ବାଂଲାଦେଶର ପ୍ରଧାନମନ୍ତ୍ରୀ ଦୌଡ଼ରେ ମହମ୍ମଦ ୟୁନୁସ

ବାଂଲାଦେଶର ପ୍ରଧାନମନ୍ତ୍ରୀ ଦୌଡ଼ରେ ମହମ୍ମଦ ୟୁନୁସ


କିଏ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି । ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଦେଇଛନ୍ତି । ତେବେ କିଏ ହେବେ ହାସିନାଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ ? ଏହାରି ମଧ୍ୟରେ ସାମ୍ନାକୁ ଆସୁଛି ଅନେକ ନେତାଙ୍କ ନାଁ । ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ତାଙ୍କ ନାଁ ସବୁଠୁ ଆଗରେ ରହିଛି । ମଧ୍ୟବର୍ତ୍ତିକାଳୀନ ସରକାର ନେତୃତ୍ୱ ନେବାକୁ ପ୍ରସ୍ତାବ ଦେଇଛନ୍ତି ସରକାର ବିରୋଧୀ ଛାତ୍ର ସଂଗଠନର ନେତା । ତାଙ୍କୁ ପ୍ରଧାନମନ୍ତ୍ରୀ କରବାକୁ ଛାତ୍ର ସଙ୍ଗଠନ ଦାବି କରୁଛି ।
ସେପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ହାସିନା ଦେଶ ଛାଡିବା ପରେ ଖାଲେଦା ଜିୟାଙ୍କୁ ଜେଲରୁ ମୁକ୍ତି ଆଦେଶ ଦେଇଛନ୍ତି ରାଷ୍ଟ୍ରପତି । ୧୯୯୧ରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ଖାଲେଦା । ୨୦୧୮ରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା । ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ଖାଲେଦା ଜିୟା । ତାଙ୍କ ବ୍ୟତୀତ ଏହି ରେସ୍ରେ ଅଛନ୍ତି ଶଫିକୁର ରେହମାନ । ବର୍ତ୍ତମାନ ସେ ବାଂଲାଦେଶ ଜମାତ-ଏ-ଇସଲାମି ମୁଖ୍ୟ ଅଛନ୍ତି । ଆଉ ଜଣେ ଦାବିଦାର ହେଉଛନ୍ତି ଜିଏମ୍ କାଦର । ବର୍ତ୍ତମାନ ସେ ବାଂଲାଦେଶ ସଂସଦରେ ବିରୋଧୀ ଦଳ ନେତା ଅଛନ୍ତି । ପୂର୍ବରୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଣିଜ୍ୟ, ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ ।