ ପାଇଁ ତିନି ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଗହମର କ୍ୱିଣ୍ଟାଲ ପ୍ରତି ଦର ୨୪୨୫, ସୋରିଷ ୫୯୫୦, ଚଣା ୫୬୫୦, ବାର୍ଲି ୧୯୮୦, ମୁଗ ୫୬୫୦, ମସୁର ୬୭୦୦, କୁସୁମ ୫୯୪୦ ଟଙ୍କା ଘୋଷଣା କରିଥିବାବେଳେ ଖାଇବା ତେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସହିତ ଔଷଧର ମଧ୍ୟ ମୂଲ୍ୟବୃଦ୍ଧି ପୂର୍ବରୁ ଘଟି ସାରିଛି । ଆଳୁ, ପିଆଜ, ରସୁଣ,  ଅଦା, ପରିବା ଆଦି ଦରଦାମ ଆକାଶ ଛୁଆଁ ହୋଇଛି । ବଜାରର ଦରଦାମକୁ ଦେଖି ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି । ମାତ୍ର ପ୍ରତ୍ୟେକ ଜିନିଷର ଅତ୍ୟଧିକ ମୂଲ୍ୟବୃଦ୍ଧି ଘଟିଥିଲେ ବି କେନ୍ଦ୍ର ଓ ରାଜ୍ୟସରକାର ନିୟନ୍ତ୍ରଣ କରିବା ଦିଗରେ ବିଫଳ ହେବା ସହିତ ବରଂ ବ୍ୟବସାୟୀ ମାନଙ୍କ ପ୍ରତି ନିଦା ବିଷ୍ଣୁ ସାଜିଛନ୍ତି । ଏଣୁ ସମସ୍ତ କର୍ମଚାରୀ ସଂଘ ତଥା ପେନ୍ସନର ଏବଂ ଶ୍ରମିକ, କାରିଗର ଠାରୁ ଦିନ ମଜୁରିଆମାନେ ଏହି ମହଙ୍ଗା ଭତ୍ତାକୁ ବିରୋଧ କରିବା ସହିତ ବ୍ୟବସାୟୀମାନଙ୍କ ପାଇଁ ଏହା ପୁଷମାସ ହୋଇଛି ବୋଲି  କହିଛନ୍ତି । ଅତିକମ୍ରେ ଏହି ମୂଲ୍ୟବୃଦ୍ଧିର ମାନ ଯେଉଁଠି ପହଞ୍ଚିଛି, ପାଞ୍ଚ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବାକୁ ଦାବି କରାଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନରମାନଙ୍କ ପାଇଁ ତୁରନ୍ତ ମହଙ୍ଗା ଭତ୍ତା ଘୋଷଣା କରାଯିବାକୁ ଦାବି କରାଯାଇଛି । ତାହା ନ ହେଲେ ଡବଲ ଇଞ୍ଜିନ ସରକାରର ଆକର୍ଷଣ ପ୍ରହସନ ପାଲଟିବ ବୋଲି ବିଭିନ୍ନ ସଂଘ ପକ୍ଷରୁ ଏଠାରେ କୁହାଯାଇଛି ।