ପାଚିଲା ଧାନକୁ ଦାଉ ସାଧୁଛି ମାଟିଆ ଗୁଣ୍ଡି
ଭଣ୍ଡାରିପୋଖରୀ: ମୁଣ୍ଡ ଝାଳ ତୁଣ୍ଡରେ ମାରି ବିଲରେ ସୁନା ଫଳେଇଥିବା ଚାଷୀ ଏବେ ପୋକ ଉପଦ୍ରବ ଯୋଗୁଁ ଚିନ୍ତାରେ ପଡିଛି । ଆଉ ଦିନ କେତଟା ପରେ ଶସ୍ୟ ଅମଳ ପ୍ରକ୍ରିୟା ଆରମ୍ଭ ହେବ । ଏବେ ମାଟିଆ ଗୁଣ୍ଡି ପୋକ ଉପଦ୍ରବ ଚାଷୀ ମୁଣ୍ଡରେ ଚଡକ ପକାଇଛି । ସଠିକ ଭାବେ ଦମନ କରିବା ପାଇଁ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରିବା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି । ଭଣ୍ଡାରିପୋଖରୀ ବ୍ଲକ୍ ଅଞ୍ଚଳରେ ଚଳିତ ବର୍ଷ ପ୍ରାୟ ୧୬ହଜାର ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଛି । ଏହା ମଧ୍ୟରେ ଧାନ ଅମଳ ସମୟ ଉପନୀତ ହୋଇଛି । ସବୁଜିମା କ୍ଷେତରେ ବିଭିନ୍ନ ପୋକ ଉପଦ୍ରବକୁ ଚାଷୀ ଭାଇମାନେ ଧିରେ ଧିରେ ଦମନ କରିଥିବା ବେଳେ ଧାନ ବିଲ ଏବେ ସୁନା ସଦୃଶ ଦୃଶ୍ୟମାନ ହେଉଛି । ସଂପ୍ରତି ଶସ୍ୟ ସଂଗ୍ରହ ବେଳକୁ ପାଚିଲା ଧାନରେ ମାଟିଆ ଗୁଣ୍ଡି ପୋକ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢାଉଛି । ଜିଲ୍ଲା ଓ ଉପଖଣ୍ଡସ୍ତରୀୟ କୃଷି ବିଭାଗ ସହିତ ବ୍ଲକ୍ସ୍ତରୀୟ କୃଷି କାର୍ଯ୍ୟାଳୟ ପକ୍ଷରୁ ଧାନ ଚାଷ ସୁରକ୍ଷା ବ୍ୟବସ୍ଥା ପାଇଁଁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।ଏପରି ସ୍ଥଳେ କୃଷି ବିଭାଗର ସଠିକ ପରାମର୍ଶ ବିନା କେଉଁ ପ୍ରକାର କୀଟ ନାଶକ ପ୍ରୟୋଗ କଲେ ମାଟିଆ ଗୁଣ୍ଡି ପୋକ ଦାଉରୁ ପାଚିଲା ଧାନକୁ ରକ୍ଷା କରିହେବ ସେ ନେଇ ଚାଷୀମାନେ ଏବେ ଦ୍ୱନ୍ଦରେ ପଡିଛନ୍ତି । ସ୍ଥାନୀୟ ବଜାରରେ ମିଳୁଥିବା ପ୍ରଚାର ଧର୍ମୀ ବେନାମୀ କମ୍ପାନୀର ବିଷ ଆଣି ଚାଷୀ ଜମିରେ ପ୍ରୟୋଗ କରୁଥିଲେ ସୁଦ୍ଧା ଅମଳ ଉପଯୋଗୀ ଧାନ କିନ୍ତୁ ପୋକ ଦାଉରୁ ରକ୍ଷା ପାଇପାରୁ ନାହାନ୍ତି । ବାରମ୍ବାର କ୍ଷେତରେ ବିଷ ପ୍ରୟୋଗ କରିବାକୁ ପଡୁଥିବା ବେଳେ ଚାଷୀମାନେ ଆର୍ଥିକ ଭାବେ ଢେର କ୍ଷତି ସହୁଛନ୍ତି । କୀଟପୋକ ଜନିତ କାରଣରୁ କୃଷି କ୍ଷେତ୍ର ସୁରକ୍ଷା ନେଇ ପ୍ରାୟ କୌଣସି ସ୍ଥାନରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହେଉ ନ ଥିବା ଜଣାପଡିଛି । ବ୍ଲକର ଷୋଳମପୁର ଠାରୁ ଆରମ୍ଭ କରି ବିଷ୍ଣୁପୁର, ଜଳମଣ୍ଡୁଆ, ନିର୍ଗୁଣ୍ଡି, ପାଟୁଳି, ମଞ୍ଜୁରୀ ରୋଡ, ଆଖୁଆପଦା, ରହଣିଆ, ବାଲି ପୋଖରୀ, କୋରିଗାଁ, ଝୁଟଣା, ସରସଦା, ନପଙ୍ଗ, ନେରଡା, ରଣଜିତ୍, ନପଙ୍ଗ ପ୍ରମୁଖ ଅଞ୍ଚଳରେ ଚାଷୀ ଶସ୍ୟ ଅମଳ ପରିବର୍ତ୍ତେ ଚାଷ ଜମିରେ ବିଷ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି । ଆଗକୁ ପୋକ ଉପଦ୍ରବ ଆହୁରି ବୃଦ୍ଧି ପାଇବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏପଟେ ପୋକ ଆକ୍ରାନ୍ତ କ୍ଷେତ୍ରକୁ କୃଷି ବିଭାଗ ବିଭାଗ ପକ୍ଷରୁ ନିୟମିତ ପରିଦର୍ଶନ କରାଯାଉଥିବା ଉପଖଣ୍ଡସ୍ତରୀୟ କୃଷି ଅଧିକାରୀ ମତ ଦେଇଛନ୍ତି ।