ମାଣିଆ ଛକ ପାଲଟିଛି ଡମ୍ପିଂୟାର୍ଡ , ଧୂଆଁରେ ଜନସାଧାରଣ ଅସ୍ତବ୍ୟସ୍ତ
ଜଟଣୀ: ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ ମଣ୍ଡଳ ଅନ୍ତର୍ଗତ ଷ୍ଟେସନ ସନ୍ନିକଟରେ ଥିବା ଲୋକୋ କଲୋନୀ ମାଣିଆ ଛକ ନିକଟରେ ଅଳିଆ ଗଦା ବୃଦ୍ଧି ପାଇବା ଯୋଗୁଁ ସ୍ଥାନୀୟବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି । ଡମ୍ପିଂୟାର୍ଡ ଗତ ଦୁଇ ବର୍ଷ ହେବ ଏକ ପ୍ରମ୍ମୁଖ ପ୍ରଦୂଷଣର କାରଣ ପାଲଟିଛି । ଏହି ଡମ୍ପିଂୟାର୍ଡଟି ପ୍ରାୟ ଏକ ଏକର ପରିମିତ ଅୟଞ୍ଚଳରେ ରହିଛି । ଦୁଃଖର ବିଷୟ ଏହି ଡମ୍ପିଂୟାର୍ଡଟି ପୂର୍ବତଟ ରେଲୱେ ଖୋର୍ଦ୍ଧାରୋଡ ମଣ୍ଡଳର ପ୍ରତ୍ୟକ ଦିନ ଠିକାଦାର ଟ୍ରାକ୍ଟର ମାଧ୍ୟମରେ ରେଲୱେ କଲୋନୀର କୁଢ଼ କୁଢ଼ ଅଳିଆ ଆଣି ଏଠାରେ ଗଦା କରିବା ଫଳରେ ଅଳିଆ ଗଦା ହେବା ସହ ଦୁର୍ଗନ୍ଧ ସ୍ଥାନୀୟ ବାସୀଙ୍କ ପାଇଁ ଅସହ୍ୟ ହୋଇ ପଡିଛି । ରେଳବାଇ ସଂସ୍ଥା ଏକ କେନ୍ଦ୍ରୀୟ ସଂସ୍ଥା ହୋଇଥିଲେ ମଧ୍ୟ ବର୍ଜ୍ୟବସ୍ତୁରୁ ଜୈବ୍ୟ ସାର ପ୍ରସ୍ତୁତ ପ୍ଲାଣ୍ଟ ନାହିଁ । ରେଲୱେ ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ସମ୍ପୂର୍ଣ କୋମାରେ ରହିବା ପରି ଜଣାପଡୁଛି । ପରିମଳ ବ୍ୟବସ୍ଥାକୁ ଘରୋଇ କରଣ କରି ନିଘୋଡ ନିଦ୍ରାରେ ରେଲୱେ ସ୍ୱାସ୍ଥ୍ୟ ବିଭାଗ । ଠିକାଦାର ତାର ମନମୁଖୀ ବଳରେ କୁଢ଼ କୁଢ଼ ଅଳିଆ ଗଦାଇ ପରିବେଶ ପ୍ରଦୂଷଣ ନିୟମକୁ ବେଖାତିରି କରି ଡମ୍ପିଂୟାର୍ଡରେ ନିଆଁ ଲଗାଇବା ଫଳରେ ସେଥିରୁ ବାହାରୁଥିବା ଧୂଆଁ ସ୍ଥାନୀୟ ଜନସାଧାରଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । ଖାଲି ସେତିକି ନୁହେଁ ଏହି ଧୂଆଁ ପବନର ଗତି ଅନୁସାରେ ଅନେକ ସମୟରେ ରେଳ ଷ୍ଟେସନ ପରିସର ମଧ୍ୟରେ ଧୂମ ମୟ ପରିସ୍ଥିତି ସୃଷ୍ଟି କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏପରିକି ସ୍ଥାନୀୟ ଲୋକଙ୍କ ଶ୍ୱାସକ୍ରିୟା ଓ ଅନ୍ୟାନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଓଦା ଅଳିଆକୁ ପକାଇବା ଫଳରେ ଏଥିରୁ ଦୁର୍ଗନ୍ଧ ବାହାରି ଲୋକଙ୍କୁ ଅସହ୍ୟ କରୁଛି । ରେଲୱେ ସ୍ୱାସ୍ଥ୍ୟ ବିଭାଗର ଦାଇତ୍ୱହୀନତା କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦା କରିବା ସହ ସ୍ଥାନୀୟ ବାସୀଙ୍କ ହିତ ଦୃଷ୍ଟିରୁ ଡମ୍ପିଂୟାର୍ଡକୁ ଅଧିକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଦାବି ହୋଇଛି । ବିଡମ୍ବନାର ବିଷୟ ସେହି ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଥିବା ବେଳେ, ବିଭାଗୀୟ ରେଳ ଅଧିକାରୀ କେବେହେଲେ ସେହି ଜମି ବିଷୟରେ ଜାଣନ୍ତି ନାହିଁ କି କୌଣସି ସୂତ୍ରରୁ ସୂଚନା ପାଇବା ପରେ ମଧ୍ୟ ଏହାକୁ ଉଦ୍ଧାର କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଥିପ୍ରତି ରେଳ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।