ଭାରତ କବଜାରେ ଏସିଆନ ଚାମ୍ପିଅନ୍ସ ଟ୍ରଫି

ଭାରତ କବଜାରେ ଏସିଆନ ଚାମ୍ପିଅନ୍ସ ଟ୍ରଫି


ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନସ ଟ୍ରଫିରେ ଚାଇନାକୁ ଚିତପଟାଙ୍ଗ କରି ଟ୍ରଫିକୁ କବଜା କରିଛି ଡିଫେଣ୍ଡିଂ ଚାମ୍ପିଅନ ଭାରତ । ଏଥିସହ ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ହାସଲ କରିବାରେ ଇତିହାସ ରଚିଛି ଭାରତୀୟ ହକି ଦଳ । ଭାରତ ଓ ଚାଇନା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ ଚାଇନାକୁ ୧-୦ରେ ହରାଇ ଟ୍ରଫି ହାସଲ କରିଛି । ଭାରତ ପକ୍ଷରୁ ଯୁଗରାଜ ସିଂହ ହିଁ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଚାଇନା ପ୍ରଥମଥର ପାଇଁ ଫାଇନାଲ ଖେଳୁଥିଲେ ହେଁ ଭାରତକୁ କଡା ଟକ୍କର ଦେଇଥିଲା । ଚାଇନାର ଗୋଲ କିପର ଭାରତର ସବୁ ପ୍ରୟାସକୁ ରୋକି ଦେଇଥିଲେ । ତେବେ ଏକମାତ୍ର ଗୋଲ ମ୍ୟାଚର ୫୧ତମ ମିନିଟରେ ଆସିଥିଲା । ପ୍ରକାଶଥାଉ କି, ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତ ଜିତିଥିଲା । ଦଳ ଫାଇନାଲରେ ମାଲେସିୟାକୁ ୪-୩ ଗୋଲରେ ହରାଇ ଟ୍ରଫି କବଜା କରିଥିଲା । ଏଥର ଚାଇନାକୁ ହରାଇ ଚାମ୍ପିୟନ ହୋଇଛି । ଭାରତ ୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ ହୋଇଥିବା ବେଳେ ୨୦୧୨ରେ ରନର୍ସ ହୋଇଥିଲା । ଚଳିତଥର ହରମନପ୍ରୀତ ସିଂହଙ୍କ ଭାରତୀୟ ଦଳ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟ୍ରଫି ହାସଲ କରିଛି ।