ରୋଇବା ପୂର୍ବରୁ ରକ୍ତରେ ବୁଡ଼ାଯାଏ ତଳି, ଜାଣନ୍ତୁ କାହିଁକି ?
ଧାନ ଓ ମାଣ୍ଡିଆ ତଳି ଉଠିବା ପରେ କୀଟପତଙ୍ଗ ଓ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ସହ ଭଲ ଉତ୍ପାଦନ ପାଇଁ ରାୟଗଡାର ଆଦିବାସୀ ପାଳନ କରନ୍ତି ମାଣ୍ଡିଆରାଣୀ । ରକ୍ତରେ ତଳିକୁ ବୁଡାଇ ଜମିରେ ରୋଇଲେ ଭଲ ଫସଲ ହେଉଥିବାର ବିଶ୍ୱାସରେ ଆଦିବାସୀମାନେ ପାଳନ କରନ୍ତି ଏଇ ନିଆରା ପର୍ବ ମାଣ୍ଡିଆରାଣୀ । କନ୍ଧ ଜନଜାତିର ଜନଶ୍ରୁତି ଅନୁସାରେ ଧାନ ହେଉଛି ରାଜା ଓ ମାଣ୍ଡିଆ ହେଉଛି ରାଣୀ । ଏହି ଦୁଇଟି ହେଉଛି ଜନଜାତିଙ୍କ ପ୍ରମୁଖ ଫସଲ ।
ମାଣ୍ଡିଆ ରାଣୀ ପାଇଁ ମାଣ୍ଡିଆ ତଳିକୁ ହାତରେ ଧରି ଘରକୁ ଫେରିଲା ପରେ ଇଷ୍ଟଙ୍କ ପାଖରେ ସ୍ଥାପନ କରନ୍ତି । ମାଣ୍ଡିଆ ତଳି ବିଲରୁ ଧରି ଆଣି ଗାଁରେ ପହଞ୍ଚିବା ପରେ ପୁରୁଷ ଓ ମହିଳାମାନେ ବାଜା ବଜଣା ସହ ତାଙ୍କୁ ସ୍ୱାଗତ କରନ୍ତି । ପରେ ପ୍ରତି ଘରେ କୁକୁଡା ବଳି ଦିଆଯାଉଥିବା ବେଳେ ଗାଁ ମୁଣ୍ଡ ଝାଙ୍କିିରି ପୀଠରେ ଦିଶାରୀ ପଶୁବଳି ଦେଇଥାଏ । ଦିଶାରୀ ଅପରାହ୍ନରେ ଗ୍ରାମବାସୀଙ୍କ ସହ ଝାଙ୍କିରି ପୀଠକୁ ଯାଏ । ଝାଙ୍କିରି ପୀଠରେ ପଶୁବଳି ଦେବା ପରେ ଦିଶାରୀ ଘର ଘର ବୁଲେ । ସେଠାରେ ଇଷ୍ଟ ନିକଟରେ ରଖାଯାଇଥିବା ତଳିକୁ ପୂଜା କରେ । ମନ୍ତ୍ର ପାଠ ସହ ମନ୍ତୁରା ଚାଉଳକୁ କୁକୁଡାକୁ ଖୁଆଇବା ପରେ କୁକୁଳା ବଳି ଦିଆଯାଏ । ବଳିରୁ ନିର୍ଗତ ରକ୍ତରେ ଧାନ ବା ମାଣ୍ଡିଆ ତଳିର ଚେରକୁ ବୁଡାଯାଏ । ଅପରାହ୍ନ ପରାମ୍ପରା: ରକ୍ତ ଭିଜା ତଳିକୁ ପୁଣି ଥରେ ଆଦିବାସୀମାନେ ନିଜ ନିଜ ଜମିରେ ନେଇ ପୋତିଥାନ୍ତି । ମୁଣ୍ଡିଆ ମାରି ଭଲ ଫସଲ କାମନା କରନ୍ତି । ଘରକୁ ଫେରିଲା ପରେ କୁକୁଡା ମାଂସରେ ପ୍ରସ୍ତୁତ ଭୋଗକୁ ପରିବାରର ସମସ୍ତ ସଦସ୍ୟ ଏକତ୍ର ମିଶି ଖାଇଥାନ୍ତି ।