ରାଜନୀତିରେ ଏମାନେ ବି ଚର୍ଚ୍ଚାରେ...
ଭୁବନେଶ୍ୱରରୁ ବିଜୟ କୁମାର ଖୁଣ୍ଟିଆ
ଗଣତନ୍ତ୍ରର ମହାନପର୍ବ ନିର୍ବାଚନ ଋତୁ ଏବେ ଚାଲୁ ରହିଛି । ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି କଡ୍ଡା ଟକ୍କର । ସବୁଠୁ ବଡ କଥା ହେଲା ନିଜର ସ୍ଥିତି ସୁଦୃଢ ଓ ଫାଇଦା ପାଇଁ ଅନେକ ନେତା ଏଥର ଦଳ ବଦଳ କରିଛନ୍ତି । ତେବେ ବର୍ତ୍ତମାନର ନିର୍ବାଚନ ବ୍ୟୟ ବହୁଳ ହୋଇଥିବା ବେଳେ ପ୍ରମୁଖ ଦଳକୁ ଛାଡି ଛୋଟମୋଟ ଦଳରୁ ଓ ସ୍ୱାଧୀନ ଭାବେ ବହୁ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପଞ୍ଚାୟତସ୍ତରୀୟ ନିର୍ବାଚନକୁ ଛାଡି ଦେଲେ ସ୍ୱାଧୀନ ଭାବେ ବିଧାୟକ ଓ ସାଂସଦ ପ୍ରାର୍ଥୀ ସେତେଟା ସଫଳତା ପାଇବା କମ ନଜିର ରହିଛି । ତେବେ ଏଠି କିଏ ଜିତିବାକୁ ନିର୍ବାଚନ ଲଢୁଥିବା ବେଳେ କିଏ ହାରିବା ନିଶ୍ଚିତ ଜାଣି ମଧ୍ୟ ନିର୍ବାଚନ ଲଢି ଥାଆନ୍ତି । ଏପରିକି ଏମାନେ ଅମାନତ ହରାନ୍ତି ସିକୁ୍ୟରିଟି ଟଙ୍କା ମଧ୍ୟ ହରାଇଥାନ୍ତି । ତେଣୁ ରାଜନୀତିରେ କି ମହୁ ରହିଛି ତାହା ସେମାନେ ହିଁ ଜାଣନ୍ତି । ଏମିତି କିଛି ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଆମର ଏହି ପ୍ରତିବେଦନ ।
ବେଣୁଧର ବାରିକ
୮୪ ବର୍ଷୀୟ ବେଣୁଧର ବାରିକ ଏଥର ମଧ୍ୟ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଏହାପୂର୍ବରୁ ୨୦୨୦ ମସିହା ଉପ ନିର୍ବାଚନରେ ବେଣୁଧର ଏଠାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ହାରିଥିଲେ । ସେତେବେଳେ ସେ ମାତ୍ର ୧୨୫୫ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ । କିନ୍ତୁ ତାଙ୍କର ଧୋତି ଓ କାମିଜି ପିନ୍ଧା ସରଳ ଚେହେରା ସହ ସାଇକେଲରେ ବୁଲି ନିର୍ବାଚନ ପ୍ରଚାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କ କହିବା କଥା ସେ ଏବେ ମଧ୍ୟ ସୁସ୍ଥ ଓ ସବଳ ଅଛନ୍ତି । ଲୋକମାନେ ସେ ନିର୍ବାଚନ ଲଢୁନ୍ତୁ ବୋଲି ଚାହିଁନ୍ତି ବୋଲି କୁହନ୍ତି ସହଦେବଖୁଣ୍ଟା ଥାନା ଗୁଡିପଡା ଗ୍ରାମର ବେଣୁଧର । ସେ ସ୍କୁଲ ମାଟି ମାଡିନଥିବା ବେଳେ ଏଥର ସାଇକେଲ ଧରି ଗାଁ ଗାଁ ବୁଲି ପ୍ରଚାର କରିବେ ବୋଲି କୁହନ୍ତି । ସମାଜରେ ଥିବା ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ତାଙ୍କର ଏ ଲଢେଇ । ମୁଁ ଜାଣେ ନିର୍ବାଚନରେ ହାରିବି । ତଥାପି ଆଶା ହରାଇ ନାହିଁ । ଯଦି ଜିତେ ତାହାଲେ ମୌଳିକ ଆବଶ୍ୟକତା ଉପଯୁକ୍ତ ଗମନାଗମନ, ସ୍ୱଚ୍ଛ ପିଇବା ପାଣି, ସ୍ୱାସ୍ଥ୍ୟ ଓ ଗରିବ ଲୋକଙ୍କ ରୋଜଗାରରେ ଉନ୍ନତି ଆଣିବି ବୋଲି କୁହନ୍ତି ବେଣୁଧର । ସିକୁ୍ୟରିଟି ଜମା ପାଇଁ ସେ ତାଙ୍କ ସମର୍ଥକଙ୍କ ନିକଟରୁ ଧାରରେ ଟଙ୍କା ଆଣିଥାନ୍ତି । ସତ୍ୟପାଠରେ ତାଙ୍କର ପାନ କାର୍ଡଟିଏ ନଥିବା ବେଳେ କୌଣସି ସ୍ଥାବର କି ଅସ୍ଥାବର ସମ୍ପତ୍ତି ନଥିବା ଦର୍ଶା ଯାଇଛି ।
ବ୍ୟୋମକେଶ ତ୍ରିପାଠୀ
୪୪ ବର୍ଷୀୟ ବ୍ୟୋମକେଶ ତି୍ରପାଠୀ ଭୁବନେଶ୍ୱର ଉତ୍ତରରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ସେ ଜଣେ ସମାଜସେବୀ ଓ ଆଇନଜୀବୀ ଭାବେ ପରିଚିତ । ତାଙ୍କର ଆଉ ଏକ ପରିଚୟ ହେଲା ସେ ବଲିଉଡ ଅଭିନେତା ପୀତବାସ ତ୍ରିପାଠୀଙ୍କ ବଡ ଭାଇ । ମହିଳା କମିଶନ ଭଳି ଓଡିଶାରେ ପୁରୁଷ କମିଶନ ପ୍ରତିଷ୍ଠା ପାଇଁ ସେ ଏହି ନିର୍ବାଚନ ଲଢୁଥିବା କୁହନ୍ତି । ଖାଲି ମହିଳାମାନେ ନୁହଁନ୍ତି ପୁରୁଷମାନେ ବି ନିର୍ଯାତନାର ଶିକାର ହେଉଛନ୍ତି । ପୁରୁଷଙ୍କ ନାମରେ ମିଛ ଫୌଜଦାରୀ ମାମଲା ମଧ୍ୟ ରୁଜୁ କରାଯାଉଛି । ୨୦୦୯ରେ ସେ ମଧ୍ୟ ମିଛ ଯୌନ ନିର୍ଯାତନା ମାମଲାର ଶିକାର ହୋଇଥିଲେ । ପରେ କିନ୍ତୁ ସେ ନିଦେ୍ର୍ଦାଶରେ ଖଲାସ ହୋଇଥିଲେ । ତେଣୁ ୨୦୧୧ ମସିହାରୁ ସେ ନିର୍ଯାତିତ ପୁରୁଷଙ୍କ ପାଇଁ ଆଇନଗତ ଲଢେଇ ଜାରି ରଖିଛନ୍ତି । ସେ ତାଙ୍କ ବାଇକ ମାଧ୍ୟମରେ ଘର ଘର ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି ।
ସନାତନ ବେହେରା
୭୩ ବର୍ଷୀୟ ସନାତନ ବେହେରା ଭୁବନେଶ୍ୱର ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ସେ ୧୯୮୫ରେ ପ୍ରଥମେ ସ୍ୱାଧୀନ ଭାବେ ଲଢିଥିଲେ । ଏହାପରେ ବିଏସପି ଓ ଆରଜେଡି ଟିକେଟରେ ତିନିଥର ନିର୍ବାଚନ ଲଢିଛନ୍ତି । ସେ ଜଣେ ସମାଜସେବୀ ଭାବେ ବେଶ ପରିଚିତ । ସେ ନୟାପଲ୍ଲୀ ଦୁର୍ଗା ପୂଜା କମିଟିର ଜଣେ ବରିଷ୍ଠ ସଦସ୍ୟ ହୋଇଥିବା ବେଳେ ବସ୍ତିବାସିନ୍ଦାଙ୍କ ହକ ପାଇଁ ଲଢିବା, ବୁଲା ଗାଈଗୋରୁ ଓ କୁକୁରଙ୍କ ସେବା କରିବା ତାଙ୍କର ନିତିଦିନିଆ କାମ । ସେ ମଧ୍ୟ ପଛୁଆବର୍ଗ ଜାତୀୟ କମିଶନ, ଓବିସି କମିଶନ, ରାଷ୍ଟ୍ରୀୟ ଗୋ-ବଂଶ ଆୟୋଗର ଜଣେ ସଦସ୍ୟ । ତାଙ୍କ ଉଦ୍ୟମରେ ପଟିଆ କଲେଜ, ଦେବରାୟ କଲେଜ, ବିଜୁ ପଟ୍ଟନାୟକ କଲେଜ ଓ କସ୍ତୁରବା ମହିଳା ଆଇନ କଲେଜ ପ୍ରତିଷ୍ଠା ହୋଇଛି । ଯଦି ସେ ଜିତନ୍ତି ଯାହା ଅନ୍ୟମାନେ କରି ନାହାନ୍ତି ତାହାଠୁ ଅଧିକ କିଛି କରି ଦେଖାଇବେ ବୋଲି କୁହନ୍ତି ସନାତନ । ତାଙ୍କ ହାତରେ ରହିଛି ମାତ୍ର ୬୦ ହଜାର ଟଙ୍କା ।
ଶୋଭା ପାଣ୍ଡେ
କଟକ ବାସିନ୍ଦା ଶୋଭା ପାଣ୍ଡେ(୫୦) ୪ଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେ ସ୍ୱାଧୀନ ଭାବେ କଟକ ଓ ପୁରୀ ଲୋକସଭା, ବାରବାଟୀ-କଟକ ଓ ଚୌଦ୍ୱାର-କଟକ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସ୍ୱାମୀ ଶ୍ରୀରାମ ପାଣ୍ଡେଙ୍କ କହିବା କଥା, ତାଙ୍କ ସ୍ତ୍ରୀ କଟକ ଲୋକସଭା ଆସନ ପାଇଁ ବିଜେଡି ଟିକେଟ ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା । ତେଣୁ ସେ ତାଙ୍କ ସ୍ତ୍ରୀ ପାଇଁ ଏପରି ପଦକ୍ଷେପ ନେବା ସହ ତାଙ୍କ ପାଖରେ ବି ନିର୍ବାଚନ ଲଢିବାକୁ ସେତିକି ସମ୍ବଳ ଅଛି ବୋଲି ତାହା ଦେଖାଦେଇଛନ୍ତି । ଶ୍ରୀରାମ ଜଣେ ହୋଟେଲ ବ୍ୟବସାୟୀ ।
ଜ୍ଞାନେନ୍ଦ୍ର ବେହେରା
ଝାରସୁଗୁଡା ଜିଲ୍ଲାର ବାସିନ୍ଦା ଜ୍ଞାନେନ୍ଦ୍ର ବେହେରା (୪୬) ମଧ୍ୟ ତିନୋଟି ଆସନରୁ ଲଢୁଛନ୍ତି । ସେ ବରଗଡ ଓ ସମ୍ବଲପୁର ଲୋକସଭା ଏବଂ ବିଧାନସଭା ଆସନ ପାଇଁ ୪ଟି ନାମାଙ୍କନ ଦାଖଲ କରିଥିଲେ । ସମ୍ବଲପୁର ବିଧାନସଭା ଆସନ ନାମାଙ୍କନପତ୍ର ରଦ୍ଦ ହୋଇଯାଇଛି । ସେ ତିନୋଟି ଆସନରୁ ଏବେ ନିର୍ବାଚନ ଲଢୁଛନ୍ତି । ତେବେ ଲୋକ ପ୍ରତିନିଧି ଆକ୍ଟ, ୧୯୫୧ ଅନୁଯାୟୀ ଜଣେ ପ୍ରାର୍ଥୀ ସର୍ବାଧିକ ଦୁଇ ଲୋକସଭା ଓ ଦୁଇ ବିଧାନସଭା ଆସନରୁ ଲଢିପାରିବେ । ଲୋକସଭା ପାଇଁ ସିକୁ୍ୟରିଟି ଜମା ୨୫ ହଜାର ଥିବା ବେଳେ ବିଧାନସଭା ପାଇଁ ୧୦ ହଜାର ଟଙ୍କା ରହିଛି । ଯଦି ଜଣେ ପ୍ରାର୍ଥୀ ଆବଶ୍ୟକ ସଂଖ୍ୟକ ଭୋଟ ନପାଆନ୍ତି ତାହାହେଲେ ତାଙ୍କ ଜମାରାଶି ହରାଇବାକୁ ପଡିଥାଏ ।
ସୁକାନ୍ତ ଘଡେଇ
ଚା' ବିକାଳିରୁ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ନରେନ୍ଦ୍ର ମୋଦିଙ୍କ ଯାତ୍ରାରେ ଅନୁପ୍ରାଣୀତ ହୋଇ ୨୬ ବର୍ଷୀୟ ଚା' ବିକାଳି ସୁକାନ୍ତ ଘଡେଇ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ସେ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ଏହି ଲଢେଇ ଦୁର୍ନୀତି ଓ ଦାରିଦ୍ର୍ୟ ବିରୋଧରେ ବୋଲି ସେ କୁହନ୍ତି । ସେ ଜାଣିଛନ୍ତି ସେ ନିର୍ବାଚନରେ ହାରିବେ ଓ ସିକୁ୍ୟରିଟି ଟଙ୍କା ମଧ୍ୟ ହରାଇବେ । କିନ୍ତୁ ସେ ଦୁର୍ନୀତି ଓ ଦାରିଦ୍ର୍ୟ ବିରୋଧରେ ଲଢେଇ ଜାରି ରଖିବେ । ସୁକାନ୍ତଙ୍କ ଘର ବ୍ରହ୍ମଗିରି କରିମପୁର ଗାଁରେ ହୋଇଥିବା ବେଳେ ତିନି ବର୍ଷ ହେଲା ବ୍ରହ୍ମଗିରିରେ ଚା ଷ୍ଟଲ କରିଛନ୍ତି । ସେ ନବମ ଶ୍ରେଣୀ ଯାଏ ପଢିଥିବା ବେଳେ ତାଙ୍କର କିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନଥିôବା ସତ୍ୟପାଠରେ ଦର୍ଶାଇଛନ୍ତି ।
ମିନତୀ ପଟ୍ଟନାୟକ
କଟକ ସୂତାହାଟର ମିନତୀ ପଟ୍ଟନାୟକ(୬୪) କଟକ ଲୋକସଭା ଆସନରୁ ସମୃଦ୍ଧ ଓଡିଶାରୁ ପ୍ରାର୍ଥୀ ହୋଇଛନ୍ତି । ୨୦୨୧ ମସିହାରେ ଜଣେ ରିକ୍ସା ଚାଳକଙ୍କୁ ତାଙ୍କର ୧ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଚର୍ଚ୍ଚାରେ ଥିଲେ ମିନତୀ । ୨୦୨୦ ମସିହାରେ ସେ ତାଙ୍କ ସ୍ୱାମୀଙ୍କୁ ହରାଇଥିବା ବେଳେ ୨୦୨୧ ମସିହାରେ ତାଙ୍କର ଏକମାତ୍ର ଝିଅକୁ ସେ ହରାଇଛନ୍ତି । ତାଙ୍କ ପରିବାରରେ ଆଉ କେହି ନଥିବାରୁ ୧୯୯୪ ମସିହାରୁ ତାଙ୍କୁ ରିକ୍ସାରେ ସେବା ଯୋଗାଇ ଆସୁଥିବା ବୁଢା ସାମଲ ଓ ତାଙ୍କ ପରିବାର ଏବେ ସବୁକିଛି ପାଲଟି ଯାଇଛନ୍ତି । ସେ ଯଦି ଆଜି ଖୁସିରେ ବଞ୍ଚô ପାରୁଛନ୍ତି ସେଥିପାଇଁ ବୁଢା ସାମଲ ଓ ତାଙ୍କ ପରିବାର ବୋଲି ସେ କୁହନ୍ତି । କଲେଜ ସମୟରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିବା ବେଳେ ସେ ସୁଯୋଗ ପାଇ ପାରୁନଥିଲେ । ଏବେ ୧୯୭୯ ବ୍ୟାଚ ଓଡିଆ କ୍ୟାଡରର ଆନ୍ଧ୍ରପ୍ରଦେଶ ଆଇଏଏସ ଅଫିସର ଯତୀଶ ଚନ୍ଦ୍ର ମହାନ୍ତି ଚାକିରି ଛାଡି ସମୃଦ୍ଧ ଓଡିଶା ପାର୍ଟି ଗଠନ କରି ତାଙ୍କୁ ରାଜନୀତିରେ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ସେ ଯଦି ସେ ଜିତନ୍ତି ଜମି ସମସ୍ୟା ଓ ବେକାରୀ ସମସ୍ୟାକୁ ଦୂର କରିବାରେ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ମିନତୀ ।
ଡିମିରୁ ମାଝୀ
ଭୁବନେଶ୍ୱର ଉତ୍ତରରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ଡିମିରୁ ମାଝୀ(୭୨) । ଡିମିରୁ ଜଣେ ରାସ୍ତାକଡର ବେପାରୀ ହୋଇଥିବା ବେଳେ ଚାଉଳ ଓ ପରିବା ବିକ୍ରି କରି ଚଳନ୍ତି । ନୀଳାଦ୍ରିବିହାର ଶନି ମନ୍ଦିର ବସ୍ତିରେ ରୁହନ୍ତି ଡିମିରୁ । ସରକାର ଓ ନିର୍ବାଚିତ ଲୋକପ୍ରତିନିଧି ଆମ ଭଳି ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପ୍ରତି ସେପରି କିଛି ଆଖି ଦୃଶିଆ ଉନ୍ନତି କରିନାହାନ୍ତି । ଆମ ପିଲାମାନେ ଅର୍ଥ ଅଭାବରୁ ଶିକ୍ଷାରୁ ବଞ୍ଚôତ ହେଉଥିବା ବେଳେ ବଞ୍ଚôବା ପାଇଁ ଆମେ ଏବେ ବି ସଂଘର୍ଷ କରୁଛୁ । ଯଦି ମୁଁ ନିର୍ବାଚନରେ ଜିତେ ଯେଉଁ ବସ୍ତି ପିଲାମାନେ ଅଧାରୁ ପାଠ ଛାଡି ଥିବେ ତାଙ୍କୁ ଖୋଜି ବାହାର କରିବି ସେମାନଙ୍କୁ ମାଗଣାରେ ପାଠ ପଢାଇବି ବୋଲି କୁହନ୍ତି ଡିମିରୁ ମାଝୀ ।