‘ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଅମାନବୀୟ’
ଭୁବନେଶ୍ୱର: ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ । ସାମ୍ବାଦିକଙ୍କୁ ଆକ୍ରମଣ, ଧମକ ଦେବା ଭଳି ବିଜୁ ଜନତା ଦଳର ଅଗଣତାନ୍ତ୍ରିକ ଉଦାହରଣ ରହିଛି । ମଙ୍ଗଳବାର ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନନ୍ଦନ ଦାଶ ନିଜ ସରକାରୀ ବାସଭବନରେ କୁକୁର ଛାଡି ଦେଇ ଭୟଭୀତ କରିଛନ୍ତି । ଏହା ତାଙ୍କ ହୀନ ମାନସିକତାର ପରିଚୟ ଦେଇଛି । ଏଭଳି ଅମାନବୀୟ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦୀଲିପ ମଲ୍ଲିକ କହିଛନ୍ତି । ତେବେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟରାକୁ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକ ଚୁପ୍ ବସିଥିବାରୁ ଏହି ଘଟଣା ତାଙ୍କ ଇଙ୍ଗିତରେ ହୋଇଥିବା ସ୍ପଷ୍ଟ ହୋଇଛି । ନା ସେ ଘଟଣାକୁ ନିନ୍ଦା କରିଛନ୍ତି, ନା ପଦୁଟିଏ କହିଛନ୍ତି । ତାଙ୍କ ଦଳର ଜଣେ ବରିଷ୍ଠ ନେତାଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।