ନବାଗତ ବନାମ ଦୁଇ ଅଭିଜ୍ଞ
କଟକ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ମେ’ ୨୫ ତାରିଖରେ ମତଦାନ ହେବାକୁ ଥିବା ଏହି ନିର୍ବାଚନମଣ୍ଡଳୀ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । କଟକରେ ୬ ଥର ସାଂସଦ ଭାବେ ଅଭିଜ୍ଞତା ରଖିଥିବା ଭର୍ତ୍ତୃହରି ମହତାବ ଚଳିତଥର ଦଳ ବଦଳ କରି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଏଥର ନୂଆ ମୁହଁ ଭାବେ କର୍ପୋରେଟ୍ ଜଗତର ଜଣାଶୁଣା ଚେହେରା ଡ. ସଂତୃପ୍ତ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇଛି । ଅପରପକ୍ଷରେ ବିଧାନସଭା କ୍ଷେତ୍ରରେ ଚାରି ଥର ଭାଗ୍ୟ ପରୀକ୍ଷା କରିସାରିଥିବା କଂଗ୍ରେସର ବରିଷ୍ଠ ନେତା ସୁରେଶ ମହାପାତ୍ର ଏଥର କଟକ ଲୋକସଭା ଆସନରୁ ନର୍ବାଚନ ଲଢୁଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀ ମହତାବ ପୂର୍ବ ଅଭିଜ୍ଞତାକୁ ପାଥେୟ କରି ନିର୍ବାଚନ ପ୍ରଚାର ଚଳାଇଛନ୍ତି । ବିଜେଡି ପ୍ରାର୍ଥୀ ଡ. ମିଶ୍ର ଦଳର ଦୃଢ ସଂଗଠନକୁ ପୁଞ୍ଜି କରି ନର୍ବାଚନ ବୈତରଣୀ ପାର୍ ହେବାକୁ ଆଶା ରଖିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ରୀ ମହାପାତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି ।
କଟକ ଲୋକସଭା ଆସନ ବାରବାଟୀ-କଟକ, ଚୈାଦ୍ୱାର-କଟକ, କଟକ ସଦର, ବଡମ୍ବା, ଆଠଗଡ, ବାଙ୍କି ଓ ଖଣ୍ଡପଡା ଏହିପରି ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ । କଟକ ଲୋକସଭା ଆସନ ବିଜେଡିର ଏକ ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ରହିଆସିଛି । ୧୯୯୮ରୁ ୨୦୧୯ ଏଯାବତ୍ ସାଂସଦ ଭାବେ ଭର୍ତ୍ତୃହରି ମହତାବ ନିର୍ବାଚିତ ହୋଇଆସୁଛନ୍ତି । ୨୦୧୪ ନିର୍ବାଚନରେ ଶ୍ରୀ ମହତାବ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ସେ ଏହି ନିର୍ବାଚନରେ ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀ ଅପରାଜିତା ମହାନ୍ତିଙ୍କୁୁ ପରାସ୍ତ କରି ୫ମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସମୀର ଦେଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୨୦୧୯ରେ କଟକ ଲୋକସଭା ଆସନରୁ ବିଜେଡି ପୁଣି ଶ୍ରୀ ମହତାବଙ୍କୁ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନରେ ଶ୍ରୀ ମହତାବ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ପରାସ୍ତ କରି ଷଷ୍ଠ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ମହତାବ ୫ ଲକ୍ଷ ୨୪ ହଜାର ୫୯୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ୪ ଲକ୍ଷ ୩ ହଜାର ୩୯୧ ଖଣ୍ଡ ଭୋଟ ମିଳିଥିଲା । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥର୍ୀ ପଂଚାନନ କାନୁନଗୋଙ୍କୁ ମାତ୍ର ୯୯ ହଜାର ୮୪୭ ଖଣ୍ଡ ଭୋଟ ମିଳିଥିଲା ।
୨୦୨୪ରେ କଟକ ଲୋକସଭା ଆସନର ନିର୍ବାଚନ ଚିତ୍ରପଟ ସଂପୂର୍ଣ୍ଣ ବଦଳିଯାଇଛି । ବିଜେଡି ପକ୍ଷରୁ ୬ ଥର ସାଂସଦ ହୋଇଥିବା ବରିଷ୍ଠ ରାଜନେତା ଭର୍ତ୍ତୃହରି ମହତାବ ଏଥର ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି । ଭର୍ତ୍ତୃହରିଙ୍କ ପାଖରେ ଦୀର୍ଘ ୨୬ ବର୍ଷର ଅଭିଜ୍ଞତା ସହ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଳ୍ପ ହେଲେ ବି ନିଜସ୍ୱ ସାଂଗଠନିିକ ସାମର୍ଥ୍ୟ ରହିଛି । ମୋଦି ଗ୍ୟାରେଣ୍ଟି ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଭୋଟରଙ୍କୁ ଅବଗତ କରି ସେ ତାଙ୍କର ନିର୍ବାଚନ ପ୍ରଚାର ଚଳାଇଛନ୍ତି । ବିଜେଡି ନବାଗତ ଡ. ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ଡ. ମିଶ୍ର ସଭା, ସମାବେଶ, କର୍ମୀ ସମ୍ମିଳନୀ, ପଦଯାତ୍ରା, ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଆଦି ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି । ଏଥିସହିତ ଡ. ମିଶ୍ର କଟକ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ମଣ୍ଡଳୀର ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କ ସହିତ ବୁଲି ତାଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ଏଥର ପ୍ରାର୍ଥୀ କରିଛି । ଶ୍ରୀ ମହାପାତ୍ର କଂଗ୍ରେସ ଦଳର ଜଣେ ପୁରୁଖା ନେତା ତଥା ଟାଣୁଆ ସଂଗଠକ ଭାବେ ପରିଚିତ । ନିଜର ପୂର୍ବ ଅଭିଜ୍ଞତା, କଂଗ୍ରେସର ନିଜସ୍ୱ ଭୋଟବ୍ୟାଙ୍କ ଓ ସରକାର ବିରୋଧୀ ହାୱା ତାଙ୍କ ସପକ୍ଷରେ ଯିବ ବୋଲି ଶ୍ରୀ ମହାପାତ୍ର ଆଶା ରଖିଛନ୍ତି । ଏହାଛଡା କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ରାଜ୍ୟ କଂଗ୍ରେସ ଶିବିରକୁ ସଂପ୍ରତି ଚଳଚଞ୍ଚଳ କରିଦେଇଛି । ଚଳିତ ଥର କଟକ ଲୋକସଭା ଆସନରେ ବିଜେଡି, ବିଜେପିି ଓ କଂଗ୍ରେସ ଦଳ ମଧ୍ୟରେ କଡା ମୁକାବିଲା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।