ଛାତ୍ର ନିର୍ବାଚନ ଦାବିରେ କମ୍ପିଲା ବିଧାନସଭା

Student Election Odisha

ଛାତ୍ର ନିର୍ବାଚନ ଦାବିରେ କମ୍ପିଲା ବିଧାନସଭା

ଭୁବନେଶ୍ୱର : ଅଗଷ୍ଟ ୧ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଗୃହ ମୁଲତବୀ ଥିବାବେଳେ ଆଜି ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଶୀପୁରର ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରି ଶୋକାଞ୍ଜଳୀ ଜ୍ଞାପନ କରିଥିଲେ  । ପରେପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ବାଚସ୍ପତି ସୁରମା ପାଢ଼ୀ ଶୋକାଞ୍ଜଳି ବ୍ୟକ୍ତ କରିବା ପରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  । 

ତେବେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ନାରାବାଜି କରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ  । ‘କଲେଜ ନିର୍ବାଚନ ଆମର ଦାବି  । ସରକାର ତୁମେ ଆମର ଦାବି ମାନିନିଅ  ।’ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକଙ୍କ ତୁମୁଳ ହଟ୍ଟଗୋଳ ଚାଲିଥିବାବେଳେ ବିଜୁ ଜନତା ଦଳ ବିଧାୟକମାନେ ମଧ୍ୟ ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗ ଉଠାଇ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା  । ଉଭୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ ହୋଇଯାଇଥିଲା  । ଫଳରେ ୧୦ଟା ୪୧ରୁ ଗୃହ କାର୍ଯ୍ୟକୁ ୧୧ଟା ୪୧ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା  ।

ପୁନଶ୍ଚ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିବୃତ୍ତି ରଖିବା ପାଇଁ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ  । ତେବେ ପୂର୍ବଭଳି କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ  । ସଚିବଙ୍କ ଚଉକି ଉପରେ ଠିଆହୋଇ ବିଧାୟକ ତାରା ପ୍ରସାଦ ବାହିନୀପତି ପୋଡ଼ିୟମ ବାଡେ଼ଇ ନାରାବାଜି କରିଥିଲେ  । ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ବାରବାର ନିବେଦନ କରିଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ କର୍ଣ୍ଣପାତ କରିନଥିଲେ  । ଫଳରେ ଗୃହକୁ ୧୧ଟା ୪୫ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା  ।