ବ୍ରୁନେଇରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କଲେ ମୋଦି, ଓମାର ଅଲ୍ଲୀ ସୈଫୁଦ୍ଦିନ ମସଜିଦ ପରିଦର୍ଶନ କଲେ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଲତାନ ହାଜି ହସନାଲ ବୋଲକିଆଙ୍କ ନିମନ୍ତ୍ରଣକ୍ରମେ ଆଜି ଏକ ସରକାରୀ ଗସ୍ତରେ ବନ୍ଦର ସେରି ବେଗୱାନରେ ପହଞ୍ଚିଛନ୍ତି । ବ୍ରୁନେଇକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଭାରତ ଓ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୪୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଐତିହାସିକ ଗସ୍ତ । ବନ୍ଦର ସେରି ବେଗୱାନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ବ୍ରୁନେଇସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର କ୍ରାଉନ ପ୍ରିନ୍ସ ତଥା ବରିଷ୍ଠ ମନ୍ତ୍ରୀ ହାଜି ଅଲ-ମୁହତାଦି ବିଲ୍ଲାହ ତାଙ୍କୁ ସ୍ୱାଗତ କରିଥିଲେ । ବ୍ରୁନେଇ ଭାରତର ‘ଆକ୍ଟ ଇଷ୍ଟ' ନୀତି ଏବଂ ଇଣ୍ଡୋ-ପ୍ୟାସିଫିକ୍ ଭିଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଭାରତ ଏବଂ ବ୍ରୁନେଇ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଯାହା ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ଉପରେ ପର୍ୟ୍ୟବେଶିତ । ଦୁଇ ଦେଶ ଇତିହାସ, ସଂସ୍କୃତି ଓ ପରମ୍ପରା ସହ ସହସ୍ରାବ୍ଦୀ ଧରି ଜଡ଼ିତ ।
ମୋଦି ଆଜି ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଦୀପ ପ୍ରଜ୍ୱଳନ କରିବା ସହ ଫଳକ ଉନ୍ମୋଚନ କରିଥିଲେ ।ଉଦଘାଟନ ଉôସବରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ । ବ୍ରୁନେଇରେ ପହଞ୍ଚିଥିବା ଭାରତୀୟଙ୍କ ପ୍ରଥମ ଯାତ୍ରା ୧୯୨୦ ଦଶକରେ ତୈଳ ଆବିଷ୍କାର ସହିତ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବ୍ରୁନେଇରେ ପ୍ରାୟ ୧୪,୦୦୦ ଭାରତୀୟ ରହୁଛନ୍ତି । ବ୍ରୁନେଇର ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଭାରତୀୟ ଡାକ୍ତର ଓ ଶିକ୍ଷକଙ୍କ ଅବଦାନକୁ ସମସ୍ତେ ସ୍ୱୀକାର କରିଛନ୍ତି । ପାରମ୍ପରିକ ରୂପରେଖ ଏବଂ ବୃକ୍ଷରୋପଣ ସହ ଚାନ୍ସରି କମ୍ପ୍ଲେକ୍ସ ଭାରତୀୟତାର ଗଭୀର ଭାବନାକୁ ପ୍ରତିଫଳିତ କରିଥାଏ । ସୁନ୍ଦର ଏବଂ ସ୍ଥାୟୀ କୋଟା ପଥରର ବ୍ୟବହାର ଏହାର ସୌନ୍ଦର୍ୟ୍ୟପୂର୍ଣ୍ଣ ଆକର୍ଷଣକୁ ଆହୁରି ବଢ଼ାଇବା ସହ ପାରମ୍ପରିକ ଏବଂ ସମସାମୟିକ ଉପାଦାନଗୁଡ଼ିକୁ ସୁନ୍ଦର ଭାବରେ ମିଶ୍ରଣ କରିଥାଏ । ଏହି ଡିଜାଇନ୍ କେବଳ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୂଚୀତ କରେ ନାହିଁ ବରଂ ଏକ ଶାନ୍ତ ତଥା ଆକର୍ଷଣୀୟ ବାତାବରଣ ମଧ୍ୟ ସୃଷ୍ଟି କରେ । ଏହା ପରେ ମୋଦି ଓମାର ଅଲ୍ଲୀ ସୈଫୁଦ୍ଦିନ ମସଜିଦ ପରିଦର୍ଶନ କରିଥିଲେ । ସେଠାରେ ବ୍ରୁନେଇର ଧାର୍ମିକ ବ୍ୟାପାର ମନ୍ତ୍ରୀ ମହାମହିମ ପେହିନ ଦାତୋ ଉସ୍ତାଜ ହାଜି ଆୱାଙ୍ଗ ବଦରୁଦ୍ଦିନ ମୋଦିଙ୍କୁ ସ୍ୱାଗତ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଡାଟୋ ଡାକ୍ତର ହାଜି ମହମ୍ମଦ ଇଶାମ ଉପସ୍ଥିତ ଥିଲେ । ଭାରତୀୟ ମାନଙ୍କର ଏକ ଗୋଷ୍ଠୀ ମଧ୍ୟ ଉପସ୍ଥିତ ଥିଲେ । ବ୍ରୁନେଇର ୨୮ତମ ସୁଲତାନ(ବର୍ତ୍ତମାନର ସୁଲତାନଙ୍କ ପିତା, ଯିଏ ଏହାର ନିର୍ମାଣ ଆରମ୍ଭ କରିଥିଲେ) ଓମାର ଅଲ୍ଲୀ ସୈଫୁଦ୍ଦିନ ତୃତୀୟଙ୍କ ନାମରେ ଏହି ମସଜିଦର ନାମକରଣ କରାଯାଇଛି । ଏହା ୧୯୫୮ରେ ସଂପୂର୍ଣ୍ଣ ହୋଇଥିଲା ।