ପୁଅ ଜିଉନ୍ତିଆ, ଦୂତୀବାହନ ଓଷା

ସନ୍ତାନ ପ୍ରତି ମଆର ସ୍ନେହ ଅନନ୍ତ ଅସୀମ । ଝିଅଟିଏ ମାଆ ଭୂମିକାକୁ ଆସିବା ପରେ ସେ ସାଜିଯାଏ ତ୍ୟାଗ, ମମତା ଓ ପ୍ରୀତିର ଅଫୁରନ୍ତ ଉତ୍ସଟିଏ । କେତେବେଳେ ସ୍ୱାମୀର ମଙ୍ଗଳ କାମନା କରି ସେ ପୂଜିବସେ ସାବିତ୍ରୀଙ୍କୁ ତ ପୁଣି କେତେବେଳେ ନିଜ ଭାଇ ପାଇଁ ଭଉଣୀ ସାଜି ପୂଜା ଭ୍ରାତୃ ଦ୍ୱିତୀୟାରେ ପୂଜା କରିବସେ ଭାଇ । ପୁଣି କେତେବେଳେ ମାଆଟିଏ ହୋଇ ସନ୍ତାନର ମଙ୍ଗଳ ପାଇଁ ପୂଜା କରେ ଦୂତୀ ବାହନ ବା ପୁଅଜିଉନ୍ତିଆ । ନାରୀଟିଏ ପରିବାରର ସବୁ ସଦସ୍ୟଙ୍କ ମଙ୍ଗଳ ପାଇଁ ବାରମାସରେ ଆୟୋଜନ କରେ ତେର ଓଷା ବ୍ରତ । ଦରକାର ହେଲେ ସେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦିଏ । ସାରା ପରିବାରର ମଙ୍ଗଳ ଯେମିତି ନାରୀଟିଏ ଏକାନ୍ତ କାମ୍ୟ । ହସି ହସି ସେ ସବୁ ଦୁଃଖକୁ ସହି ନିଏ, କଷ୍ଟକୁ ବି ଆପଣେଇ ନିଏ । ପୁଅ ଜିଉନ୍ତିଆ ପଶ୍ଚିମ ଓଡ଼ିଶାରେ ଯେପରି ଏକ ନିଆରା ପର୍ବ, ଠିକ୍ ସେହିପରି ଦୂତୀବାହାନ ଓଷା ବା ଦୂତୀୟା ଓଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଏକ ପ୍ରସିଦ୍ଧ ଓଷା । ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ରେ ଏହି ଦୂତିବାହନ ଓଷା ବେଶ ନିଷ୍ଠା ଓ କାଷ୍ଠାର ସହ ପାଳିତ ହୋଇଥାଏ । ଠିକ୍ ସେହିପରି କଟକ ଭୁବନେଶ୍ୱର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ଅଞ୍ଚଳରେ ଦୂତୀବାହନ ଓଷା ବା ଦୂତୀୟ ଓଷା ଏକ ପାରିବାରିକ ଓ ସାମାଜିକ ଓଷା ଭାବରେ ଗ୍ରାମୀଣ ଜୀବନଧାରାରେ ଏକ ଧର୍ମୀୟ ବାତାବରଣ ସୃଷ୍ଟି କରିଛି । ସନ୍ତାନର ମଙ୍ଗଳ ସହ ଆୟୁଷ କାମନା କରି ମାଆ ଓ ବିବାହିତ ମହିଳାମାନେ ଏହି ଓଷାକୁ ନିଷ୍ଠାର ସହିିତ ପାଳନ କରିଥାନ୍ତି । ଏହି ଓଷା ଗ୍ରାମୀଣ ଜୀବନ ଧାରାରେ ଏକ ପାରିବାରିକ ସମ୍ବନ୍ଧ ଓ ସାମାଜିକ ଦୃଢ଼ତା ସୃଷ୍ଟି କରେ । ଗାଁ ମଣିଷର ଚଳଣି ଓ ସଣ୍ଠଣାକୁ ଦୃଢ଼ କରିଥାଏ । ଏହି ଓଷା ମଣିଷଙ୍କ ଜୀବନ ଧାରାକୁ ଏକତାର ରଜ୍ଜୁରେ ବାନ୍ଧିବା ସହ ଉତ୍ସବ ମୁଖର କରିତୋଳେ । ଦୂତୀବାହନଙ୍କୁ ପୂଜା କରି ମାଆଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାରା ଦିନ ନିର୍ଜଳା ଉପବାସ କରି ନିଷ୍ଠାର ସହ ଏହି ବ୍ରତଧାରଣ କରିବା ହେଉଛି ଓଷାର ମୁଖ୍ୟ କାର୍ଯ୍ୟ ।
ଆଶ୍ୱିନର ଅଷ୍ଟମୀ ତିଥିରେ ପୁଅ ଜିଉନ୍ତିଆ ପାଳନ କରାଯାଏ । ପୂଜାର ପୂର୍ବଦିନ ଶିଳ ଶିଆଳୀ ପୂଜା କରାଯାଏ । ଏହିଦିନ ଶିଳକୁ ହଳଦୀ ପାଣିରେ ଧୋଇ ଦିଆଯାଏ । ଏଥିରେ ଗୁଆ ସହ ପୁଞ୍ଜାଏ କରି ଚାଉଳ ରଖାଯାଏ । ଏହିଥିରେ ଦୀପ କଳସ ବସାଇ ପିଠା ଭୋଗ ଲଗାଯାଏ । ସେଥିରୁ ଚାରୋଟି ପିଠା ଉପରକୁ ଫିଙ୍ଗାଯାଏ ଏବଂ ଚାରୋଟି ପିଠା ତଳେ ପୋତି ଦିଆଯାଏ । ପୂଜା ଦିନ ମାଆମାନେ ନିର୍ଜଳା ଉପବାସ ରୁହନ୍ତି । ସଂଜହେଲେ ସ୍ନାନସାରି ନଦୀବାଲିରେ ବେଦୀ କରନ୍ତି । ସେଇ ବେଦୀରେ ଚାରିଖଣ୍ଡ କାଠି ପୋତାଯାଏ । ଚାରି କାଠି ଉପରେ ଚାରୋଟି ଚକା କାକୁଡ଼ି ରଖାଯାଏ । ବ୍ରାହ୍ମଣ ସହ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଠ କରାଯାଏ । ସୂର୍ଯ୍ୟାସ୍ତ ପରେ ହିଁ ଏହି ପୂଜା ହୋଇଥାଏ । ଏହି ପୂଜାରେ ୨୧ ପ୍ରକାର ଫଳ ଭୋଗ ଲାଗି ହୋଇଥାଏ । ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପୁଅ ଜିଉନ୍ତିଆ ଓଷାକୁ ନେଇ ଜିଉନ୍ତିଆ ଉତ୍ସବମାନ ପାଳିତ ହୋଇଥାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀର ରାତ୍ରକାଳରୁ ଦୁର୍ଗାଙ୍କର ଶୟନ ଉତ୍ସବ ଆରମ୍ଭ ହୋଇଥାଏ । ଏହା ୧୫ ଦିନ ପର୍ଯ୍ୟନ୍ତ ଚାଲେ । ଏହି ସମୟଟି ଅତ୍ୟନ୍ତ ଅଶୁଭ ସମୟ । କାରଣ ହରିଙ୍କ ଶୟନ ସାଥିକୁ ଦେବୀଙ୍କ ଶୟନ ଅଶୁଭର ପ୍ରତୀକ । ୧୫ ଦିନ ଶୋଇବା ପରେ ଶଯ୍ୟା ତ୍ୟାଗ କରି ମାଆ ଦୁର୍ଗାଙ୍କର ଉପାସନା ଉତ୍ସବ ପାଳିତ ହୁଏ । ସେ ରାତ୍ରିରେ ସହସ୍ର କୁମ୍ଭାରିଷ୍ଟ କରାଯାଏ ଏବଂ ପରଦିନ ଠାରୁ ଦେବୀଙ୍କ ଷୋଡ଼ଶ ପୂଜାରମ୍ଭ ହୋଇଥାଏ । ଆଶ୍ୱିନ ଅଷ୍ଟମୀରେ ମୂଳାଷ୍ଟମୀ ଅବକାଶରେ ମାଆ ଦୂତୀବାହନଙ୍କୁ ପୂଜା କରିବା ସମୟରେ ଯେଉଁ ପସରା ପୂଜା ଅନୁଷ୍ଠିତ ହୋଇଥାଏ ସେହି ପସରାରେ ପୂଜା ପାଉଥିବା ୪୭ ପ୍ରକାର ପନିପରିବା ଓ ଫଳମୂଳକୁ ନେଇ ଆଶ୍ୱିନ ନବମୀରେ ଆୟୋଜିତ ହୁଏ ଘାଣ୍ଟ । ଓଡ଼ିଆ ଘରର ଘାଣ୍ଟ ବେଶ ପ୍ରସିଦ୍ଧ । ଏହି ଘାଣ୍ଟକୁ ଗ୍ରାମୀଣ ଜୀବନଧାରାରେ ପରିବାର ସହିତ ଜ୍ଞାତି କୁଟୁମ୍ବ ଓ ଆତ୍ମୀୟସ୍ୱଜନଙ୍କୁ ବାଣ୍ଟି ଖିଆଯାଏ । ଏହି ଘାଣ୍ଟର ସ୍ୱତନ୍ତ୍ରତା ହେଉଛି ଏଥିରେ ଅନେକ ତଟକା ପନିପରିବା ସହ ଶାଗ ଓ ବିଭିନ୍ନ ଶସ୍ୟର ସମାହାର ହୋଇଥାଏ ଯାହାକି ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ଓ ସ୍ୱାଦିଷ୍ଟ ମଧ୍ୟ । ଆଶ୍ଚର୍ଯ୍ୟର କଥା ଏହି ଘାଣ୍ଟ ଏବେ ଅନ୍ତର୍ଜାତୀୟ ଖାଦ୍ୟ ତାଲିକାରେ ମେନୁରେ ସ୍ଥାନ ପାଇଛି ।
ଡ.ଅରୁନ୍ଧତୀ ଦେବୀ : ୯୯୩୭୧୭୨୮୧୦