ବାଣ ବିସ୍ଫୋରଣ:୩ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିରାଉଲି ପୁଲିସ୍‌ ଷ୍ଟେଶନ ଅଞ୍ଚଳରେ ବାଣ ବିସ୍ଫୋରଣ ଯୋଗୁ  ଚାଲିଗଲା ୩ ଜୀବନ । ନସିର ନାମକ ବ୍ୟକ୍ତି ବାଣ ତିଆରି କରୁଥିବା ବେଳେ ଏହି ଅଘଟଣ ଘଟିଛି। ପୁଲିସ୍‌ ତାଙ୍କ ଲାଇସେନ୍ସକୁ ଯାଞ୍ଚ କରି ସାଂଘାତିକ ତଥ୍ୟ ପାଇଛି। ନସିରଙ୍କ ନିକଟରେ ଅନ୍ୟତ୍ର ବାଣ ତିଆରି କରିବାର ଲାଇସେନ୍ସ ଥିବା ବେଳେ ସେ ନିଜ ଶ୍ୱଶୁର ଘରେ ତିଆରି କରି ରଖୁଥିଲେ। ଫଳରେ ସେଠାରେ ନିଆଁ ଲାଗି ଏକା ସମୟରେ ବହୁ ବାଣ ବିସ୍ଫୋରଣ ହୋଇଛି। ତେଣୁ ପରିସ୍ଥିତି ସାଂଘାତିକ ହେବା ସହ ଆଖପାଖରେ ଥିବା ଘରକୁ ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା।ବିସ୍ଫୋରଣ ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ବିସ୍ଫୋରଣ ସ୍ଥଳରୁ ବହୁ ପରିମାଣର ବାଣ ଜବତ ହୋଇଛି।