ହାଟକୁ ନେଇ ହଟ୍ଟଗୋଳ; ଦୁଇ ପକ୍ଷ ମୁହାଁମୁହିଁ ପରେ ସାମୂହିକ ଭାବେ ବନ୍ଦ କଲା ପ୍ରଶାସନ

ହାଟକୁ ନେଇ ହଟ୍ଟଗୋଳ; ଦୁଇ ପକ୍ଷ ମୁହାଁମୁହିଁ ପରେ ସାମୂହିକ ଭାବେ ବନ୍ଦ କଲା ପ୍ରଶାସନ

ଯାଜପୁରଟାଉନ: ହାଟକୁ ନେଇ ହଟଗୋଳ । ଦୁଇପକ୍ଷ ମୁହାଁ ମୁହିଁ ହୋଇଥିଲେ । କୈାଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ମଝିରେ ପୁଲିସ ଜଗି ରହିଥିଲା । ପରିସ୍ଥିତି ଅଣାୟତ ହେଉଥିବା ଜାଣିବା ପରେ ପ୍ରଶାସନ ପକ୍ଷରୁ ହାଟକୁ ସାମୁହିକ ଭାବେ ବନ୍ଦ ଘୋଷଣା କରିଥିଲା । ଖବର ଥାଉକି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସନ୍ନିକଟରେ ବିରଜା ଅଗ୍ନେଶ୍ୱର ହାଟକୁ ଗତ ବୁଧବାର ଦିନ ପୁନଃ ଚାଲୁ କରିବା ପାଇଁ ପ୍ରଶାସନ ଅନୁମୋଦନରେ କମିଟି ଡାକବାଜି ଯନ୍ତ୍ର ଚାଷୀ , ବ୍ୟବସାୟୀ ଓ ଖାଉଟିମାନଙ୍କୁ ଅବଗତ କରାଇଥିଲେ । ସେହି ଅନୁସାରେ ଗୁରୁବାରଚାଷୀ, ବ୍ୟବସାୟୀ ଏବଂ ଖାଉଟିମାନେ ବିରଜା ଅଗ୍ନେଶ୍ୱର ହାଟରେ ପହଁଚିଥିଲେ । ଏହାକୁ ବିରୋଧ କରି ସ୍ଥାନୀୟ ବିଜେଡି ନେତା ଭବପ୍ରସାଦ ଦାସ, ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଜଗନ୍ନାଥ ଦାସ, ସେକ୍ ସାହାବୁଦ୍ଦିନ, ସେକ୍ ମୁର୍ତାଜା ପ୍ରମୁଖ ବହୁ ସଂଖ୍ୟାର ବିଜେଡି ନେତା ଓ କର୍ମୀମାନେ ବିରଜା ଅଗ୍ନେଶ୍ୱର ହାଟରେ ପହଁଚି ବ୍ୟବସାୟକୁ ବନ୍ଦ କରିଥିଲେ । ସେମାନଙ୍କର କହିବା ଥିଲା ଏଠାରେ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଚାଲୁରହିଅଛି ଏବଂ ହାଟ ସନ୍ଥେଶ୍ୱରପୁର ଠାରେ ଚାଲୁଅଛି । ଏଠାରେ ଆଉ ହାଟର କୌଣସି ଆବଶ୍ୟକତା ନାହିଁ । ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଲିଖିତ ଅଭିଯୋଗ ଅନୁସାରେ ତାଙ୍କର ବହୁମୂଲ୍ୟର ପନିପରିବା ଗୁଡିକୁ ବିଜେଡି କର୍ମୀମାନେ ନଷ୍ଟ କରିଦେଇଥିଲେ ।  ଅନୁ୍ୟନ୍ୟ ୫୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀମାନେ ତାଙ୍କର ପନିପରିବାକୁ ନଷ୍ଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କ ନାମରେ ଯାଜପୁର ଟାଉନ ଥାନାରେ ଗୋବିନ୍ଦ ଚନ୍ଦ୍ର ସାହୁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ ବିଜେଡି କର୍ମୀ ଓ ନେତାଙ୍କ ସହିତ ସ୍ଥାନୀୟ ବ୍ୟବସାୟୀ ଚାଷୀମାନଙ୍କର ବାତବିତଣ୍ଡା ବହୁ ସମୟ ଧରି ଚାଲୁ ରହିଥିଲା । ଖବର ପାଇ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନ୍ଗୋ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା, ଯାଜପୁର ଥାନାଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଯାଜପୁର ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ପ୍ରମୁଖ ପହଁଚି ଚାଷୀମାନଙ୍କୁ ବୁଝାସୁଝା କରି ସେଠାରୁ ବିଦା କରିଥିଲେ । ଉପରିସ୍ଥ ଅଧିକାରୀଙ୍କ ସହ କଥାହୋଇ ପରବର୍ତି ନିଷ୍ପତି ନିଆଯିବ ବୋଲି ଚାଷୀ, ବ୍ୟବସାୟୀ ଏବଂ ବିରୋଧିକାରୀଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ୫ପ୍ଲାଟୁନ୍ ପୁଲିସ ପହଁଚି ଥିବାବେଳେ ୧ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇ ରହିଛନ୍ତି । ଏହା ଆଗକୁ କି ପ୍ରକାର ମୋଡ ନେବ ସେଥି ନିମନ୍ତେ ଚାଷୀ ଓ ବ୍ୟବସାୟୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।