ସାରଙ୍ଗଧରଙ୍କ ସ୍ମୃତି ରକ୍ଷାରେ କୌଣସି ଅବହେଳା ହେବ ନାହି

 ଢେଙ୍କାନାଳ ମାଟି ତଥା ସମଗ୍ର ଓଡିଶାର କୃତବିଦ୍ୟ ସନ୍ତାନ ସାରଙ୍ଗଧର ଦାସଙ୍କ ସ୍ମୃତି ରକ୍ଷାରେ କୌଣସି ଅବହେଳା ହେବ ନାହିଁ ବୋଲି ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ, ଯୋଗାଣ, ବିଜ୍ଞାନ ଓ କାରିଗରୀ ବିଭାଗର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସଦର ବ୍ଲକ୍ କାଇମାଟି ପଞ୍ଚାୟତର ହରେକୃଷ୍ଣପୁର ଗ୍ରାମରେ ଆୟୋଜିତ ସାରଙ୍ଗଧରଙ୍କ ୬୭ତମ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ସାରଙ୍ଗଧର ଆଞ୍ଚଳିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରାଦ୍ଧ ଉତ୍ସବରେ ମନ୍ତ୍ରୀ ଶ୍ରୀ ପାତ୍ର ଗ୍ରାମରେ ସାରଙ୍ଗଧରଙ୍କ ଏକ ପୂର୍ଣ୍ଣାବୟବ ପ୍ରତିକୃତୀ ସ୍ଥାପନା ସହ ଏକ ଉନ୍ନତ ପାର୍କ ନିର୍ମାଣ କରାଯିବ ବୋଲି କହିଥିଲେ । ଢେଙ୍କାନାଳ-କପିଳାସ ରାସ୍ତା ସଂଲଗ୍ନ ଗ୍ରାମରାସ୍ତା ଉପରେ ଏକ ଭବ୍ୟ ତୋରଣ ନିର୍ମାଣ କରାଯାଇ ସେଥିରେ ‘ସାରଙ୍ଗଧର ଦାସଙ୍କ ଗ୍ରାମ-ହରେକୃଷ୍ଣପୁର’ ବୋଲି ଉଲ୍ଲେଖ ରହିବ । ଗ୍ରାମରେ ତାଙ୍କ ସ୍ମୃତିରେ ଏକ ପାଠାଗାର ଓ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଦାନରେ ଏହିସବୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ "ସୁଆଣ୍ଡୋ' ଓ ମଧୁବାବୁଙ୍କ ଜନ୍ମସ୍ଥାନ "ସତ୍ୟଭାମାପୁର' ଭଳି ହରେକୃଷ୍ଣପୁରର ବିକାଶ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ । ମୁଖ୍ୟବକ୍ତା ରୂପେ ସାରଙ୍ଗଧର ଆଂଚଳିକ ଉନ୍ନୟନ ପରିଷଦର ମୁଖ୍ୟ ଉପଦେଷ୍ଟା ପ୍ରଦୁ୍ୟମ୍ନ ରଥ ସାରଙ୍ଗଧର ଟ୍ରଷ୍ଟର ଆୟବ୍ୟୟ ସମୀକ୍ଷା ଓ କ୍ରିୟଶୀଳତା ବୃଦ୍ଧି ଦିଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଟ୍ରଷ୍ଟ ଅଧ୍ୟକ୍ଷ ଥିବା ଜିଲ୍ଲାପାଳଙ୍କ ସମୟୋଚିତ ସମୀକ୍ଷା ଅଭାବରୁ ଟ୍ରଷ୍ଟ ସାରଙ୍ଗଧରଙ୍କ ଇଚ୍ଛାପତ୍ର ମୁତାବକ କାର୍ଯ୍ୟ କରିପାରୁନାହିଁ । ସେ ଦାନ କରିଥିବା ଶହଶହ ଏକର ଜମିର ଉପଯୁକ୍ତ ବିନିଯୋଗ ହୋଇପାରୁ ନାହିଁ । ମନ୍ତ୍ରୀଙ୍କ ଉପସ୍ଥିତିରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟର ସମୀକ୍ଷା ଜିଲ୍ଲାପାଳ କରନ୍ତୁ ବୋଲି ଶ୍ରୀ ରଥ ପ୍ରସ୍ତାବ ଦେଇଥିଲେ ଏବଂ ମନ୍ତ୍ରୀ ଶ୍ରୀ ପାତ୍ର ଏହାକୁ ଗ୍ରହଣ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ବକ୍ତା ଅବସରପ୍ରାପ୍ତ ପ୍ରଶାସକ ସନାତନ ମଲ୍ଲିକ ସାରଙ୍ଗଧରଙ୍କ ବିଚକ୍ଷଣତା ଓ ଜନସେବା ଉପରେ ଆଲୋକପାତ କରିଥିଲେ ଏବଂ ସାରଙ୍ଗଧରଙ୍କ ଉପଯୁକ୍ତ ସ୍ମୃତି ରକ୍ଷା ପାଇଁ ନିବେଦନ କରିଥିଲେ । ପରିଷଦ ପକ୍ଷରୁ ବିଶ୍ୱଜିତ୍ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପରିଷଦର ସଭାପତି ଚିତରଞ୍ଜନ ପୁହାଣ, ବର୍ଷିୟାନ୍ ସଭ୍ୟ ନିରଞ୍ଜନ ପତି, ସମାଜସେବୀ ରାମଚନ୍ଦ୍ର ପାତ୍ର, ଡ.ନରହରି ପଣ୍ଡା, ନରେଶ ମହାପାତ୍ର, ନାଗିଆପଶି ସରପଂଚ କୃଷ୍ଣଚନ୍ଦ୍ର ବେହେରା, ବିଷ୍ଣୁ ପ୍ରସାଦ ଲେଙ୍କା, ବେଲଟିକିରି ସରପଂଚ ବଳଭଦ୍ର ସାମଲ, ସାରଙ୍ଗଧର ଟ୍ରଷ୍ଟ ବୋର୍ଡ ସଭ୍ୟ ଜୟ ପ୍ରକାଶ ତ୍ରିପାଠୀ, ସାଂସଦଙ୍କ ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ ଓ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ବେହେରା ପ୍ରମୁଖ ମଂଚାସୀନ ରହିଥିଲେ । ପରିଷଦ ପକ୍ଷରୁ ଦୀପ୍ତିରଞ୍ଜନ ସ୍ୱାଇଁ ସଭା ସଂଯୋଜନା କରିଥିଲେ । ସଭାରେ ପରିଷଦର କର୍ମକର୍ତ୍ତାବୃନ୍ଦ, ବେଲଟିକିରି, ନାଗିଆପଶି ଓ କାଇମାଟିର ବିଶିଷ୍ଟ ବ୍ୟକ୍ତିଙ୍କ ସହ ହରେକୃଷ୍ଣପୁର ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।