ଦେବାଶିଷ, ମୁନାଙ୍କ ପରେ ଅତନୁ କହିଲେ ନବୀନ ହେବେ ମୁଖ୍ୟମନ୍ତ୍ରୀ
Naveen Patanaik, Odisha
ଭୁବନେଶ୍ୱର : ‘ବିଜେଡ଼ିର ୫୧ । କଂଗ୍ରେସର ୧୪ । ସ୍ୱାଧୀନ ୩ । ଆଉ ୮/୧୦ ବିଧାୟକ ଦରକାର । ଏତକ ବି ହୋଇଯିବ । ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ ।’ ବିଜେଡ଼ି କାହାଣୀ ପେଡିରୁ ଏମିତି ଗପ ଶୁଣାଇ କର୍ମୀଙ୍କୁ ବୁଝାଇଛନ୍ତି ଅତନୁ ସବ୍ୟସାଚୀ ନାୟକ । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ କଂଗ୍ରେସ ସହ ମେଣ୍ଟ ନେଇ ଅତନୁ ସଂକେତ ଦେଇଛନ୍ତି । କଂଗ୍ରେସ ପାଇଁ ବିଜେଡ଼ିର ଏହି ଉଛୁଳା ପ୍ରେମକୁ ନେଇ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେବା ସ୍ୱାଭାବିକ ।
କଂଗ୍ରେସ ସହ ମେଣ୍ଟକୁ ନେଇ ଦେବାଶିଷ ସଂକେତ ଦେବା ପରେ ଦଳ ପକ୍ଷରୁ ତାଙ୍କୁ ତାଗିଦ୍ କରାଯାଇଥିଲା । ଶେଷକୁ ନିଜସ୍ୱ ମନ୍ତବ୍ୟ କହି ଦେବାଶିଷ ଦୋଷ ଛଡ଼ାଇ ଦେଇଥିଲେ । ଦେବାଶିଷଙ୍କ ମନ୍ତବ୍ୟକୁ ଶାଣିତ ଭାବେ କାଉଣ୍ଟର କରିଥିଲେ ମହମ୍ମଦ ମୋକିମ୍ । ହେଲେ ଆଜି ଅତନୁ କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ସହ ମେଣ୍ଟ ହେବବୋଲି କହିଛନ୍ତି । ବିଜେଡ଼ି କେତେ ଅସହାୟ ହୋଇଯାଇଛି ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି । ଯେଉଁ କଂଗ୍ରେସକୁ ହଟାଇବା ପାଇଁ ଦିନେ ବିଜେଡ଼ି ଗଢ଼ା ହୋଇଥିଲା ଏବେ କ୍ଷମତା ପାଇଁ ସେଇ କଂଗ୍ରେସର ହାତ ଧରିବାକୁ ଦଳ ହାଇଁପାଇଁ ହେଉଛି ।
୨୪ ବର୍ଷ, ମାନେ ଦୁଇ ଯୁଗ ଶାସନ କ୍ଷମତାରେ ରହିଥିବା ବିଜେଡ଼ିର କିନ୍ତୁ କ୍ଷମତା ହ୍ୟାଙ୍ଗଓଭର ଯାଇନି । କ୍ଷମତା ଲଡୁ ପାଇଁ ଏବେବି ବିଜେଡ଼ି ନେତାମାନେ ବାଡେ଼ଇ ଛାଟି ହେଉଛନ୍ତି । ଯେଉଁଥିପାଇଁ ଆଈମା’ କାହାଣୀ ଆରମ୍ଭ କରିଦେଇଛନ୍ତି ।
ଅବଶ୍ୟ ଏଥିପାଇଁ ଦେବାଶିଷ କି ଅତନୁ ଦାୟୀ ନୁହଁନ୍ତି । ପୁଣିଥରେ ଆମେ ସରକାର ଗଢ଼ିବା ବୋଲି ବାସ୍ତବରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ସଂକେତ ଦେଇଥିଲେ । ଦଳର ପରାଜୟ ପରେ ନବୀନ ନେତାମାନଙ୍କୁ କହିଥିଲେଯେ, କେନ୍ଦ୍ରରେ ଓ ରାଜ୍ୟରେ ଯେଉଁ ସରକାର ରହିଛି, ତାହା ସଂଖ୍ୟାଗରିଷ୍ଠତାରୁ ଅଳ୍ପ କିଛି ଅଧିକ । ତେଣୁ ବ୍ୟସ୍ତ ନହୋଇ ସଂଗଠନକୁ ମଜବୁତ୍ କର । ଅର୍ଥାତ୍ ଯେକୌଣସି ସମୟରେ ରାଜନୀତିକ ଅସ୍ଥିରତା ସୃଷ୍ଟି ହେବ ଏବଂ ବିଜେଡ଼ି ଫାଇଦା ନେବବୋଲି ନବୀନ କହିଥିଲେ ।
ତେବେ ମାତ୍ର ୫ ମାସ ହେଲା କ୍ଷମତାରୁ ବିତାଡ଼ିତ ହୋଇଥିଲେବି ପଛ ଦରଜା ଦେଇ ସରକାର ଗଢ଼ିବାକୁ ବିଜେଡ଼ିର ଏଭଳି ଉଦ୍ୟମ ପଛରେ ରହସ୍ୟ କ’ଣ ? ସତରେ କ’ଣ ବିଜେପିରେ ଅମିତ୍ ଶାହାଙ୍କ ଭଳିଆ ରଣନୀତିକାର ଥାଉଥାଉ ବିଜେଡ଼ି ରାଜ୍ୟରେ ଅପରେସନ୍ ଲୋଟସ କରିଦେବ ? ଏହାର ପଦିଏ ଉତ୍ତର ହେଉଛି ‘ନାଁ’ । କାହିଁକିନା ବିଜେଡ଼ି ଏଭଳି ଚିନ୍ତା କରିବା ମାତ୍ରେ ଇଡ଼ି ଓ ସିବିଆଇ ଘାଣ୍ଟିବା ଥୟ । ଏମିତିବି ବିଜେଡ଼ିର ନେତାମାନେ ଧୁଆ ତୁଳସୀ ନୁହଁନ୍ତିଯେ, ସେମାନେ ଡରିବେନି । ହେଲେ ବିଜେଡ଼ିର ସବୁଠାରୁ ବଡ଼ ସମସ୍ୟା ହେଉଛି, ଦଳରେ ଏବେ ବିଶ୍ୱାସ ସଂକଟ ସୃଷ୍ଟିହୋଇଛି । ନବୀନଙ୍କ ପରେ ଦଳ ତାସମୁଠା ଭଳି ଭୁଷୁଡ଼ିଯିବ ବୋଲି ଏକ ଧାରଣା ତିଆରି ହୋଇସାରିଲାଣି । ଦୁଇ ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିକୁ ଯିବା ପରେ ତୃଣମୂଳସ୍ତରର କର୍ମୀମାନେ ହତୋତ୍ସାହିତ ହୋଇଗଲେଣି । ନଭେମ୍ବରରୁ ନବୀନ ସାରା ରାଜ୍ୟ ବୁଲିବେ ବୋଲି କହିଥିଲେ । କିନ୍ତୁ ଏଯାଏଁ ନବୀନ କେଉଁଦିନ କୁଆଡେ଼ ଯିବେ ସେନେଇ କିଛି ସୋର ଶବ୍ଦ ବି ନାହିଁ । କର୍ମୀଙ୍କ ମଧ୍ୟରେ ବିଶ୍ୱାସ ସଂକଟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ମାମଲତକାରମାନଙ୍କର ନିଦ ହଜାଇ ସାରିଲାଣି ।
ଏମିତିବି ତୃଣମୂଳସ୍ତରର ନେତାମାନେ ଧିରେଧିରେ ବିଜେଡ଼ିକୁ ବାଏବାଏ କହି ପଦ୍ମପୋଖରୀରେ ବୁଡ଼ ମାରିଲେଣି । ପୂର୍ବତନ ବିଧାୟକମାନେ ବି ଆଉ ଶଙ୍ଖ ନଫୁଙ୍କି ଫୁଲ ଧରିବାକୁ ପସନ୍ଦ କରୁଛନ୍ତି । ଏମିତି ସ୍ଥିତିରେ କଂଗ୍ରେସ ସହ ମେଣ୍ଟ କଥା କହି ବିଜେଡ଼ି ନେତାମାନେ ନକରାତ୍ମକ ବାର୍ତ୍ତା ଦେଉଛନ୍ତି । ଦିନେ ଯେଉଁ ନବୀନ ଆଡ଼ଭାନୀ ଓ ମୋଦିଙ୍କୁ ଖାତିର କରୁନଥିଲେ, ବିଜେପି ସହ ମିଶିବାକୁ ବାରବାର ଅଫରକୁ ପ୍ରତ୍ୟାଖ୍ୟାନ କରୁଥିଲେ ଏବେ ସେଇ ନବୀନ କଂଗ୍ରେସ ସହ ମେଣ୍ଟ ପାଇଁ ଏତେ ଆଗ୍ରହୀ କାହିଁକି । ତା’ମାନେ ଆଉ କ’ଣ ବିଜେଡ଼ି ଏକାକୀ ଲଢ଼ି ଜିତିପାରିବ ବୋଲି ସାହାସ କୁଳେଇପାରୁନି କି ? ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ ?