ଭୁବନେଶ୍ବର: କ୍ୟାପିଟାଲ ହାଇସ୍କୁଲ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ବିତୀୟ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ, ଅତିରିକ୍ତ ସଚିବ ମନୋଜ କୁମାର ପାଢ଼ୀ ଉପସ୍ଥିତ ଥିଲେ । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ପ୍ରାଥମିକ ଶିକ୍ଷାର ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୁରଭିକୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ସଂଯୋଗ ବୋଲି କହିଛନ୍ତି । ଏଥିସହିତ ପିଏମ୍ ଶ୍ରୀ ଭଳି ଯୋଜନାକୁ ସବୁ ବିଦ୍ୟାଳୟରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ଛାତ୍ରଛାତ୍ରୀ କଠିନ ପରିଶ୍ରମ ବଳରେ ସୁରଭି ଭଳି ମଞ୍ଚରେ ପହଞ୍ଚିପାରିଛନ୍ତି ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ବିକଶିତ ଓଡ଼ିଶା ଗଠନରେ ଦିଗରେ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ର ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ବର୍ଗରେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଦ୍ବିତୀୟ ଦିବସ ସକାଳେ ଛାତ୍ରଛାତ୍ରୀ ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ଓ ନେଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରି ବିଭିନ୍ନ ଜ୍ଞାନ ଆହରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ବିକାଶ କରିବାରେ ଏହା ଯଥେଷ୍ଟ ସହାୟକ ହଇଥିଲା । ଅପରାହ୍ଣରେ ଛାତ୍ରଛାତ୍ରୀଙ୍କ ପାଇଁ ‘ମିଟ ଦ ପର୍ସନାଲିଟି’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ରାଜ୍ୟର ଚାରି ଜଣ ସଫଳ ବ୍ୟକ୍ତିତ୍ବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପାଠ ପଢି ଭବିଷ୍ୟତରେ ସଫଳ ହେବା ପାଇଁ ପ୍ରେରଣା ଦେଇଥିଲା । ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲ ଜଣେ ସଫଳ ଡକ୍ଟର ଲିଙ୍ଗରାଜ ନାୟକ, ଲୋପ ପାଇଯାଉଥିବା ବିହନକୁ ସଂଗୃହିତ କରି ପ୍ରଂଶସା ସାଉଁଟିଥିବା କୋରାପୁଟର ଝିଅ ହର୍ଷିତା ପ୍ରିୟଦର୍ଶିନୀ, ଚଳିତ ବର୍ଷ ଦଶମ ପରୀକ୍ଷାର ଟପ୍ପର ରତିକାନ୍ତ ପ୍ରଧାନ ଏବଂ ଟେଲିଭିଜନ ରିୟଲିଟି ସୋର ସୁଗାୟିକା ବର୍ଣ୍ଣାଳୀ ହୋତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାର ବାର୍ତ୍ତା ଦେଇଥିଲେ । ଗାୟିକା ବର୍ଣ୍ଣାଳୀ ହୋତାଙ୍କ ସଙ୍ଗୀତ ପିଲାମାନଙ୍କ ମନକୁ ଛୁଇଁଥିଲା । କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟାର ପରିଚାଳନା କରିଥିଲେ ।