ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦାବି


ତାଳଚେର ବ୍ଲକ ଅନ୍ତର୍ଗତ ହେଂସମୂଳ ଗ୍ରାମ ସମ୍ପୂର୍ଣ୍ଣ ଭାବେ ଏମ୍ସିଏଲର ୩ଟି କୋଇଲା ଖଣି ଦ୍ୱାରା ୧୯୮୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ଜମି ଅଧିଗ୍ରହଣ ହୋଇ ଖଣି କାର୍ଯ୍ୟ ସମ୍ପାଦନ ହୋଇଛି । କୋଇଲା ଖଣିରେ ଯାଇଥିବା ନିଜ ଜମିରୁ ଗ୍ରାମବାସୀମାନେ ପୂର୍ବ ପୁରୁଷରୁ ଚାଷବାସ କାର୍ଯ୍ୟ କରି ନିଜର ପେଟପାଟଣା ଗୁଜୁରାଣ କରୁଥିଲେ । ମାତ୍ର ଜମି ଅଧିଗ୍ରହଣ ଯୋଗୁଁ ଆଜି ଗ୍ରାମର ଶହଶହ ବେକାର ଯୁବକଯୁବତୀ ଅର୍ଥାଭାବରୁ ଘରେ ବସି ରହି କାଳତିପାତ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ କୋଇଲା ପରିବହନ ପାଇଁ ନିର୍ମାଣ ହୋଇଥିବା ସାଇଲୋ କନଭର୍ ଗ୍ରାମର ପୁରାତନ ଦେବୀ ପୀଠ ଠାରେ କରାଯାଉଛି । ଭବିଷ୍ୟତରେ ଗ୍ରାମର ବେକାରୀମାନଙ୍କୁ ନିଯୁକ୍ତି ଆଶ୍ୱସନା ପାଇଁ ଖଣିକର୍ତ୍ତୃପକ୍ଷ ଅନୁରୋଧକ୍ରମେ ଦେବୀପୀଠ ଅନ୍ୟତ୍ର (ବଲଣ୍ଡାପଶି) ସ୍ଥାନାନ୍ତରିତ କରିବା ପାଇଁ ଗ୍ରାମବାସୀଙ୍କ ସହମତି ପ୍ରକାଶ କରିଥିଲେ । ଫଳରେ ଭୁବନେଶ୍ୱରୀ ଖଣିର ସାଇଲୋ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସମ୍ଭବ ହୋଇପାରିଛି । ବର୍ତ୍ତମାନ ଉକ୍ତ ପ୍ରକଳ୍ପ ଏମସିଏଲ ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇ ଚାଲୁ ହେବାକୁ ଯାଉଛି । ଉକ୍ତ ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଗ୍ରାମରେ ଥିବା ଶହଶହ ଶିକ୍ଷିତ ବେକାର ଯୁବକଯୁବତୀ ବୈଷୟିକ ତାଲିମପ୍ରାପ୍ତ ଏବଂ କୁଶଳୀ ଶିକ୍ଷାକାରୀ ନିଯୁକ୍ତି ପାଇଁ ବହୁ ଦିନରୁ ଅପେକ୍ଷାରତ । ତେଣୁ ଏହାକୁ ନେଇ ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀର ବେକାର ଯୁବକ, ଯୁବତୀମାନଙ୍କୁୁ ଅଗ୍ରାଧିକାର ଭିତରେ ନିଯୁକ୍ତି ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ଏହାର ଏକକିତା ନକଲ ସେମାନେ ଢ଼େଙ୍କାନାଳ ସାଂସଦ, ତାଳଚେର ବିଧାୟକ, ଉପଜିଲ୍ଲାପାଳ ତାଳଚେର, ଭୁବନେଶ୍ୱରୀ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ, ଭୁବନେଶ୍ୱରୀ ପ୍ରକଳ୍ପ ଅଧିକାରୀ, ଜଗନ୍ନାଥ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି ।