ବାବା ଧବଳେଶ୍ୱରଙ୍କ ବଡ଼ଓଷା ପାଇଁ ପ୍ରସ୍ତୁତି

ବାବା  ଶ୍ରୀ ଶ୍ରୀ ଧବଳେଶ୍ୱରଦେବଙ୍କ  ପବିତ୍ର ପଞ୍ଚକ ଓ ବଡଓଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାବାଙ୍କ ପୀଠରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦାତ୍ତାତ୍ରୟ ଭାଉସାହେବ ସିନେ୍ଧଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୧୨ ତାରିଖରୁ ପଞ୍ଚୁକ ବ୍ରତ ଓ ବଡଓଷା ଯାତ୍ରା ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ପ୍ରଥମ ପଞ୍ଚୁକ ଦିନ ବାବା ଧବଳେଶ୍ୱର ମହାପ୍ରଭୁ ଚନ୍ଦ୍ରଚୂଡ ବେଶ, ଦ୍ୱିତୀୟ ଦିବସରେ ବଡ଼ସିଂହାର ବେଶ, ତୃତୀୟ ଦିବସ ଦିନ ହରିହର ବେଶ ଏବଂ ଚତୁର୍ଥ ଦିବସ ଦିନ ଯୋଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏବଂ ୧୩ ତାରିଖ ମନ୍ଦିରରେ ବଡଓଷା ଏବଂ ତା ୧୪ ତାରିଖରେ ପ୍ରଭୁଙ୍କର ଗଜ ଭୋଗ ବିତରଣ ସହିତ ଗ୍ରାମାଞ୍ଚଳରେ ବଡ଼ଓଷା ପର୍ବ ପାଳନ କରାଯିବ । ଆଜିର ଏହି ପ୍ରସ୍ତୁତି ବୈଠକରେ  ଜିଲ୍ଲାପାଳ ଭାଉସାହେବ ସିନେ୍ଧ ବିଶେଷ କରି ପ୍ରତ୍ୟହ ମହାପ୍ରଭୁଙ୍କ ନୀତିକ୍ରାନ୍ତି କିପରି ଭଲଭାବରେ କରାଯିବ, ସ୍ୱାସ୍ଥ୍ୟ ଏବଂ ପରିମଳ, ସଫେଇ, ପଲିଥିନ ବ୍ୟବହାର ନିଷେଧ, ରାସ୍ତା ଘାଟ, ବୋଟ ଚଳାଚଳ, ଆଲୋକୀକରଣ, ପାନୀୟଜଳ, ପରିବହନ, ସୂଚନା କେନ୍ଦ୍ର ଓ ସୂଚନା ପ୍ରଶାରଣ, ନେଟୱାର୍କର ସୁବିଧା, ଗମାନାଗମନ ଆଦି ଉପରେ ସବିଶେଷ ଆଲୋଚନା କରିବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଆଜିର ଏହି ବୈଠକରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ପୁଲିସ ଅଧିକାରୀ ଚୌଦ୍ୱାର ଉମାକାନ୍ତ ନାୟକ, ଗୁରୁଡିଝାଟିଆ ଥାନା ଅଧିକାରୀ ପି. କେ ମହାନ୍ତି, ଉପଖଣ୍ଡ ଚିକିତ୍ସା ଅଧିକାରୀ ବିଜୟ କୁମାର ମିଶ୍ର, ପୂଜକ ସମାଜ ସଭାପତି ବିଷ୍ଣୁ ଚରଣ ପତି ଉପସ୍ଥିତ ଥିବାବେଳେ ତହସିଲଦାର ଆଠଗଡ ସଭା ପରିଚାଳନା କରିଥିଲେ । ପରିଶେଷରେ ପୂଜକ ସମାଜ ସଂପାଦକ ନରେନ୍ଦ୍ର ପତି ଧନ୍ୟବାଦ ପ୍ରଦାନ କରିଥିଲେ ।