ସୁଦୃଢ ଶିକ୍ଷାନୀତିର ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଣିବ ବିପ୍ଳବ

ସୁଦୃଢ ଶିକ୍ଷାନୀତିର ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଣିବ ବିପ୍ଳବ


ଭୁବନେଶ୍ୱର: ସୁଦୃଢ ଶିକ୍ଷାନୀତିର ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ଲୋକସେବା ଭବନରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ, ଉଚ୍ଚଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକସ୍ତରରେ ଜାତୀୟ ଶିକ୍ଷାନୀତି ୨୦୨୦’ ପ୍ରଣୟନ କରିବା ନିମନ୍ତେ ଏକ ଆଲୋଚନଚକ୍ର ଆୟୋଜିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି -୨୦୨୦ର ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ । ୧୯୩୬ ମସିହାରେ ଓଡ଼ିଶା ଏକ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଥିଲା  । ୨୦୩୬ ମସିହା ସୁଦ୍ଧା ଓଡ଼ିଶାର ସାମାଜିକ ଓ ଅର୍ଥନୈତକ ବିକାଶର ସ୍ୱପ୍ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଖିଛନ୍ତି  । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସୁଦୃଢ ଜାତୀୟ ଶିକ୍ଷାନୀତିର ପ୍ରଣୟନ ହେବା ନିହାତି ଜରୁରୀ ବୋଲି ଆଲୋଚନାରେ ଅଂଶଗ୍ରହଣ କରି ମନ୍ତରୀ ଶ୍ରୀ ସୂରଜ କହିଛନ୍ତି  । ଏଥିସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାରତବର୍ଷର ପ୍ରାଚୀନ ଗୁରୁକୁଳ ପ୍ରଥା ସମ୍ବନ୍ଧରେ ଆଲୋକପାତ କରିବା ସହ ସତ୍ୟବାଦୀ ବକୁଳ ବନବିଦ୍ୟାଳୟ, ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରାଚୀନ ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ  । ପିଲାମାନେ ମାତୃଭାଷାରେ ଉଚ୍ଚଶିକ୍ଷା ଗ୍ରହଣ କଲେ ତାଙ୍କର ସୃଜନଶୀଳତା ବୃଦ୍ଧି ପାଇବା ବୋଲି ସେ ମତପ୍ରକାଶ କରିଥିଲେ  । ଶେଷରେ ଓଡ଼ିଆ ଅସ୍ମିତା, ଶୈକ୍ଷିକ ଅସ୍ମିତାକୁ ବଜାୟ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆନ୍ତରିକତାର ସହ ପ୍ରଣୟନ କରିବା ପାଇଁ ସେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କର ସହଯୋଗ କାମନା କରିଥିଲେ । ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଜାତୀୟ ଶିକ୍ଷାନୀତି ପ୍ରଣୟନର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଯୁଗ୍ମ ସଚିବ ଡ଼ଃ ଏନ୍. ଗୋପୁକୁମାର ଓଡ଼ିଶାରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ ପାଇଁ ହୋଇଥିବା ଏହି ଆଲୋଚନଚକ୍ର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନିଜର ମତ ରଖିଥିଲେ  । କାର୍ଯ୍ୟକ୍ରମ ଶେଷରେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଚିତ୍ତ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ  ।