ଚିକେନ୍ କାଉଣ୍ଟର ପାଖରେ ଅଙ୍ଗନବାଡି କେନ୍ଦ୍ର, ସ୍ଥାନାନ୍ତର ଦାବି
ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ଦହପଡା ୱାର୍ଡ ନଂ ୧୨ଠାରେ ଅବସ୍ଥିତ ଦହପଡା ଅଙ୍ଗନବାଡି କେନ୍ଦ୍ର ୨ । ଏହି କେନ୍ଦ୍ରଟି ପଞ୍ଚାୟତର ଏକ ପ୍ରମୁଖ ରାସ୍ତା ପାଶ୍ୱର୍ରେ ଏକ ଚିକେନ୍ କାଉଣ୍ଟରକୁ ଲାଗି କାର୍ଯ୍ୟ କରୁଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କୁକୁଡାମାନଙ୍କୁ ବାର୍ଡ ଫ୍ଲୁ ରୋଗ ବ୍ୟାପୁଥିବାରୁ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇଛି । ଯେଉଁଠି ବାର୍ଡଫ୍ଲୁରେ ସଂକ୍ରମିତ କୁକୁଡା ଜଣାପଡୁଛି ସେଠାରେ ତାକୁ ମାରି ପୋତି ଦିଆଯାଉଛି । ବିଗତ କିଛି ଦିନ ତଳେ ମାହାଙ୍ଗା ବ୍ଲକ ଅଞ୍ଚଳରେ କୁକୁଡାମାନଙ୍କୁ ଏହି ବାର୍ଡଫ୍ଲୁ ହୋଇଥିବା ଖବର ପ୍ରକାଶିତ ହୋଇଥିଲା । ଉଭୟ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକର ପରିସୀମାକୁ ଲାଗି ଡେରାବିଶ ବ୍ଲକ ଅବସ୍ଥିତ । ଡେରାବିଶ ବ୍ଲକରୁ କୁକୁଡାମାନଙ୍କୁ ବାର୍ଡଫ୍ଲୁ ହୋଇଥିବାବେଳେ ସେଠାକର କିଛି ଲୋକଙ୍କୁ ଏହି ରୋଗ ସଂକ୍ରମିତ ହୋଇଥିବା ଆଶଙ୍କାରେ ସେମାନଙ୍କୁ ସୁରକ୍ଷାରେ ରଖାଯାଇ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି । ବାର୍ଡଫ୍ଲୁ ଆତଙ୍କ ଚାଲିଥିବାବେଳେ ଏହି ଦହପଡା ଅଙ୍ଗନବାଡି କେନ୍ଦ୍ର ୨ କିପରି ଭାବେ ଚିକେନ କାଉଣ୍ଟର ପାଖରେ ରହି କାର୍ଯ୍ୟ କରୁଛି, ଏଥିରେ କୋମଳପତି ଶିଶୁମାନଙ୍କ ସ୍ୱାସ୍ଥ୍ୟପତି ବିପଦ ଥିବାରୁ ତୁରନ୍ତ ଅଙ୍ଗନବାଡି କେନ୍ଦ୍ରକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ସାଧାରଣରେ ଦାବି ହେଉଛି ।