ସିମୁଳିଆରୁ କିଏ ପାଇବେ ବିଜେଡି ଟିକେଟ୍!

ସିମୁଳିଆରୁ କିଏ ପାଇବେ ବିଜେଡି ଟିକେଟ୍!


ଖଇରାରୁ ବଳରାମ ଲେଙ୍କା
ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡିରେ ଆଶାୟୀ ପ୍ରାର୍ଥୀ ତାଲିକା ଝୁଲି ରହିଛି । ବିଳମ୍ବିତ ଘୋଷଣା ସମର୍ଥକଙ୍କ ଉକ୍ରଣ୍ଠା ବଢାଇ ଚାଲିଛି । ଏବେ ଫେସବୁକ, ହ୍ୱାଟ୍ସଅପ ଭଳି ସାମାଜିକ ଗଣମାଧ୍ୟମରେ ସମର୍ଥକଙ୍କ କମେଣ୍ଟ ଓ ପୋଷ୍ଟ ଯୁଦ୍ଧ ଉଗ୍ରରୁପ ଧାରଣ କରିଛି । ଆଶାୟୀଙ୍କ ମଧ୍ୟରେ ପୁର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଓଡିଶା ସରକାରଙ୍କ ସଂସ୍କୃତି ଓ ମାନବ ସମ୍ବଳ ବିକାଶ ରାଜ୍ୟ ସମ୍ପାଦକ ଶଶିକୁମାର ସାହୁ ରହିଛନ୍ତି । ସିମୁଳିଆ ଖଇରାର ବିକାଶର କର୍ଣ୍ଣଧାର ସାଜିଥିବା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଦାବୀଦାର ଥିବା ବେଳେ ଏଥର ଟିକେଟ ମିଳିଲେ ହ୍ୟାଟ୍ରିକ ବିଜୟ ଲାଭ କରିବେ । ୨୦୧୪ରେ ଜ୍ୟୋତି ପ୍ରକାଶ ୭ହଜାର ୯୩୭ ଭୋଟ ବ୍ୟବଧାନରେ ଏବଂ ୨୦୧୯ ନିର୍ବାଚନରେ ୨ଗୁଣ ଭୋଟ ଅର୍ଥାତ୍ ୧୪୯୫୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ବଳିତ ୨୦୨୪ରେ ଏହି ବ୍ୟବଧାନ ୨୫ହଜାର ରହିବ ବୋଲି ବିଜେଡି କର୍ମୀ ମାନେ ଦୃଢତାର ସହ କରିଛନ୍ତି । ଯଦି ଜ୍ୟୋତିଙ୍କ ବ୍ୟତିତ ଦଳ ଅନ୍ୟ କାହା ଉପରେ ଭରସା କରେ ତେବେ  ସିଟ ହାତଛଡା ହେବ ବୋଲି ବହୁ ଦଳୀୟ କାର୍ଯ୍ୟକର୍ତ୍ତା କହୁଥିବାର ଶୁଣିବାକୁ ମିଳୁଛି । ବିଧାୟକ ୧୦ବର୍ଷ ଧରି ସିମୁଳିଆ ଖଇରାରେ ଶାନ୍ତି ଓ ପ୍ରଗତିକୁ ଗୁରୁତ୍ୱ ଦେଇ ଆସିଥିବା ବେଳେ ଏହି ପରମ୍ପରା ବଜାୟ ରଖିବାକୁ ବିଜେଡି ସୁପ୍ରିମୋ ଜ୍ୟୋତି ପ୍ରକାଶଙ୍କୁ ସୁଯୋଗ ଦେବା ଆବଶ୍ୟକ ବୋଲି ଗୋଳିହା ପଞ୍ଚାୟତ ସରପଞ୍ଚ ପୁଷ୍ପଲତା ଘଡେଇ, ନନ୍ଦୁର ସରପଞ୍ଚ ଜୟନ୍ତୀ ପତି, ଶ୍ୟାମସୁନ୍ଦରପୁର ସରପଞ୍ଚ ବନିତା ପ୍ରଧାନ ଓ ସମିତି ସଭ୍ୟ ବାସନ୍ତୀ ମହାନ୍ତି, ଗଗନଧୁଳି ପଞ୍ଚାୟତ ସରପଞ୍ଚ ମଦନମୋହନ ସାନ୍ତରା, ଖଇରା ସରପଞ୍ଚ ମାଳତୀ ସେଠୀ ଓ ସମିତିସଭ୍ୟ ନର୍ମଦା ଦେଓଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ତଥା ୫ ଜୋନର ଜିଲା ପରିଷଦସଭ୍ୟ, ଛାମୁଆ ସଙ୍ଗଠନର କର୍ମକର୍ତ୍ତା ମାାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅପରପକ୍ଷେ ଅନ୍ୟତମ ଆଶାୟୀ ଶଶିକୁମାର ସାହୁ ୨୦୧୪ରେ ଭାଜପା ଟିକଟରେ ନିର୍ବାଚନ ଲଢି ୨୮ହଜାର ଭୋଟ ହାତେଇ ଭାଜପାକୁ ସୁଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ୨୦୧୯ରେ ସେ ଭାଜପା ଛାଡି ବିଜେଡିରେ ଯୋଗଦେଇ ଥିଲେ । ହେଲେ ସେତେବେଳେ ଦଳ ଭରସା କରିପାରିନଥିଲା । ସେବେଠାରୁ ସେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କ ସମର୍ଥନରେ ଭାଜପାର ଏକ ଗୋଷ୍ଠୀ ଭୁବନେଶ୍ୱର ଯାଇ ଟିକେଟ ପାଇଁ ଲବି ଚଳାଇଥିବା ବେଳେ ତାଙ୍କ ସମର୍ଥନରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ବିଜେଡି ୫ବର୍ଷ ମଧ୍ୟରେ ଲୋକପ୍ରିୟତା ହରାଇଛି ଯେଉଁଥିପାଇଁ ପଞ୍ଚାୟତ ସମିତି ହାତରୁ ଖସିଛି । ଏଣୁ ଯଦି ଶଶିସାହୁଙ୍କୁ ପ୍ରାର୍ଥୀ କରାଯାଏ ଦଳ ଛାଡିଥିବା ଜିଲାପରିଷଦ,ସରପଞ୍ଚ ସମିତିସଭ୍ୟ ପୁଣିଥରେ ସମର୍ଥକଙ୍କ ସହ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ୩ନମ୍ବର ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ କହିଛନ୍ତି । ତେବେ ପିତାଙ୍କ ସମୟରୁ ବିଜେଡିରେ ନିଜର ବିଶ୍ୱସନୀୟତା ପ୍ରତିପାଦିତ କରିଥିବା ବ୍ୟକ୍ତିଙ୍କୁ ଦଳ ଭରସା କରିବ କି ଭାଜପାରୁ ଆସି ବିଜେଡିରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଦଳ ଟିକେଟ ଦେବ ତାହା ଆଗାମି କିଛି ଦିନରେ ଜଣା ପଡିବ ।