ଲୋକସଭା ପ୍ରାର୍ଥୀଙ୍କୁ ବିରୋଧ କରି ସମୂହ ଇସ୍ତଫା

ଲୋକସଭା ପ୍ରାର୍ଥୀଙ୍କୁ ବିରୋଧ କରି ସମୂହ ଇସ୍ତଫା


କେନ୍ଦୁଝର: କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ମୋହନ ହେମ୍ବ୍ରମଙ୍କ ନାମ ଘୋଷଣା ହେବା ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏପରି ନିଷ୍ପତ୍ତିକୁ ବିରୋଧ କରାଯାଇଛି । ଜିଲ୍ଳା କଂଗ୍ରେସ କମିଟିକୁ ଅଣଦେଖା ଏବଂ ଅବହେଳା କରି ପିସିିସି ପକ୍ଷରୁ ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି ସଭାପତି ମୋହନ ପରିଡାଙ୍କ ସମେତ ଅନ୍ୟାନ୍ୟ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଆଜି ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୋହନ ପରିଡା ସୂଚନା ଦେଇଛନ୍ତି । ପିସିସି ତୁରନ୍ତ ଲୋକସଭା ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ ନ କଲେ କଂଗ୍ରେସର ଶୃଙ୍ଖଳିତ କର୍ମୀଭାବେ ରହି ଭୋଟ ଦେବୁ କିନ୍ତୁ ନିର୍ବାଚନରେ ସହଯୋଗ କରିବୁ ନାହିଁ । ଏପରିକି ଭୋଟର ହିସାବରେ ଉକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିବୁ ବୋଲି ବହୁ କାର୍ଯ୍ୟକର୍ତ୍ତା ଖୋଲାଖୋଲି ପ୍ରକାଶ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ମୋହନ ହେମ୍ବ୍ରମ କଂଗ୍ରେସ ସାଂସଦ ଟିକେଟ ପାଇବା ପରେ ପ୍ରଚାର କରିନଥିଲେ । ଫଳରେ ସେ ମାତ୍ର ୧ ଲକ୍ଷ ୨୮ହଜାର ୭୧୬ ଖଣ୍ଡ ଭୋଟ ପାଇଥିଲେ । ଟିକେଟ ପାଇ ପ୍ରଚାର ନ କରିବାରୁ କର୍ମୀଙ୍କ ମନୋବଳ ଭାଙ୍ଗି ଯାଇଥିଲା । ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ସଂଗଠନ ସହ ୫ ବର୍ଷ ଜଡିତ ନଥାଇ ହଠାତ୍ ପୁଣି ମୋହନ ହେମ୍ବ୍ରମ ଙ୍କ ନାମ ଘୋଷଣା ହେବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି । ଏହି ପ୍ରାର୍ଥୀତ୍ୱ କୁ ଖୋଲାଖୋଲି ବିରୋଧ ହେଉଛି । ଏଠାରେ ଯେଉଁମାନେ କଂଗ୍ରେସ ତୃଣମୂଳ ସଂଗଠନ ସହିତ ଜଡିତ ଅଛନ୍ତି, ସେମାନଙ୍କ ସମ୍ପର୍କରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୁପାରିଶ କରାଯାଇଥିଲା । ଏପରିକି ଇଂ ବିନୋଦ ନାଏକ ଏବଂ ଦେବେନ୍ଦ୍ର ନାଏକଙ୍କ ନାମ କଂଗ୍ରେସ କମିଟି ପକ୍ଷରୁ ପିସିସିକୁ ସୁପାରିଶ କରାଯାଇଥିଲା । ଜିଲ୍ଲା ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା ଏହି ଦୁଇ ନେତାଙ୍କ ନାମ ସୁପାରିଶ କରିଥିଲେ । ମାତ୍ର ଏସବୁ ସୁପାରିଶକୁ ଅଣଦେଖା କରି ସଂଗଠନ ସହିତ ଜଡିତ ନଥିବା ମୋହନ ହେମ୍ବ୍ରମଙ୍କ ନାମ ନାମ ଘୋଷଣା କରାଯାଇଛି । ଯାହାକି ଜିଲ୍ଲା କଂଗ୍ରେସ କମିଟିର ସବୁ କର୍ମକର୍ତ୍ତାଙ୍କୁ ବିସ୍ମିତ କରିଛି ।