ଭେଭୋଲେବାବା ସତସଙ୍ଗ ବେଳେ ଦଳାଚକଟା, ୧୨୦ ମୃତ
ହାଥରସ: ହାଥରସର ସିକନ୍ଦରାରାଉ କୋତବାଲି ଅଞ୍ଚଳର ଫୁଲରାଇ ଗାଁରେ ଭୋଲେ ବାବାଙ୍କ ପ୍ରବଚନ ଚାଲିଥିଲା । ଆଶା ଠାରୁ ଅଧିକ ଲୋକଙ୍କର ଭିଡ଼ ହୋଇ ଯାଇଥିଲା । ଲକ୍ଷାଧିକ ଲୋକଙ୍କ ସମାଗମ ହେବାରୁ ଲୋକମାନେ ଅସ୍ତବ୍ୟସ୍ତ ହୋଇ ଯାଇଥିଲେ । ସେପଟେ ପ୍ରବଳ ଗରମ କାରଣରୁ କେତେକ ଲୋକ ବେହୋସ ବି ହୋଇଗଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ଦଳାଚକଟା । ଫଳରେ ସତ ସଙ୍ଗ ଯାଇଥିବା ଶତାଧିକ ଲୋକ ଶବ ହୋଇ ଫେରିଲେ । ଏହି ଅଘଟଣରେ ପ୍ରାୟ ୧୨୦ ଜଣଙ୍କର ମୃତୁ୍ୟ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜାଣିବାକୁ ମିଳିଛି । ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଦୁଃଖ ପ୍ରକାଶ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସେ କଥା ହୋଇଥିବାବେଳେ ପୀଡ଼ିତଙ୍କୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ୟୁପି ସରକାର ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ମାଗଣା ଚିକିତ୍ସା ସହ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ୟୁପି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ଏହି ଘଟଣାର ତଦନ୍ତ ପାଇଁ ଆଗ୍ରା ଜୋନ୍ ଏଡ଼ିଜି ଓ ଆଲିଗଡ଼ କମିଶନରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଆସନ୍ତାକାଲି ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିବେ ।
ମିଳିଥିବା ସୂଚନା ଅନୁଯାୟୀ, ମାନବ ମଙ୍ଗଳ ସଦଭାବନା ସଂଗଠନ ପକ୍ଷରୁ ଭୋଲେ ବାବା ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ପ୍ରାୟ ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସତସଙ୍ଗ ପରେ ଏକ ଅଣଓସାରିଆ ରାସ୍ତା ଦେଇ ଲୋକମାନେ ବାହାରିଥିଲେ । ଗୋଟିଏ ପଟେ ଭିଡ଼ ଓ ଅପରପକ୍ଷରେ
ଅସହ୍ୟ ଗୁଳୁଗୁଳି ଯୋଗୁଁ ସମସ୍ତେ ଆଗ ବାହାରିବାକୁ ଚାହିଁଥିଲେ । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହେବା ସହ ଠେଲାପେଲା ହୋଇଥିଲା । ଠେଲାପେଲାରେ ଲୋକମାନେ ତଳେ ପଡ଼ି ଯାଇଥିବାବେଳେ ଅନ୍ୟମାନେ ତାଙ୍କୁ ଦଳିଚକଟି ଚାଲି ଯାଇଥିଲେ । ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଗୁରୁତର ଆହତଙ୍କୁ ଉଦ୍ଧାର କରିଥିଲେ । ତେବେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଷ୍ଟ୍ରେଚର ବି ନଥିଲା । ସିଏଚସି ବାହାରେ ଲୋକମାନଙ୍କ ମନରେ ହାହାକାର ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଲୋକ ଭିଡ଼ ଓ ଶବ ମଧ୍ୟରେ ନିଜ ଲୋକଙ୍କୁ ଖୋଜିବାରେ ଲାଗିଥିଲେ । ଅନ୍ୟ କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏହି ଘଟଣା ପରେପରେ ଚାରିଆଡ଼େ ଖାଲି ଚିକôାର ହିଁ ଶୁଭିଥିଲା । ସାକାର ନାରାୟଣ ବିଶ୍ୱ ହରି ଭୋଲେ ବାବାଙ୍କ ଏହି ସତସଙ୍ଗ କାର୍ଯ୍ୟକ୍ରମ ସରିବା ପରେ ବାବାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ପାଇଁ ଲୋକଙ୍କ ଗହଳି ହେବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଦଳାଚକଟା ବେଳେ ଜଣଙ୍କ ଉପରେ ଆଉ ଜଣେ ପଡ଼ି ଯାଇଥିଲେ । ସେପଟେ ଭିଡ଼ରେ ଥିବା ଲୋକମାନେ ବି ସେମାନଙ୍କୁ ଚକଟି ଦେଇଥିଲେ । ଫଳରେ ରୁନ୍ଧି ହୋଇ ଘଟଣା ସ୍ଥଳରେ ୨୫ ଜଣଙ୍କର ମୃତୁ୍ୟ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।