ମାଛ ଓ କୁକୁଡ଼ା ଚାଷୀଙ୍କ ପାଇଁ ଖୁସି ଖବର

Mohan Charan Majhi

ମାଛ ଓ କୁକୁଡ଼ା ଚାଷୀଙ୍କ ପାଇଁ ଖୁସି ଖବର

୪୭୫୮ କୋଟିର ଯୋଜନାକୁ ମୋହର
ଗୋମାତା : ୩ ବର୍ଷରେ ଖର୍ଚ୍ଚ ହେବ ୩୪୨ କୋଟି
କୁକୁଟ୍ଟ ଉନ୍ନୟନ : ୫ ବର୍ଷରେ ୧୦୩୧ କୋଟି ବ୍ୟୟ
ମତ୍ସ୍ୟଜୀବୀ କଲ୍ୟାଣ : ୫ ବର୍ଷରେ ଖର୍ଚ୍ଚ ହେବ ୨୨୩୯ କୋଟି
ମତ୍ସ୍ୟ ଭିତ୍ତିଭୂମି ବିକାଶ : ୩ ବର୍ଷ ପାଇଁ ୬୯୬ କୋଟି
ପ୍ରାଣୀ ଭିତ୍ତିଭୂମି ବିକାଶ : ୩ ବର୍ଷରେ ଖର୍ଚ୍ଚ ହେବ ୪୫୦ କୋଟି

ଭୁବନେଶ୍ୱର : ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି  । ଏଥିପାଇଁ କ୍ୟାବିନେଟରେ ୫ ଯୋଜନା ଉପରେ ମୋହର ଲାଗିଛି  । ଏହିସବୁ ଯୋଜନାରେ ୪୭୫୮ କୋଟି ୭୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ  ।

ନୂତନ ରାଜ୍ୟ ଯୋଜନା ‘ଗୋମାତା’କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ଏହି ଯୋଜନାରେ ଆସନ୍ତା ୩ ବର୍ଷ ପାଇଁ ୩୪୨ କୋଟି ୬୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି  । ଏଥିରେ ବାର୍ଷିକ ଅଢେ଼ଇ କୋଟି ଟୀକାକରଣ ଏବଂ ବାର୍ଷିକ ୧ କୋଟି ୩୦ ଲକ୍ଷ ପ୍ରାଣୀଧନର ଚିକିତ୍ସା କରାଯାଇପାରିବ  ।

ସେହିପରି ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ ବର୍ଷରେ ୧୦୩୧ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାରେ  ୩ ଲକ୍ଷ ୭୩ ହଜାର ୯୨୮ ଚାଷୀ ଓ ମହିଳା ଏସଏଚଜି ଉପକୃତ ହେବେ  । ଏହାଦ୍ୱାରା ଅତିରିକ୍ତ ଭାବେ ବାର୍ଷିକ ୯୫.୫୮ ଟିଏମଟି କୁକୁଡ଼ା ମାଂସ ଓ ଦୈନିକ ପ୍ରାୟ ୫.୫ ଲକ୍ଷ ଅଣ୍ଡା ଉତ୍ପାଦିତ ହେବ  ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୧୭ଟି ଉପଯୋଜନାରେ ୨୨୩୯ କୋଟି ଟଙ୍କା ଖର୍ଚ୍ଚ ହେବ  । ଏହି ଯୋଜନାରେ ୬ ଲକ୍ଷ ୬୭ ହଜାର ମତ୍ସ୍ୟଜୀବୀ ଓ ୭ ଲକ୍ଷ ୩୨ ହଜାର ୫୦୦ ଏସଏଚଜି ସଦସ୍ୟା ଉପକୃତ ହେବେ  ।

ମତ୍ସ୍ୟଚାଷ ସମ୍ବନ୍ଧୀୟ ରାଜ୍ୟ ଯୋଜନା ‘ଭିତ୍ତିଭୂମି ବିକାଶ’କୁ କ୍ୟାବିନେଟରେ ମୋହର ଲାଗିଛି  । ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ଉକ୍ତ ଯୋଜନାରେ ୬୯୬ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ  । ଏହି ଯୋଜନାରେ ୩୧ଟି ମାଛ ବଜାର, ୫୮ଟି ମାଛ ବନ୍ଦର/ମାଛ ଅବତରଣ କେନ୍ଦ୍ର ଓ ଜେଟି, ୧୪୨ଟି ମାଛ ଫାର୍ମ, ୨୬୬ଟି ସରକାରୀ ଅଫିସ ଗୃହ ଓ ୧୨୨ଟି ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଏବଂ ନବୀକରଣ ପାଇଁ ଲକ୍ଷ୍ୟ ରହିଛି  । ଏହାଦ୍ୱାରା ୧୬ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ  ।

ଏତଦବ୍ୟତୀତ ପ୍ରାଣୀସମ୍ପଦ କ୍ଷେତ୍ରରେ ରାଜ୍ୟ ଯୋଜନା ‘ଭିତ୍ତିଭୂମି ବିକାଶ’କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ୪୪୯ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ  । ଏହି ଯୋଜନାରେ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରାଣୀ ସେବା ଅନୁଷ୍ଠାନଗୁଡ଼ିକର ନୂତନ ନିର୍ମାଣ, ମରାମତି ଓ ନବୀକରଣ କାର୍ଯ୍ୟ କରାଯିବ  ।