ବଢୁଛି ନିର୍ବାଚନ ତାତି , ସରଗରମ ସାରସକଣା ରାଜନୀତି

ବଢୁଛି ନିର୍ବାଚନୀ ତାତି । ଗାଁ ହେଉକି ସହର ସବୁଠି ରାଜନୈତିକ ଉଷ୍ଣତା । କୌଣସି ଦଳ ପଛରେ ନାହାଁନ୍ତି, ନିଜ ନିଜର ସ୍ୱତନ୍ତ୍ର ରଣକୌଶଳକୁ ନେଇ ରଣଭୂମିକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ମାନେ । ସାରସକଣା ନିର୍ବାଚନ ମଣ୍ଡଳୀର ରାଜନୀତି ମଧ୍ୟ ବେଶ ଚର୍ଚ୍ଚାରେ ରହିଛି । ସବୁଠାରୁ ହାଇ ଭୋଲ୍ଟେଜ ରହିଥିବା ବିଜେଡି ଦଳ, ଚଳିତ ନିର୍ବାଚନ ପାଇଁ, ସାରସକଣା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଭାବେ ଡ.ଦେବାଶିଷ ମାରାଣ୍ଡୀଙ୍କୁ ଟିକେଟ ଦେଇଛି । ଡ.ଦେବାଶିଷ ମାରଣ୍ଡୀ ୨୦୧୪ ମସିହାରେ ଜେଏମଏମ ଦଳରୁ ଟିକେଟ ନେଇ ମୟୁରଭଞ୍ଜ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜୟ ହୋଇଥିଲେ । ପରେ ବିଜେଡି ଦଳର ସୁପ୍ରିମୋ ଦେବାଶିଷଙ୍କୁ ନିଜ ଦଳରେ ସାମିଲ କରିଥିଲେ । ୨୦୧୯ ନିର୍ବାଚନରେ ପୁଣି ଦେବାଶିଷ ମାରାଣ୍ଡି ବିଜେଡ଼ି ଟିକେଟରେ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଲଢ଼ିଥିଲେ ହେଲେ ପୁନର୍ବାର ଦେବାଶିଷ ବିଜେପି ହାତରେ ପରାସ୍ତ ହୋଇଥିଲେ । ତେବେ ୨୦୧୪ ନିର୍ବାଚନ ପରଠାରୁ ଲଗାତାର ଦୁଇ ଦୁଇଥର ସରକାରରେ ଦେବାଶିଷଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ବିଜେଡି ସ୍ଥାନିତ କରିଥିଲା । ୨୦୧୯ ନିର୍ବାଚନରେ ମୋଦି ଲହର ପରେ ମଧ୍ୟ, ବିଜେଡି ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା ଦେବାଶିଷ ପୁଣି ୨୦୨୪ରେ ସାଂସଦ ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ । ହେଲେ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ଶେଷ ସମୟରେ ଦେବାଶିଷଙ୍କୁ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପ୍ରଦାନ କରିଛନ୍ତି । ଏହାପରେ କର୍ମୀ ମହଲରେ ବେଶ ଉସôାହ ଦେଖିବାକୁ ମିଳିଛି । ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଏବେ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ଭାବେ ମୈଦାନ କୁ ଓହ୍ଲାଇଛନ୍ତି ବିଜେପିର ପ୍ରାର୍ଥୀ ଭାଦବ ହାଁସଦା । ଭାଦବ ହାଁସଦା ସାରସକଣା ରୁ ୨୦୧୪ରେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ବିଧାୟକ ଥିବା ସମୟରେ ଭାଦବ ହାଁସଦାଙ୍କ ଉଦ୍ୟମ ଫଳରେ ନିର୍ବାଚନ ମଣ୍ଡଳର ସର୍ବାଧିକ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା । ୨୦୨୪ନିର୍ବାଚନ ରେ ଟିକେଟ ପାଇଁ ଭାଦବ ଲଗାତାର ଉଚ୍ଚସ୍ତରୀୟ ନେତାଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା, କୁଚକ୍ରିଙ୍କ ପାଇଁ ପୁଣି ତାଙ୍କୁ ଟିକେଟରୁ ବଞ୍ଚିତ କରିବାକୁ ଯୋଜନା ଚାଲିଥିବା ଶୁଣି ଭାଦବ ହାଁସଦା ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ବିଜେପି ମଧ୍ୟ ତାଙ୍କ ନେତୃତ୍ୱକୁ ଭରସା କରି ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ବିଜେପି କିନ୍ତୁ ବିଜେଡି ଠାରୁ ସମ୍ପୂର୍ଣ୍ଣ ଅଲଗା ଭାବେ ନିଜର ରଣନୀତି କରି ୨୦୨୪ ନିର୍ବାଚନ ପାରି ହେବାପାଇଁ  ମଇଦାନକୁ ଓହ୍ଲାଇଛି । ବିଜେପିର ସାଂସଦ ପ୍ରାର୍ଥୀ ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ଟିକେଟ ଦିଆଯାଇଥିବା ବେଳେ, ପ୍ରାୟତଃ ସ୍ଥାନରେ ଉଭୟେ ଭାଦବ ହାଁସଦା ଓ ନବଚରଣ ମାଝୀ ମିଳିତ ଭାବେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରଚାର ଓ ସଭାରେ ଦେଖିବାକୁ ମିଳିଛନ୍ତି । 
୨୦୨୪ର ଏହି ତ୍ରିମୁଖୀ ଲଢେଇରେ ଫାଇଦା ନେବାକୁ ଲକ୍ଷ ରଖି ମଇଦାନକୁ ଓହ୍ଲାଇଛି ଜାତୀୟ କଂଗ୍ରେସ । ଏହି ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଭାବେ କଂଗ୍ରେସ ଭରଷା କରିଛି, ଯୁବନେତା ରାମ କୁମାର ସୋରେନଙ୍କ ଉପରେ । ବିଗତ ୨୦୦୯ ମସିହା ଠାରୁ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟର ଦିନକୁ ଦିନ କ୍ରମାଗତ ଭାବେ କମିବାରେ ଲାଗିଛି । ଏବଂ ଆଖିଦୃଶିଆ ପ୍ରଭାବ ମଧ୍ୟ ନାହିଁ । ତେବେ ଚଳିତ ନିର୍ବାଚନରେ  କଂଗ୍ରେସ ଓ ଜେଏମେଏମ ମିଳିତ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ, ଜେଏମେଏମ ଦଳର ମୁଖ୍ୟ ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନ ହୋଇଛନ୍ତି ଲୋକସଭା ପ୍ରାର୍ଥୀନୀ ଏବଂ ଆସନ ବୁଝାମଣା ସହିତ କଂଗ୍ରେସ ତରଫରୁ ବିଧାନସଭା ପ୍ରାର୍ଥୀ ଭାବେ ରାମ କୁମାର ସରେନ ଙ୍କୁ ଆସନ ଦିଆଯାଇଛି । ଏବେ  ଉଭୟ ବିଜେଡି ଓ ବିଜେପି ସହିତ ଲଢ଼ିବା ପାଇଁ ରାମ କୁମାର ସରେନ ନିଜକୁ ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଯିବାକୁ ମନସ୍ଥ କରିଛନ୍ତି ।