ଠକେଇ ମାମଲାରେ ପ୍ରଧାନ ଶିକ୍ଷକ ଗିରଫ
କେନ୍ଦୁଝର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଗୋପିନାଥପୁର ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଣ୍ଡଳ କୁମାର ପଣ୍ଡା ଙ୍କୁ ଏକ ଠକେଇ ମାମଲାରେ ଘଷିପୁରା ପୋଲିସ ଗିରଫ କରିଛି । ମଣ୍ଡଳ କୁମାର ପଣ୍ଡା ଜମି ଦେବାକୁ କହି ୩୫ ଲକ୍ଷ ଟଙ୍କା ଠକିଥିବା ନେଇ ବେଲବାହାଳି ଗ୍ରାମର କହ୍ନେଇ ଚରଣ ସାହୁ ଘଷିପୁରା ଥାନାରେ ୨୭/୧୦/୨୦୨୪ ରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେସ ନମ୍ବର ୩୭୦/୨୦୨୪ ଦଫା ୪୨୦/୪୦୮/୩୪ ଏକ ମାମଲା ରୁଜୁ କରି ଆଜି ପ୍ରଧାନ ଶିକ୍ଷକ ମଣ୍ଡଳ କୁମାର ପଣ୍ଡାଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ଘଷିପୁରା ତହସିଲ ଖଲାଣା ମୌଜାରେ ୩୦ ଡିସିମିଲ ଜମି ଦେବାକୁ ୩ଟି କିସ୍ତିରେ ମଣ୍ଡଳ କୁମାର ପଣ୍ଡା ଅନଲାଇନରେ ୩୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ଜମି କବଲା ବେଳେ ଅବଶିଷ୍ଟ ୯ଲକ୍ଷ ଟଙ୍କା ଦେବେ ବୋଲି କହ୍ନେଇ ଚରଣ ସାହୁ ତାଙ୍କୁ କହିଥିଲେ । ଉଭୟଙ୍କ ମଧ୍ୟରେ ନୋଟାରୀ ଆଫିଡେଭିଟ ହୋଇଥିଲା । ଏଥିରେ ୬ ମାସ ମଧ୍ୟରେ ଜମି ଚିହ୍ନଟ ଏବଂ ରାସ୍ତା ଚିହ୍ନଟ କରି କବଲା ନ ହେଲେ ନେଇଥିବା ଅଗ୍ରୀମ ଅର୍ଥ ପେରାଇବେ ବୋଲି ଚୁକ୍ତି କରିଥିଲେ । ଚୁକ୍ତି ଖିଲାପ ହେବାରୁ ଏବଂ ସେ ଦେଖାଇଥିବା ଜମିକୁ ରାସ୍ତା ନଥିବା ଜାଣିବା ପରେ ଟଙ୍କା ଫେରସ୍ତ ମାଗିଥିଲେ । ମଣ୍ଡଳ କୁମାର ପଣ୍ଡା ଟଙ୍କା ନ ଦେଇ ଦୀର୍ଘ ୧ବର୍ଷରୁ ଅଧିକ ସମୟ ହେବ ଠକି ଚାଲିଥିଲେ । ଟଙ୍କା ମାଗିଲେ ଧମକ ଚମକ ଦେଇ ଆସୁଥିଲେ । ଶେଷରେ ବାଧ୍ୟ ହୋଇ କହ୍ନେଇ ଚରଣ ସାହୁ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ମାମଲାରେ ତଦନ୍ତ କରି ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।