ଅନ୍ଧାରରେ ଭାର୍ଗବୀ ସେତୁ, ବିପଦରେ ପଥଚାରୀ
ବାଲିଅନ୍ତାରୁ ଗୋବର୍ଦ୍ଧନ ଦାସ
ଜୟଦେବ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରବେଶପଥ ହେଉଛି ବାଳକାଟି ଭାର୍ଗବୀ ସେତୁ । ଏହି ନିର୍ବାଚନମଣ୍ଡଳୀ ପରିସରଭୁକ୍ତ ଅଞ୍ଚଳକୁ ଯାତାୟାତ କରିବାକୁ ହେଲେ ଏହି ସେତୁ ଉପରେ ନିର୍ଭର କରିବାକୁ ପଡିଥାଏ । ସେହିପରି ଏହି ସେତୁଦେଇ ଭୁବନେଶ୍ୱର, ପୁରୀ, ପିପିଲି, କଟକ, କୋଣାର୍କ, କାକଟପୁର ଆଦି ପ୍ରମୁଖ ସ୍ଥାନକୁ ହଜାର ହଜାର ଜନସାଧାରଣ ଓ ଯାନବାହନ ଯାତାୟାତ କରିଥାଏ । ଏଥିସହ ରାତିରେ ଥକ୍କା ମେଣ୍ଟାଇବା ପାଇଁ ସ୍ଥାନୀୟ ଲୋକେ ଏହି ସେତୁ ଉପରେ ବିଶ୍ରାମ ନେଇଥାନ୍ତି । କେହି କେହି ଖରାଦିନେ ରାତିରେ ମଧ୍ୟ ଏହି ସେତୁ ଉପରେ ଶୋଇଥାନ୍ତି । ମାତ୍ର ରାତି ସମୟରେ ଉକ୍ତ ସେତୁଟି ଅନ୍ଧାର ରହୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ସହ ରାହାଜାନୀ ମଧ୍ୟ ହେଉଛି । ତତ୍ ସହିତ ଅନ୍ଧାରରେ ଏହି ସେତୁ ଉପରେ ବିଷାକ୍ତ ସରୀସୃପ ବୁଲୁଥିବାର ମଧ୍ୟ ଦେଖାଯାଉଛି । ଅତୀତରେ ଦୁର୍ଘଟଣା ଓ ସରୀସୃପ କାମୁଡ଼ା ଘଟଣା ଘଟିଥିବାର ନଜିର ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୭/୧୮ ଆର୍ଥିକ ବର୍ଷରେ ତକôାଳୀନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ନିଜ ଆଞ୍ଚଳିକ ପାଣ୍ଠିରୁ ଏହି ସେତୁକୁ ଆଲୋକୀକରଣ କରିବା ପାଇଁ ୨ଲକ୍ଷ ୫୬ ହଜାଇ ଅନୁଦାନ ଦେଇଥିଲେ । ପ୍ରଥମ ପର୍ଯ୍ୟୟରେ ଏକ ଘରୋଇ କମ୍ପାନୀ ଏହାକୁ ହାତକୁ ନେଇ କାମ କରିଥିଲା । ୧୨.୬୦ ଫୁଟ ଲମ୍ବ, ସାର ୨୪ ଫୁଟ ବିଶିଷ୍ଟ ଏହି ସେତୁର ଗୋଟିଏ ପାର୍ଶ୍ୱରେ ୮ଟି ସୋଲାର ଏଲ୍.ଇ.ଡି ଷ୍ଟ୍ରାଟ୍ ଲାଇଟ୍ ଲାଗିଥିଲା । ପରେ ପୁନର୍ବାର ୨୦୧୮/୧୯ ଅନୁରୂପ ଭାବେ ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପ୍ରାୟ ୧୪/୧୫ ଲକ୍ଷ ବ୍ୟୟ କରାଯାଇ ଏକ ଘରୋଇ କମ୍ପାନୀ ଦ୍ୱାରା ସେତୁର ଗୋଟିଏ ପାର୍ଶ୍ୱରେ ୧୦ଟି ସୋଲାର ଲାଇଟ୍ ଲାଗିଥିଲା । ସେତୁରେ ସିମେଣ୍ଟ କଂକ୍ରିଟ ଦ୍ୱାରା ଏକ ଲୁହାର ପ୍ରାୟ ୧୫ ଫୁଟ ଉଚ୍ଚର ଜି.ଆଇ ପାଇପ୍ ଦ୍ୱାରା ମୋଟ ୧୮ଟି ଷ୍ଟ୍ରିଟ୍ ଲାଇଟ ଲାଗିଛି । ମାତ୍ର କିଛି ମୁନାଫଖୋର୍ ରାଜନେତା ତଥା କୁଜି ନେତା ଏବଂ ଠିକାଦାରଙ୍କ ସ୍ୱାର୍ଥ ଯୋଗୁଁ ଏଗୁଡିକ ଅତି ନିମ୍ନମାନର କାମ ହୋଇଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ଖରାପ୍ ହୋଇଯାଇଥିଲା । ସେହିପରି ସାମୁଦ୍ରିକ ଝଡବାତ୍ୟା "ଫନି"ର ପ୍ରଭାବରେ ଏ ମଧ୍ୟରୁ ଅଧିକାଂଶ ଲାଇଟ୍ ଅଚଳ ହୋଇଯାଇଛି । ୧୮ଟି ଲାଇଟରୁ ମାତ୍ର ୪ଟି ଜଳୁଛି । ମାତ୍ର ଏହି ୪ଟି ଷ୍ଟ୍ରିଟ୍ ଲାଇଟ ଅନ୍ଧକାରକୁ ଦୂର କରିପାରୁନାହିଁ । ବାତ୍ୟା "ଫନି" ଯିବାର ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଏହି ସୋଲାର ଲାଇଟ୍ର ମରାମତି ହୋଇପାରିଲା ନାହିଁ । ଫଳରେ ପୂର୍ବତନ ବିଧାୟକ ଶ୍ରୀ ବେହେରାଙ୍କ ପାଣ୍ଠି ବିନିଯୋଗରେ ଭାର୍ଗବୀ ସେତୁର ଆଲୋକୀକରଣ ବ୍ୟବସ୍ଥା ନୂଆ ଯିବା ସହ ସେତୁର ଅବସ୍ଥା " ଯଥା ପୂର୍ବ ତଥା ପରଂ" "ସଦୃଶ ହୋଇଛି । ସ୍ଥାନୀୟ ବାଳକାଟିବାସୀ ତଥା ହଜାର ହଜାର ପଥଚାରୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ଏହି ଲାଇଟ୍ ଗୁଡିକ ମରାମତି କରିବାସହ ଆହୁରି ଅଧିକ ଲାଇଟ୍ ଲଗାଇବା ପାଇଁ ସାଧାରଣରେ ଦାବି ହୋଇଛି ।