ଲିଭିନି ଅଳତା, ଲିଭିଗଲା ଜୀବନ ଦୀପ


ଭୁବନେଶ୍ୱର: ପାଦରୁ ଅଳତା ଲିଭିନି, ହେଲେ ନିଜ ଜୀବନ ଦୀପ ଲିଭିଗଲା । ଦୁଇ ମାସ ତଳେ ମଥାରେ ସିନ୍ଦୁର ଦେଇ ଶାଶୂ ଘର ଯାଇଥିଲା ଝିଅ । ଆଶା ଥିଲା ଗଢିବ ଗୋଟେ ସୁନା ସଂସାର । ହେଲେ କାଳ ସାଜିଲା ଯୌତୁକ  । ଟଙ୍କା, ସୁନାଗହଣା ପାଇବା ପାଇଁ ଆମ ଝିଅ ଉପରେ ଆରମ୍ଭ ହୋଇ ଯାଇଥିଲା ନିର୍ଯାତନା  । ଆଉ ଶେଷରେ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି । ବିବାହ ପରେ ପରେ ଝିଅର ମୃତ୍ୟୁ ହୋଇଥିବା ବେଳେ କାନ୍ଦିକାନ୍ଦି ଅଭିଯୋଗ କରିଛନ୍ତି ଜିଜ ଝିଅକୁ ହରାଇଥିବା ଜଣେ ମାଆ । ଏମିତି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ତେନ୍ତଳାଗଢିଆ ଗାଁରେ ଘଟିଛି । ମୃତା ନବବଧୂଜଣକ ହେଲେ ଶେରପୁର ଗାଁର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠୀ । ଦୁଇ ମାସ ତଳେ ତେନ୍ତଳାଗଢିଆ ଗାଁର ନୀଳାମ୍ବର ଦାସଙ୍କ ପୁଅ ଜଗନ୍ନାଥ ଦାସଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ବାପ ଘର ଲୋକଙ୍କ କହିବା କଥା ବିବାହ ସମୟରେ ସେମାନେ ଦାବି ମୁତାବକ ଯୌତୁକ ଦେଇ ପାରି ନ ଥିଲେ । ଲକ୍ଷ୍ମୀପ୍ରିୟାଙ୍କ ବାପଘରୁ ଆସିଥିବା ପଲଙ୍କ ଶାଶୁ ଘର ଲୋକଙ୍କ ପସନ୍ଦ ଆସି ନ ଥିଲା । ଫଳରେ ସେମାନେ ତାକୁ ଫେରାଇ ଦେଇଥିଲେ । ତେଣୁ ଖୁବ୍‌ ଶୀଘ୍ର ଏକ ପଲଙ୍କ ସହ ଟଙ୍କା ଓ ସୁନା ଦେବା ପାଇଁ କହୁଥିଲେ । ହେଲେ ଏଥିରେ ବିଳମ୍ବ ହେବାରୁ ସେମାନେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ  । ଏହାପରେ ଆଜି ସକାଳୁ ସରପଞ୍ଚ, ସମିତିସଭ୍ୟ ଫୋନ୍‌ କରି ଆମ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ । ତେବେ ଏଠାରେ ପହଞ୍ଚି ଝିଅ ବେକରେ ରଶି ଗୁଡା ଯାଇଥିବା ବେଳେ ପାଦ ତଳେ ଲାଗିଥିବା ଦେଖିବାକୁ ପାଇଥିଲୁ । ଜ୍ୱାଇଁ ତଥା ତାଙ୍କ ପରିବାର ଲୋକେ ଆମ ଝିଅକୁ ମାରିଦେଇଥିବା ଲକ୍ଷ୍ମୀପ୍ରିୟାଙ୍କ ମା’ କହିଛନ୍ତି । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ପୁଲିସ୍‌ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଜଗନ୍ନାଥ ଓ ତାଙ୍କ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି ।