ସଫଳତା ସାଉଁଟିବାକୁ ୪ ଦଶନ୍ଧି ଧରି ଲଢେଇ କରୁଛି ବିଜେପି

ସଫଳତା ସାଉଁଟିବାକୁ ୪ ଦଶନ୍ଧି ଧରି ଲଢେଇ କରୁଛି ବିଜେପି


ଯାଜପୁରରୁ ଶରତ ପଥାଳ
ରାଜ୍ୟରେ ବିଜେପି ସରକାର କରିବ, ଏକଥା ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ପ୍ରଭାରୀ ବିଜୟପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟରେ ଏକାକୀ ସରକାର ଗଠନ କରିବାକୁ ସଂଖ୍ୟା ହାସଲ କରିବା ସହ ୧୫ରୁ ଅଧିକ ସାଂସଦ ବିଜେପିରୁ ବିଜୟ ହେବେ ବୋଲି କହୁଛନ୍ତି । କିନ୍ତୁ ଏହି ଦଳର କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ପ୍ରାର୍ଥୀ ଚୟନକୁ ନେଇ ଉପୁଜିଥିବା କନ୍ଦଳ ବିଜେପିକୁ ଅଡ଼ୁଆରେ ପକାଉଛି । ଯାଜପୁର ଜିଲା ହେଉଛି ତାର ଏକବଡ଼ ଉଦାହରଣ । ପଞ୍ଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ କନ୍ଦଳ ହିଁ କନ୍ଦଳ ଦେଖିବାକୁ ମିଳିଛି । ବିଶ୍ୱର ବଡ଼ ଦଳ ବୋଲି କୁହାଯାଉଥିବା ବିଜେପି ଯାଜପୁର ଜିଲାରେ ସଫଳତା ସାଉଁଟିବାକୁ ୪ଦଶନ୍ଧୀ ଧରି ଲଢେଇ କରୁଥିଲେ ହେଁ ଏହି ଦଳର କନ୍ଦଳ ଏବଂ ଶାସକ ଦଳ ବିରୁଦ୍ଧରେ ନରମସ୍ୱର ଦଳକୁ ସଫଳତା ଦେବାରେ ପ୍ରତିବନ୍ଧକ ହେଉଛି । ଯଦି ୨୦୧୯ ନିର୍ବାଚନକୁ ଅବଲୋଚନା କରାଯାଏ, ତେବେ ବଡ଼ଚଣାରୁ ବିଜେପି ବିଜେଡ଼ିରୁ ଆସିଥିବା ଅମର ନାୟକଙ୍କୁ ପ୍ରାର୍ଥୀ କରିବା ପରେ ସେଠାରେ ବିଦ୍ରୋହର ସ୍ୱର ଉଠିଥିଲା । ଯଦିଓ ସ୍ୱର ଦିବଯାଇଥିଲା, କିନ୍ତୁ ଆରମ୍ଭରୁ କନ୍ଦଳ ପଦାରେ ପଡ଼ିଥିଲା । ଧର୍ମଶାଳାରୁ ତୁଷାର ପରିଡ଼ାକୁ ପ୍ରାର୍ଥୀ କରିବା ପରେ ସୁର ପଣ୍ଡାଙ୍କ ପରି କିଛି ନେତା ଅସନ୍ତୁଷ୍ଟ ହୋଇ ନିର୍ବାଚନରୁ ଦୂରେଇ ଗଲେ । ବରୀରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବିଶ୍ୱରଂଜନ ମଲିକ ବିଜୟବାନା ଉଡ଼ାଇବା ସ୍ଥିତିରେ ଥିଲେ ହେଁ ଦଳର ନୀତି ଓ ଆଦର୍ଶକୁ ତୁଛ କରି ସୁନନ୍ଦା ଦାସ ବିଜେଡ଼ିରେ ସାମିଲ ହୋଇ ଟିକେଟ ହାତେଇ ବିଜୟ ମୁକୁଟ ପିନ୍ଧିଥିଲେ । କୋରେଇରେ କଂଗ୍ରେସରୁ ଆମଦାନୀ ନେତା ବିଶ୍ୱଜିତ ନାୟକଙ୍କୁ ପ୍ରାର୍ଥୀ କରିବା ପ୍ରାକ୍ତନ ବିଧାୟିକା ସଂଚିତା ମହାନ୍ତିଙ୍କ ସମର୍ଥକଙ୍କ ହଜମ ହୋଇନଥିଲା । ଯାଜପୁର, ବିଞ୍ଝାରପୁର କି ସୁକିନ୍ଦାରେ ସେଭଳି କିଛି ଆଗଧାଡ଼ିର ନେତା ବିଦ୍ରୋହି ଭୂମିକାରେ ଅବତୀର୍ଣ୍ଣ ହୋଇନଥିଲେ ହେଁ ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରାଯିବା ଅନେକଙ୍କୁ ସହ୍ୟ ହୋଇନଥିଲା । ଚଳିତ ନିର୍ବାଚନ ପାଇଁ ବିଜେପି ବରୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରିବା ପରେ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଧର୍ମଶାଳା ହେଉଛି ଏହାର ଏକ ବଡ଼ ଉଦାହରଣ । ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ ଘୋଷଣା ପରଠୁ ଏଯାବଦ୍ ହିମାଂଶୁ ସାହୁଙ୍କ ସମର୍ଥକ ବିଦ୍ରୋହି ହୋଇପଡ଼ିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଧାରଣା ଦେବା ଯାଏଁ କଥା ଯାଇଛି । ଏପରିକି ଗଲାକାଲି ସ୍ମୃତିରେଖା ପହି ଗୋଟିଏ ଗାଁକୁ ଯାଇଥିବା ବେଳେ ତାଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡ଼ିଛି । କୋରେଇରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିବା ପରେ ଆଶାୟୀ ଥିବା ଆଲେକଜାଣ୍ଡାର ଦାସ ସମର୍ଥକଙ୍କୁ ହଜମ ହୋଇନି । ଏପରିକି ଗଲାଥର ପ୍ରାର୍ଥୀ ହୋଇ ୪୦ହଜାରରୁ ଅଧିକ ଭୋଟ ପାଇଥିବା ବିଶ୍ୱଜିତ ନାୟକଙ୍କ ସମର୍ଥକ ମଧ୍ୟ ନିରାଶ ହୋଇଛନ୍ତି । ଜିଲା ସଭାପତି ଗୈାତମ ରାୟଙ୍କୁ ମଧ୍ୟ ବିରୋଧ କରୁଛନ୍ତି ଆଶାୟୀ ଥାଇ ନିରାଶ ହୋଇଥିବା ଗୋଷ୍ଠୀ । ଯାଜପୁରରୁ ଗୌତମଙ୍କୁ ପ୍ରାର୍ଥୀ କରିବା ପରେ କନ୍ଦଳ ମଧ୍ୟ ବଢିଯାଇଛି । ବିଞ୍ଝାରପୁରରୁ ବବିତା ମଲିକଙ୍କୁ ପ୍ରାର୍ଥୀ କରିବା ପରେ ଅନ୍ୟତମ ଆଶାୟୀ ଥିବା ଅମୀୟ ମଲିକଙ୍କ ନିରାଶ ହୋଇ ଚୁପ ବସିଛନ୍ତି । ଏହି ସମୟରେ ତାଙ୍କର କିଛି ସମର୍ଥକ ବିଜେଡ଼ିରେ ଯାଇ ସାମିଲ ହେଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବକୀ ବାର୍ ଚାରଶୋ ପାର ନାରା ଗାଁ ଗହଳିରେ ପହଁଚୁଥିଲେ ହେଁ ଦଳରେ ଥିବା କନ୍ଦଳ ସଫଳତା ଆଣିବାରେ ପ୍ରତିବନ୍ଧକ ସାଜିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଜିଲାରେ ସଫଳତା ସାଉଁଟିବାକୁ ବିଜେପି ପରି ରାଷ୍ଟ୍ରୀୟ ଦଳ ଦୀର୍ଘ ୪ଦଶନ୍ଧୀ ଧରି ଉଦ୍ୟମ କରୁଥିଲେ ହେଁ ଏହି ଦଳକୁ ବିଜେଡ଼ି ସୈାଜ୍ୟନରୁ ବା ବିଜେଡ଼ି-ବିଜେପି ମେଣ୍ଟ ବେଳେ କୋରେଇ ବିଧାନସଭା କ୍ଷେତ୍ର ବିଜୟସ୍ୱାଦ ଚଖାଇଥିଲା । କିନ୍ତୁ ଅଧୁନା ୨୦୮୫ ମସିହାରୁ ୨୦୧୯ ମଧ୍ୟରେ ଅନୁଷ୍ଠିିତ ୯ଗୋଟି ନିର୍ବାଚନରେ ଭାଗ ନେଇଥିବା ଅନ୍ୟ କୌଣସି ନେତା ବା ନେତ୍ରୀଙ୍କୁ ଭୋଟର ବିଧାନସଭା କି ଲୋକସଭା ଯିବାକୁ ସୁଯୋଗ ଦେଇନାହାନ୍ତି । ଯାହା ତଥ୍ୟ ଯାଜପୁର ଜିଲାରେ ବିଜେପି ୧୯୮୫ରେ ଅନୁଷ୍ଠିତ ୯ତମ ସାଧାରଣ ନିର୍ବାଚନରେ ପାଦ ଥାପିଥିଲା । ଉକ୍ତ ନିର୍ବାଚନରେ ୭ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବଡ଼ଚଣା, ଧର୍ମଶାଳା ଓ ବରୀ-ଡ଼େରାବିଶ ଭଳି ୩ଟି ନିର୍ବାଚନରେ ଭାଗ ନେଇଥିଲା ଏହି ଦଳ । ସେହି ନିର୍ବାଚନରେ ଧର୍ମଶାଳାରୁ କଳ୍ପତରୁ ଦାସ, ବଡ଼ଚଣାରରୁ ଶ୍ରୀଧର ଦାସ ଓ ବରୀ-ଡ଼େରାବିଶରୁ ଜୟନ୍ତ କୁମାର ବଳ ନିର୍ବାଚନ ଲଢିଥିଲେ । ୧୯୯୦ ନିର୍ବାଚନରେ ବିଞ୍ଝାରପୁରକୁ ବାଦ୍ ବଡ଼ଚଣାରୁପ୍ରଦୀପ୍ତ  କୁମାର ଦେଓ, ବରୀରୁ ପ୍ରତାପ ଜେନା, ଧର୍ମଶାଳାରୁ ବିଶ୍ୱନାଥ ଶତପଥୀ  ଯାଜପୁରରୁ ପଞ୍ଚାନନ ମଲିକ୍, କୋରେଇରୁ ଗୋବର୍ଦ୍ଧନ ସାହୁ ଓ ସୁକିନ୍ଦାରୁ ଅକ୍ଷୟ କୁମାର ବଳ ନିର୍ବାଚନ ଲଢିଥିଲେ । ୧୯୯୫ ନିର୍ବାଚନରେ ବିଞ୍ଝାରପୁରରୁ ପ୍ରଥମ କରି ବିଷ୍ଣଦତ୍ତ ଆର୍ଯ୍ୟ, ଯାଜପୁରରୁ ବିରଜା ଦାସ, ବରୀର ଲକ୍ଷ୍ମୀକାନ୍ତ ମିଶ୍ର, ଧର୍ମଶାଳାର ଅକ୍ଷୟ ପରିଡ଼ା, କୋରେର ସତ୍ୟନାରାୟଣ ମହାନ୍ତି, ଓ ସୁକିନ୍ଦାରୁ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନିର୍ବାଚନ ଲଢିଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ୧୧ତମ ସାଧାରଣ ନିର୍ବାଚନରେ କୋରେଇକୁ ଛାଡ଼ିଦେଲେ ଅନ୍ୟ ୬ଗୋଟି ନିର୍ବାଚନ ମଣ୍ଡଳୀରୁ କେହି ପ୍ରାର୍ଥୀ ହୋଇନଥିଲେ । କୋରେଇରୁ ସଂଚିତା ମହାନ୍ତି ନିର୍ବାଚନ ଲଢି ପରାଜିତ ହୋଇଥିଲେ । ୨୦୦୪ ନିର୍ବାଚନରେ ବିଜେଡ଼ି-ବିଜେପି ମେଣ୍ଟ କାରଣରୁ କୋରେଇରୁ ସଂଚିତା ମହାନ୍ତି ୬୭୮୮୮ଭୋଟ ପାଇ ବିଧାନସଭାକୁ ଯିବାରେ ସମର୍ଥ ହୋଇଥିଲେ । ଉକ୍ତ ନିର୍ବାଚନରେ ହିଁ ବିଜେପି ଜିଲାରୁ ଖାତା ଖୋଲିବାକୁ ସମର୍ଥ ହୋଇଥିଲା ।୨୦୦୯ ନିର୍ବାଚନରେ ମେଣ୍ଟ ଭାଙ୍ଗିଯିବାରୁ ବିଜେପି ସମସ୍ତ ୭ଗୋଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା । ଯାଜପୁରରୁ ଗୈାତମ ରାୟ, କୋରେଇରୁ ସଂଚିତା ମହାନ୍ତି, ବିଞ୍ଝାରପୁରରୁ ମାନସ ମଲିକ୍,ବରୀରୁ ଜଗନ୍ନାଥ ସାମଲ, ବଡ଼ଚଣାର ପବିତ୍ର ମୋହନ ସାମନ୍ତରାୟ, ଧର୍ମଶାଳାର ରମେଶ ପରିଡ଼ା ଓ ସୁକିନ୍ଦାରୁ ଦୋଗୋବିନ୍ଦ ମହାନ୍ତ ନିର୍ବାଚନ ଲଢିଥିଲେ । ୨୦୧୪ରେ ବିଞ୍ଝାରପୁରରୁ ଦେବପ୍ରସାଦ ମଲିକ, ବରୀ ନିଳମଣୀ ସାମଲ, ବଡ଼ଚଣା ସିମନ୍ତିନୀ ଜେନା, ଧର୍ମଶାଳା ରମେଶ ଚନ୍ଦ୍ର ପରିଡା, ଯାଜପୁରରୁ ଜଗନ୍ନାଥ ପ୍ରସାଦ ସାମ. କୋରେଇ ସଂଚିତା ମହାନ୍ତି, ସୁକିନ୍ଦା ଅଭିନ୍ନ କୁମାର ହୋତା ନିର୍ବାଚନ ଲଢିଥିଲେ । ୨୦୧୯ରେ ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ରମେଶ ପରିଡ଼ା, ବରୀରୁ ବିଶ୍ୱରଂଜନ ମଲିକ, ବିଞ୍ଝାରପୁରରୁ ବବିତା ମଲିକ, ଯାଜପୁରରୁ ଗୈାତମ ରାୟ, କୋରେଇରୁ ବିଶ୍ୱଜିତ ନାୟକ ଏବଂ ସୁକିନ୍ଦାର ପ୍ରଦୀପ ବଳସାମମନ୍ତ ନିର୍ବାଚନ ଲଢିଥିଲେ ହେଁ ହାରିଯାଇଥିଲେ । ଜିଲାରେ ବିଜେପି ବଳ ଯୋଗାଡ଼ କରୁଥିଲେ ହେଁ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ କନ୍ଦଳ ବିଫଳତାର କାରଣ ହେଉଛି ।