ବ୍ରହ୍ମପୁର: କୁଆଡ଼େ ଗଲା ତେଲୁଗୁ ଭୋଟ୍?

ବ୍ରହ୍ମପୁର: କୁଆଡ଼େ ଗଲା ତେଲୁଗୁ ଭୋଟ୍?


ଭୁବନେଶ୍ୱର: ଶେଷ ହୋଇଯାଇଛି ବ୍ରହ୍ମପୁର ଲୋକସଭା ଭୋଟ । ତେବେ ତେଲୁଗୁ ଭୋଟର ଲୋକସଭା ନିର୍ବାଚନ ଫଳାଫଳକୁ ବେଶ ପ୍ରଭାବିତ କରିଥାଆନ୍ତି । ଏହି ଲୋକସଭା ଆସନରେ ପ୍ରାୟ ୩୦ରୁ ୩୫ ପ୍ରତିଶତ ତେଲୁଗୁ ଭୋଟର ରହିଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଥିବା ୭ ବିଧାନସଭା ଆସନ ମଧ୍ୟରୁ ବ୍ରହ୍ମପୁର, ଗୋପାଳପୁର, ଚିକିଟି, ପାରଳାଖେମୁଣ୍ଡି ଓ ଛତ୍ରପୁରରେ ତେଲୁଗୁ ଭାଷାଭାଷୀ ଭୋଟର ଅଛନ୍ତି । ପାରଳାଖେମୁଣ୍ଡିରେ ସର୍ବାଧିକ ତେଲୁଗୁ ଭୋଟର ଥିବାବେଳେ ଚିକିଟି, ଗୋପାଳପୁର ଓ ବ୍ରହ୍ମପୁରରେ ବି ତେଲୁଗୁ ଭୋଟର ରହିଛନ୍ତି । ତେଲୁଗୁ ଭୋଟକୁ ପ୍ରଭାବିତ କରିବା ପାଇଁ ଅନେକ ଦଳ ତେଲୁଗୁ ସମ୍ପ୍ରଦାୟର ନେତାଙ୍କୁ ପ୍ରାର୍ଥୀ କରିଥାଆନ୍ତି । ପରିସଂଖ୍ୟାନ ଅନୁଯାୟୀ, ବ୍ରହ୍ମପୁରରେ ପ୍ରାୟ ୪ ଲକ୍ଷ ତେଲୁଗୁ ଭାଷାଭାଷୀ ଭୋଟର ଅଛନ୍ତି । ସେଥିପାଇଁ ପୂର୍ବରୁ ସେଠାକୁ ସାଉଥ ଇଣ୍ଡିଆ ଷ୍ଟାରମାନେ ପ୍ରଚାରକୁ ଆସୁଥିଲେ । ଏବେ କିନ୍ତୁ ସେଭଳି କ୍ରେଜ୍ ଆଉ ଦେଖିବାକୁ ମିଳୁନାହିଁ ।  
ବ୍ରହ୍ମପୁରରୁ ବିଜେଡ଼ି ଟିକେଟରେ ଭ୍ରୁଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ କଂଗ୍ରେସରୁ ରଶ୍ମୀରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି । ୨୦୧୯ରେ ବିଜେପି ଟିକେଟରେ ଭ୍ରୁଗୁ ଲଢ଼ି ପରାସ୍ତ ହୋଇଥିଲେ । ଏବେ ତାଙ୍କର ଚିହ୍ନ ବଦଳିଯାଇଛି । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ହରାଇବା ପାଇଁ ବିଜୁ ଜନତା ଦଳ ସବୁମତେ ଉଦ୍ୟମ କରିଥିଲା । ମୋଟାମୋଟି କହିଲେ ବ୍ରହ୍ମପୁରରେ ବିଜେଡ଼ି ଓ ବିଜେପି ମଧ୍ୟରେ ହିଁ ଲଢ଼େଇ ହେବ । ଏସବୁ ଭିତରେ ତେଲୁଗୁ ଭାଷାଭାଷୀ ଲୋକମାନେ କାହା ଉପରେ ଅଧିକ ଭରସା କରିଛନ୍ତି ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଇଭିଏମରେ ଭାଗ୍ୟ ସିଲ୍ ହୋଇସାରିଥିବା ବେଳେ ଜୁନ୍ ୪ରେ ହିଁ ତାହାର ଉତ୍ତର ମିଳିପାରିବ ।