ସୁଦାମଙ୍କୁ ନବୀନ, ନବଚରଣଙ୍କୁ ମୋଦି ଭରସା
ସାରସକଣାରୁ ମଳୟ କୁମାର ନାୟକ :
ଚଳିତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଅନ୍ତିମ ପର୍ଯ୍ୟାୟ ବାକି ରହିଛି । ଜୁନ ୧ରେ ଜନତା କରିବେ ନେତାଙ୍କ ଭାଗ୍ୟ ପରୀକ୍ଷା । ୨୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଉଭୟ ବାରିପଦା ଓ ରାଇରଙ୍ଗପୁରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ କ୍ଷମତା କେନ୍ଦ୍ର ରହିଥିବା ଭି.କାର୍ତ୍ତିକେୟନ ପାଣ୍ଡିଆନ ଆସି ପ୍ରଚାର କରି ଭୁବନେଶ୍ୱର ଫେରିଥିବା ବେଳେ, ମେ’ ୨୯ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଆସି ନିଜର ପ୍ରାର୍ଥୀଙ୍କ ପାଇଁ ଭୋଟ ନିବେଦନ କରିବା ସହିତ ପ୍ରଚାରରେ ସାମିଲ୍ ହେବେ ବୋଲି ଜଣାଯାଇଛି । ତେବେ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେପିରୁ ରାଇରଙ୍ଗପୁର ବିଧାୟକ ନବ ମାଝୀ ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ, ବିଜେଡିରୁ ବାଙ୍ଗିରୀପୋଷୀ ନିର୍ବାଚନମଣ୍ଡଳୀର ବିଧାୟକ ସୁଦାମ ମାରାଣ୍ଡି ନିର୍ବାଚନ ଲଢ଼ୁଛନ୍ତି ଲୋକସଭା ସାଂସଦ ଆସନରେ । ଲୋକସଭା ଆସନ ଉଭୟ ଦଳ ପାଇଁ ବିପଦପୂର୍ଣ୍ଣ ଅଟେ । ନବଚରଣ ମାଝୀ ରାଇରଙ୍ଗପୁର ଅଞ୍ଚଳରେ ଜଣାଶୁଣା ଥିଲେ ମଧ୍ୟ ଘାଟି ତଳେ ରହୁଥିବା ୪ଟି ନୀର୍ବଚନମଣ୍ଡଳୀରେ ନବଙ୍କ ସେମିତି ଗୋଟିଏ ପ୍ରଭାବ ନଥିଲା ।
ଅନ୍ୟପଟେ ସୁଦାମ ମାରାଣ୍ଡି ଜେଏମ୍ଏମ୍ ରାଜନୀତିରୁ ଆସିଥିବାରୁ ଜିଲ୍ଲାରେ ତାଙ୍କର ପ୍ରଭାବ ବହୁ ପୂର୍ବରୁ ରହିଛି । ଦଳକୁ ବାଦ୍ ଦେଲେ ମଧ୍ୟ ସୁଦାମଙ୍କ ବ୍ୟକ୍ତିଗତ ପକେଟ ଭୋଟ ରହିଛି । ହେଲେ ଅନ୍ୟ ଦିଗରୁ ଚିନ୍ତାକଲେ ଜଣାଯାଏ, ଯେ ୨୦୧୯ ନିର୍ବାଚନରେ ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିବା ବିଶେଶ୍ୱର ଟୁଡୁଙ୍କ ଦୁଇ ତିନୋଟି ନିର୍ବାଚନମଣ୍ଡଳୀ ଛାଡି ଦେଲେ ବହୁ ଲୋକ ତାଙ୍କୁ ଚିହ୍ନି ନଥିଲେ । ତଥାପି ବିଶେଶ୍ୱର ଟୁଡୁ ନରେନ୍ଦ୍ର ମୋଦିଙ୍କ ପ୍ରଭାବରେ ମୟୂରଭଞ୍ଜ ଲୋକସଭା ସାଂସଦ ହୋଇ ଜିତିଲେ ଏବଂ କେନ୍ଦ୍ରରେ ମନ୍ତ୍ରୀ ଭାବେ ଶେଷ ପର୍ଯ୍ୟନ୍ତ ରହିଥିଲେ । ତେବେ ଏଭଳି ସ୍ଥିତିରେ ବିଶେଶ୍ୱରଙ୍କ ଅପେକ୍ଷା ନବ ଚରଣ ମାଝୀଙ୍କ ବେଶ ପରିଚୟ ଅଛି ଜଣେ ବିଧାୟକ ଭାବେ । ଓଡ଼ିଶାରେ ଚଳିତ ନିର୍ବାଚନରେ ୨୦୧୯ନିର୍ବାଚନ ଅପେକ୍ଷା ବିଜେପିର ବହୁଳ ଭାବେ ଜନ ସମର୍ଥନ ବଢ଼ିଛି । ପୂର୍ବରୁ ନିରାଶ ରହୁଥିବା ବିଜେପି, ସମଗ୍ର ଓଡ଼ିଶାରେ ଭଲ ପ୍ରଦର୍ଶନ କରୁଛି । ଏଣୁ ଏହାର ପ୍ରଭାବ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ନିଶ୍ଚିତ ପଡ଼ୁଛି । କେନ୍ଦ୍ର ସରକାର ଜିଲ୍ଲାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦେଶର ସର୍ବୋଚ୍ଚ ଆସନରେ ରାଷ୍ଟ୍ରପତି ଭାବେ ବସାଇଛନ୍ତି । ଯାହାକି ଜିଲ୍ଲା ପାଇଁ ସୌଭାଗ୍ୟର ବିଷୟ ।
ଅନ୍ୟପକ୍ଷେ ସିଏଜି ଅଡ଼ିଟର ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ଏକ ଗୁରୁ ଦାୟିତ୍ୱରେ ରଖିଛନ୍ତି । ବିଶେଶ୍ୱର ଟୁଡୁଙ୍କୁ କେନ୍ଦ୍ରମନ୍ତ୍ରୀ କରି ଜିଲ୍ଲାବାସୀଙ୍କୁ ସମ୍ମାନ ଦେଇଛନ୍ତି । ଏହାର ପ୍ରଭାବ ଜିଲ୍ଲାରେ ପଡ଼ିବାର ଆଶା ରହିଛି । ଯାହାକି ସୁଦାମ ମାରାଣ୍ଡିଙ୍କ ବହୁ ଅଭିଜ୍ଞତା ସହିତ କଳ ବଳ କୌଶଳକୁ କାଟି ଦେବ ବୋଲି ଜିଲ୍ଲାବାସୀ ଆଲୋଚନା କାରୁଛନ୍ତି । ଏଣୁ ଦୁଇ ସାଂସଦ ପ୍ରାର୍ଥୀଙ୍କୁ ନିର୍ବାଚନ ସହଜ ହେବେନି । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ମାନଙ୍କ ସହିତ ଲୋକସଭା ପ୍ରାର୍ଥୀ ସୁଦାମ ମରାଣ୍ଡିଙ୍କୁ ଜିତାଇବାକୁ ନିବେଦନ କରି ଫେରିଥିବା ବେଳେ ଆସନ୍ତା ୨୯ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଜିଲ୍ଲାକୁ ଆସିବେ ତାହେଲେ ସବୁ ପ୍ରଭାବକୁ ସେ କାଟିଦେବେ ଏବଂ ପୁଣିଥରେ ଜିଲ୍ଲାରେ ବିଜେପି ସାଂସଦ ଜିତିବେ ବୋଲି ସବୁଠି ଚର୍ଚ୍ଚା ହେଉଛି । ଚଳିତ ନିର୍ବଚାନରେ ହାତୀ କାହା ଉପରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।