ଝିଙ୍ଗିଆ ଓରାମଙ୍କ ବିୟୋଗରେ ପ୍ରଭାତୀ ପରିଡାଙ୍କ ଶୋକ

ଭୁବନେଶ୍ୱର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ଧର୍ମପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶ୍ରୀମତୀ ପରିଡା କହିଛନ୍ତି ଯେ, ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ଅକାଳ ବିୟୋଗ ତାଙ୍କ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି।ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ । ଶ୍ରୀମତୀ ଝିଙ୍ଗିଆ ଓରାମ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ। ଶ୍ରୀମତୀ ପରିଡା ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ପ୍ରକାଶ ଯେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ଝିଙ୍ଗିଆ ଓରାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଝିଙ୍ଗିଆ ଓରାମଙ୍କ ମୃତଦେହକୁ ଗତକାଲି ରାତିରେ ଭୁବନେଶ୍ୱରର ଲୁମ୍ବିନୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲେ। ସେଠାରେ ତାଙ୍କୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳରର ସଦସ୍ୟମାନେ। ଏହା ସହିତ ଆହୁରି ଅନେକ ବ୍ୟକ୍ତିବିଶେଷ ସେଠାରେ ପହଞ୍ଚି ଝିଙ୍ଗିଆ ଓରାମଙ୍କର ଶେଷ ଦର୍ଶନ କରିବା ସହିତ ଜୁଏଲ ଓରାମଙ୍କୁ ସାନ୍ତ୍ୱନା ଦେଇଥିଲେ। ଝିଙ୍ଗିଆ ଓରାମଙ୍କ ପାର୍ଥିବ ଶରୀରକୁ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇର କେନ୍ଦୁଡ଼ିହିକୁ ନିଆଯାଇଛି। ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।