ଚିନ୍ତାରେ ଅପରାଜିତା, କାଳୁ ନା ଗଣେଶ ?

ଚିନ୍ତାରେ ଅପରାଜିତା, କାଳୁ ନା ଗଣେଶ ?


ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି  । ଖୋର୍ଦ୍ଧାରେ କାହାକୁ ବିଜେପି ଟିକେଟ ଦିଆଯିବ ତାହା ସେ ସ୍ଥିର କରିପାରୁନାହାନ୍ତି  । ଏଣେ ମାଇଲେ ବ୍ରହ୍ମହତ୍ୟା, ତେଣେ ମାଇଲେ ଗୋହତ୍ୟା ସ୍ଥିତିରେ ସେ ପଡ଼ିଯାଇଛନ୍ତି  । ଗୋଟିଏ ପଟେ ଖୋର୍ଦ୍ଧାର ଟାଣୁଆ ନେତା କାଳୁ ଖଣ୍ଡାୟତିରାୟ ଥିବାବେଳେ ଅପରପକ୍ଷରେ ଅଛନ୍ତି ଟାଣୁଆ ନେତା ପ୍ରଶାନ୍ତ ଜଗଦେ୍ଦବ  । ନିଜ ଭୋଟକୁ ଆଖି ଆଗରେ ରଖି ଅପରାଜିତା ଯେଉଁ ଗୋଟି ଚଳାଇଥିଲେ ସେଥିରେ ବିଫଳ ହୋଇଯାଇଛନ୍ତି  । ଅପରାଜିତା ଭାବିଥିଲେ କାଳୁଙ୍କ ବଦଳରେ ଗଣେଶଙ୍କୁ ସାଙ୍ଗରେ ନେଲେ ତାଙ୍କର ଭୋଟ ବଢ଼ିଯିବ  । ବେଗୁନିଆ ଓ ଖୋର୍ଦ୍ଧାରେ ଥିବା ଗଣେଶଙ୍କ ପକେଟ ଭୋଟ ତାଙ୍କ ଖାତାକୁ ଆସିବ  । ଯେଉଁଥିପାଇଁ ସେ ଘରୁ ପାଦ କାଢ଼ିବା ମାତ୍ରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କୁ ଖୋଜୁଥିଲେ  । ଗଣେଶ ବି ସବୁବେଳେ ଅପରାଜିତାଙ୍କ ଛାଇ ହୋଇ ରହିଥିଲେ  । ଏମିତିକି ପାଦେ ଆଗେଇ ଯାଇ ଗଣେଶଙ୍କୁ ଟିକେଟ ମିଳିବ ବୋଲି ଅପରାଜିତା ସଂକେତ ଦେଇଥିଲେ  । ଯାହାକୁ ନେଇ ବିଜେପି ଅଫିସରେ ହଙ୍ଗାମା କରିଥିଲେ କାଳୁ ଖଣ୍ଡାୟତିରାୟ  । ହଜାର ହଜାର ସମର୍ଥକ ବିଜେପି ଅଫିସରେ ତୁମୁଳ ହଙ୍ଗାମା ବି କରିଥିଲେ  । ଅପରପକ୍ଷରେ ଗଣେଶଙ୍କୁ କେତେକ ସ୍ଥାନରେ ବିରୋଧ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ସହ ମୁହାଁମୁହିଁ ସ୍ଥିତି ବି ସୃଷ୍ଟିହୋଇଛି  । ଯାହାଫଳରେ ଅପରାଜିତା ଅକଳରେ ପଡ଼ିଯାଇଛନ୍ତି  । ଏବେ ସେ ଗଣେଶଙ୍କୁ ଛାଡ଼ି ପାରୁନାହାନ୍ତି କି ନେଇପାରୁନାହାନ୍ତି  । ଅପରାଜିତାଙ୍କ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଗଣେଶଙ୍କ ଆଚରଣ ଏବେ ଅପରାଜିତାଙ୍କ ଭୋଟ ବ୍ୟାଙ୍କ ଉପରେ ବି ପ୍ରଭାବ ପକାଇବ  । ସେହିପରି ଗଣେଶଙ୍କ ହାତ ଛାଡ଼ିଦେଲେ ବାହୁବଳୀ ପାଲଟା ପଲଟିକାଲ ଆକ୍ରମଣ କରିବାର ବି ଆଶଙ୍କା ରହିଛି  । ତେଣୁ ଅପରାଜିତା କ’ଣ କରିବେ ତାହା ବୁଝିପାରୁନାହାନ୍ତି  ।“ସୂଚନାଯୋଗ୍ୟଯେ, ୨୦୧୯ରେ ବିଜେପି କାଳୁଙ୍କୁ ଖୋର୍ଦ୍ଧା ଟିକେଟ ଦେଇଥିଲା  । କାଳୁ ମଧ୍ୟ ନିଜର ଅର୍ଥ ଓ ସଂଗଠନ ବଳରେ ବିଜେଡ଼ି ପ୍ରାର୍ଥୀ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ  । ନିଜର ଲୋକପ୍ରିୟତା ଓ କାଳୁଙ୍କ ସଂଗଠନ ପାଇଁ ଖୋର୍ଦ୍ଧାରୁ ଅପରାଜିତା ବହୁ ଲିଡ୍ ମଧ୍ୟ ପାଇଥିଲେ  । ଏବେ କାଳୁ ଯଦି ତାଙ୍କୁ ବିରୋଧ କରନ୍ତି ଖୋର୍ଦ୍ଧାରେ ବି ତାଙ୍କ ସ୍ଥିତି ଟଳମଳ ହୋଇଯିବାର ଆଶଙ୍କା ରହିଛି  ।