କଟକରେ ଉଡ଼ିଲା ପାଲେଷ୍ଟାଇନ ପତାକା

 କଟକ: କଟକରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍-ଏ-ମିଲାଦୁନ-ନବୀ ପାଳିତ ହୋଇଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ଫି୍ର ପାଲେଷ୍ଟାଇନ ପ୍ଲାକାର୍ଡ଼ ଏବଂ ପତାକା ଉଡୁଥିବାର ଅଭିଯୋଗ ହୋଇଛି । ମହମ୍ମଦ ଜୟନ୍ତୀ ଅବସରରେ କଟକର ବିଭିନ୍ନ କମିଟି ପକ୍ଷରୁ ବଡ଼ବଡ଼ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାର ପରମ୍ପରା ରହିଛି । ସୋମବାର ସହରର ବିଭିନ୍ନ ମୋହଲା କମିଟି ପକ୍ଷରୁ ଏହିଭଳି ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା ସମୟରେ ଭାରତୀର ଜାତୀୟ ପତାକା ସହ ପାଲେଷ୍ଟାଇନର ବିଶାଳ ଜାତୀୟ ପତାକା ଉଡୁଥିବାର ଅଭିଯୋଗ ହୋଇଛି । ଏଥିସହ ଶୋଭାଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ହାତରେ ଫି୍ର ପାଲେଷ୍ଟାଇନ ଓ ପ୍ରେ ଫର୍ ପାଲେଷ୍ଟାଇନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ଼ ଆଜି ଦେଖିବାକୁ ମିଳିଥିଲା ବୋଲି ଅଭିଯୋଗ ହୋଇଛି । ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ପାଲେଷ୍ଟାଇନ ବିବାଦ ଚରମ ସୀମାରେ ଥିଲାବେଳେ ବୈଦେଶିକ ନୀତି ଦୃଷ୍ଟିରୁ ଭାରତ କୌଣସି ପକ୍ଷଭୁକ୍ତ ନ ହୋଇ ଏହି ବିବାଦ ଠାରୁ ଦୂରେଇ ରହିଛି । ଏଭଳି ସମ୍ବେଦନଶୀଳ ସ୍ଥିତିରେ ଇଦ୍-ଏ-ମିଲାଦୁନ-ନବୀ ଶୋଭାଯାତ୍ରାରେ ପାଲେଷ୍ଟାଇନ ସପକ୍ଷରେ କଟକରେ ଏଭଳି ପ୍ରଦର୍ଶନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ପୋଲିସ ଘଟଣାରେ ହସ୍ତକ୍ଷେପ କରି ଉଭୟ ପାଲେଷ୍ଟାଇନ ପତାକା ଓ ପାଲେଷ୍ଟାଇନ ସମର୍ଥନରେ ଥିବା ପ୍ଳାକାର୍ଡ଼ଗୁଡ଼ିକୁ ଜବତ କରିଥିବା ଜଣାପଡ଼ିଛି ।