ଶୀତରେ ସ୍ୱାସ୍ଥ୍ୟ ଶୃଙ୍ଖଳା
ଶୀତଦିନେ ଥଣ୍ଡା, କାଶ, ଶ୍ୱାସ, ହୃଦ୍ ସମସ୍ୟା, ଗଳାରେ ଯନ୍ତ୍ରଣା ହେବାର ଆଶଙ୍କା ଥାଏ । ଆପଣ ଯଦି ଏସବୁ ପ୍ରତି ଧ୍ୟାନ ନଦେବେ ତେବେ ତାହା ଗୁରୁତର ହୋଇପାରେ । ତେଣୁ ଶୀତଋତୁରେ ନିଜର ଉପଯୁକ୍ତ ଯତ୍ନ ନେଇ ସୁସ୍ଥ ରୁହନ୍ତୁ ।
ଆଲର୍ଜି: ପ୍ରାୟ ୧୦-୨୦ ପ୍ରତିଶତ ଭାରତୀୟ ଶୀତଦିନେ ଆଲର୍ଜିର ଶିକାର ହୋଇଥାନ୍ତି । ପ୍ରଥମତଃ ଏଭଳି ଆଲର୍ଜିରୁ ଦୂରେଇ ରହିବା ପାଇଁ ପ୍ରଦୂଷିତ ଅଞ୍ଚଳରେ ଚଲାବୁଲା ନକରିବା ଦରକାର । ଆମେରିକାରେ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ମଧ୍ୟ ବ୍ୟକ୍ତି ଆଲର୍ଜିର ଶିକାର ହୋଇଥାଏ । ତେଣୁ ଚିନ୍ତାଠାରୁ ଦୂରେଇ ରହିବା ସହ ସଠିକ୍ ନିଦ୍ରା ଯିବା ଦ୍ୱାରା ଆଲର୍ଜି କମ୍ ହୋଇଥାଏ । ଗବେଷଣା ଅନୁଯାୟୀ, ଯଦି କର୍ଟନ୍ ବେଡ୍ସିଟ୍କୁ ୧୪୦ ଡିଗ୍ରୀ ଫାରେନ୍ହିଟ୍ରେ ଧୁଆଯାଏ ତେବେ ଶତ ପ୍ରତିଶତ ଧୂଳି ନରହିବାର ସମ୍ଭାବନା ରହିଛି । ବ୍ୟବହାର କରୁଥିବା ଲୁଗାପଟା, କପଡ଼ାକୁ ଟାଣ ଖରାରେ ଶୁଖାଇବା ଆବଶ୍ୟକ । ଶୀତଦିନେ ଯଦି ଆପଣ ଆଲର୍ଜି ହେତୁ କୌଣସି ଔଷଧ ସେବନ କରୁଛନ୍ତି ତାହାଲେ ରାତିରେ ଶୋଇବାକୁ ଯିବା ପୂର୍ବରୁ ଖାଇକରି ହିଁ ଶୁଅନ୍ତୁ । ଶୀତରେ ପାଣିକୁ ଛୁଇଁବାକୁ ଇଚ୍ଛା ହେଉ ନଥିଲେ ବି ଆଲର୍ଜି ଥିବା ଲୋକମାନେ ନିଶ୍ଚିତ ରୂପେ ବାହାରୁ ଘରକୁ ଫେରିବା ପରେ ଗାଧୋଇବା କିମ୍ବା ସଫାସୁତୁରା ହେବା ଆବଶ୍ୟକ । କାରଣ ପୋଷାକପତ୍ର, ଜୋତା ଆଦିରେ ଭାଇରସ୍ ରହିଥା’ନ୍ତି ।
ରକ୍ତଚାପ ଓ ହୃଦ୍ରୋଗ: ଯେଉଁମାନେ ଉଚ୍ଚ ରକ୍ତଚାପ ଏବଂ ହୃତ୍ରୋଗରେ ପୀଡ଼ିତ, ଶୀତଦିନେ ସେମାନଙ୍କ ପାଇଁ ଏହା କିଛି ମାତ୍ରାରେ ସମସ୍ୟା ସୃଷ୍ଟି କରିପାରେ । ମୁଖ୍ୟତଃ ହୃଦ୍ରୋଗରେ ପୀଡ଼ିତ ଲୋକମାନେ ଶୀତଋତୁରେ ନିଜ ଶରୀର ପ୍ରତି ଅଧିକ ଯତ୍ନବାନ୍ ରହିବା ଆବଶ୍ୟକ । କାରଣ ଏହି ଦିନଗୁଡ଼ିକରେ ତାପମାତ୍ରା କମ୍ ରହିବା ଯୋଗୁଁ ହୃଦ୍ରୋଗ, ହୃଦ୍ଘାତ ସମସ୍ୟା ଅଧିକ ଦେଖାଯାଇଥାଏ ।
- ଶରୀରର ଉଷ୍ମତା ବା ତାପମାତ୍ରାକୁ ସଂରକ୍ଷିତ ରଖିବା ଉଦେ୍ଦଶ୍ୟରେ ରକ୍ତବାହିନୀଗୁଡ଼ିକ ସଂକୁଚିତ ହୋଇଯାଏ । ଏହାବାଦ୍ ଶୀତଦିନେ ଝାଳ ବୋହିବା ବନ୍ଦ ମଧ୍ୟ ହୋଇଯାଏ । ଯେଉଁ କାରଣରୁ ରକ୍ତଚାପ ମଧ୍ୟ ବଢ଼ିଯାଏ ।
- ଶୀତ ପ୍ରଭାବରୁ ସମସ୍ତେ ବୁଲାବୁଲି କିମ୍ବା ବ୍ୟାୟାମ୍ କରିବା ବଦଳରେ କମ୍ବଳ ଭିତରେ ପଶିରହିବାକୁ ବେଶୀ ପସନ୍ଦ କରନ୍ତି । ଏହାର ପରିମାଣ ସ୍ୱରୂପ ଅନ୍ୟ ଦିନ ତୁଳନାରେ ଶୀତଦିନେ ଅଧିକାଂଶ ମୋଟାପଣର ଶିକାର ହୁଅନ୍ତି ।
- ହୃଦ୍ ସମସ୍ୟାଜନିତ ରୋଗୀ ଏହି ଋତୁରେ କମ୍ ବୁଲାବୁଲି କରିବା ଉଚିତ୍ ।
- ବନ୍ଦ କୋଠରୀରେ ‘ରୁମ୍ ହିଟର୍’ର ବ୍ୟବହାର କରିବା ଦ୍ୱାରା କୋଠରୀର ସାଧାରଣ ତାପମାତ୍ରାରେ ପରିବର୍ତ୍ତନ ହୋଇଥାଏ । ତେଣୁ କେତେକ କାଶ, ଗଳାଜନିତ ସମସ୍ୟାରେ ପୀଡ଼ିତ ହୋଇଯା’ନ୍ତି ।
ଥଣ୍ଡା: ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ଙ୍କ ପର୍ଯ୍ୟନ୍ତ ମାନେ ଶୀତଦିନେ ଥଣ୍ଡା, ଜ୍ୱରରେ ପଡ଼ନ୍ତି । ଭୂତାଣୁଜନିତ ଥଣ୍ଡା ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ଭାବେ ହାତ ଧୋଇବା ଆବଶ୍ୟକ । ଯଦି କେହି ପରିବାରରେ ଥଣ୍ଡାଜନିତ ରୋଗରେ ପୀଡ଼ିତ ଅଛନ୍ତି ତେବେ ଘରର ଆସବାବପତ୍ରକୁ ସଫାସୁତୁରା ରଖନ୍ତୁ । ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ମଧ୍ୟ ସେବନ କରିପାରିବେ ।
ଗଳା ସମସ୍ୟା: ଶୀତଦିନେ ଗଳା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ଅଟେ । ଏହିଦିନ ଜୀବାଣୁ ସଂକ୍ରମଣ ଅଧିକ ହୋଇଥାଏ । ତାପମାତ୍ରାରେ ପରିବର୍ତ୍ତନ ତଥା ବାୟୁମଣ୍ଡଳ ଶୁଷ୍କ ରହିବା କାରଣରୁ ବାୟୁମଣ୍ଡଳର ଧୂଳିକଣା ନିଶ୍ୱାସପ୍ରଶ୍ୱାସ ମଧ୍ୟଦେଇ ଶରୀର ଭିତରକୁ ପ୍ରବେଶ କରିଥାଏ ।
ଲକ୍ଷଣ -ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
- ଗଳା ଅସ୍ୱାଭାବିକ ମନେ ହେବା
- କଥାବାର୍ତ୍ତା କରିବାରେ ଅସୁବିଧା ଉପୁଜିବା
- ସ୍ୱର ପରିବର୍ତ୍ତନ ହୋଇଯିବା
ପ୍ରତିକାର - ପ୍ରଥମତଃ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଉଷୁମ ପାଣିରେ ସାମାନ୍ୟ ଲୁଣ ପକାଇ ଗଳା ସଫା କରିବା ।
- ଗରମ ଖାଦ୍ୟ, ପାନୀୟ ଠାରୁ ଦୂରେଇ ରହିବା
- ଧୂମପାନ ବା ଧୂଆଁମୟ ପରିବେଶଠାରୁ ନିଜକୁ ଦୂରେଇ ରଖିବା
- ଅତ୍ୟଧିକ ପାଣି ପିଇବା ମଧ୍ୟ ଜରୁରୀ ।
- ଯଦି ଗଳା ସମସ୍ୟା ଅତ୍ୟଧିକ ହେଉଥାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବେ ।
ଆଜ୍ମା ବା ଶ୍ୱାସ: ଥଣ୍ଡା ପରିବେଶ ହେଉଛି ଆଜ୍ମା ବା ଶ୍ୱାସର ମୁଖ୍ୟ ସୂତ୍ର । ଥଣ୍ଡା ହେତୁ ଶ୍ୱାସ ରୋଗୀମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ତେଣୁ ଆଜ୍ମା ରୋଗୀ ଶୀତଦିନେ ଅଧିକ ସତର୍କ ରହିବା ଆବଶ୍ୟକ ।
ଲକ୍ଷଣ -ଅନ୍ୟ ସମୟ ଅପେକ୍ଷା ଏହି ସମୟରେ ଅଧିକ କାଶ, କଫ ହେବା
- ନିଶ୍ୱାସପ୍ରଶ୍ୱାସରେ ଅସୁବିଧା
- ଛାତିରେ ଯନ୍ତ୍ରଣା ଅନୁଭବ କରିବା
- କଥାବାର୍ତ୍ତା, ଖାଇବା, ଶୋଇବାରେ କଷ୍ଟ ଅନୁଭବ କରିବା
- ନିଶ୍ୱାସପ୍ରଶ୍ୱାସ ବେଳେ ସୁସୁରି ପରି ଶବ୍ଦ ବାହାରିବା
ପ୍ରତିକାର -ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପୂର୍ବରୁ ବ୍ୟବହାର କରିଆସୁଥିବା ଔଷଧକୁ ନିୟମିତ ସେବନ କରିବା ।
- ସବୁବେଳେ ନିଜ ପାଖରେ ‘ବ୍ଲୁ୍ୟ ରିଲିଭର୍ ଇନ୍ହେଲର୍’ ରଖିବା ଆବଶ୍ୟକ ।
- ବାହାରକୁ ଯିବା ସମୟରେ ପାଟି ଏବଂ ନାକକୁ ଘୋଡ଼ାଇ ରଖନ୍ତୁ ।
- ବ୍ୟାୟାମ୍ କରିବା ସମୟରେ ଅଧିକ ଯତ୍ନବାନ୍ ରହିବା ଉଚିତ୍ ।
ଶୁଷ୍କ ତ୍ୱଚା: ସାଧାରଣତଃ ଶୀତଦିନେ ବାୟୁମଣ୍ଡଳର ଆର୍ଦ୍ରତା କମ୍ ଥିବାରୁ ଲୋକମାନଙ୍କ ଚର୍ମ ଶୁଖିଲା ଦେଖାଯାଏ । ମୁହଁ, ହାତ, ଗୋଡ଼ ଫାଟିଲା ଭଳି ଦେଖାଯିବା ସହ ଶୁଷ୍କ ଲାଗେ । ତେଣୁକରି ଶୀତଦିନେ ନିହାତି ଭାବେ ମଶ୍ଚରାଇଜିଂ କରିବା ଦରକାର । ବିଭିନ୍ନ ପ୍ରକାର ମଶ୍ଚରାଇଜିଂ ସାମଗ୍ରୀ ବା ପ୍ରସାଧନ ଦ୍ରବ୍ୟ, ଲୋସନ୍ର ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବାର ପ୍ରକୃଷ୍ଟ ସମୟ ହେଉଛି ଗାଧୋଇ ସାରିବା ପରେ କିମ୍ବା ରାତିରେ ଶୋଇବା ପୂର୍ବରୁ । ସବୁବେଳେ ଶରୀରକୁ ଥଣ୍ଡା ରଖିବାକୁ ମଧ୍ୟ ଚେଷ୍ଟା କରନ୍ତୁ । ଉଷୁମ ପାଣି ମଧ୍ୟ ତ୍ୱଚା ଏବଂ କେଶକୁ ଅଧିକ ଶୁଷ୍କ କରିଦିଏ । ତୈଳାକ୍ତ ଖାଦ୍ୟ ଖାଇବା ଦ୍ୱାରା ଶୁଷ୍କତା କମିଥାଏ ।
ଆଣ୍ଠୁଗଣ୍ଠିଜନିତ ଯନ୍ତ୍ରଣା: ଅଧିକାଂଶ ଲୋକ ଏହି ଦିନେ ଆଣ୍ଠୁଗଣ୍ଠିଜନିତ ଯନ୍ତ୍ରଣା ଭୋଗ କରୁଥିବା ଜଣାଯାଏ । ଶରୀରର ବିଭିନ୍ନ ଅଙ୍ଗରେ ପୀଡ଼ା ହେଉଥିବା ମନେକରି କେତେକ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି । ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ମାର୍ଗ ହେଉଛି ବ୍ୟାୟାମ୍ ତଥା ଶାରୀରିକ କସରତ କିମ୍ବା ପହଁରିବା ଜରୁରୀ ।