୧୦ ମାସର ଝିଅକୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତକୁ ଗିରଫ

୧୦ ମାସର ଝିଅକୁ ଦୁଷ୍କର୍ମ  ଅଭିଯୋଗ  : ଅଭିଯୁକ୍ତକୁ ଗିରଫ

 ଦୁଷ୍କର୍ମ ପରି ଅପରାଧିକ ଘଟଣା ଥମିବାର ନାଁ ନେଉନି । କଠୋର ଆଇନ ପ୍ରଣୟନ ପାଶବୀୟ କାଣ୍ଡରେ ଲାଗିପାରୁନି ବ୍ରେକ୍ । ଏହି ପରିପ୍ରେକ୍ଷୀରେ ଗୁଜରାଟର ଏକ ୧୦ ମାସର ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଘର ଅଗଣାରେ ଖେଳୁଥିବା ସମୟରେ ଜଣେ ୩୦ ବର୍ଷର ଯୁବକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି।  ପୁଲିସ ସୂଚନାନୁସାରେ, ଝିଅଟିର ମାଆ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂହ ତାଙ୍କ ପରିବାର ବର୍ଗଙ୍କ ସହ ପରିଚିତ। ସେ ଅନେକ ସମୟରେ ତାଙ୍କ ଘରକୁ ଯା'ଆସ କରନ୍ତି। ଗତ ରବିବାର ମଧ୍ୟ ତାଙ୍କ ଘରକୁ ଆସିଥିଲେ। 

ଏହି ସମୟରେ ଝିଅଟି ଘର ଅଗଣାରେ ଖେଳୁଥିବା ଦେଖି ସେଠାରୁ ତାଙ୍କୁ ଉଠାଇ ନେଇ କିଛି ବାଟ ଦୂରରେ ଦୁଷ୍କର୍ମ କରିଥିଲେ। ଝିଅଟିର କାନ୍ଦ ଶୁଣି ତାଙ୍କ ଜେଜେମା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଝିଅଟି ଶରୀରରୁ ରକ୍ତସ୍ରାବ ହୋଇ ଥିବାବେଳେ ଶରୀରରେ ଅନେକ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଇଛନ୍ତି। ସେପଟେ ଝିଅଟିର ମାଆ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି। ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ସମେକ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି।

ତେବେ କଠୋର ଆଇନ ପ୍ରଣୟନ ସତ୍ତ୍ୱେ ଦୁଷ୍କର୍ମ ପରି ଜଘନ୍ୟ କାଣ୍ଡ ଥମିବାର ନାଁ ନେଉନି। ଛୋଟ ଛୁଆଙ୍କ ପ୍ରତି ଏପରି ପାଶବୀୟ ବ୍ୟବହାର ନିଶ୍ଚିତ ରୂପେ ଚିନ୍ତାଜନକ।