କାହା ହାତରେ ରାଜ୍ୟ ଶାସନ, କିଏ ହେବ ମନ୍ତ୍ରୀ
ଭୁବନେଶ୍ୱର: କିଏ ହେବ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । କିଏ କିଏ ହେବେ କେନ୍ଦମନ୍ତ୍ରୀ । ଏହାକୁ ନେଇ ରାଜ୍ୟ ବିଜେପି ଶିବିରରେ ଚର୍ଚ୍ଚା ଜୋର । ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ଏକକ ସଂଖ୍ୟ ଗରିଷ୍ଠତା ହାଲ କରିଥିବା ବେଳେ ଲୋକସଭାରେ ୨୦ ଟି ଆସନ ଦଖଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ତାଙ୍କର ତୃତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ କିଏ ସାମିଲ ହେବେ, ତାହାକୁ ନେଇ ଉକ୍ରଣ୍ଠା ପ୍ରକାଶ ପାଇଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ୨୦୧୪ରେ ଓଡ଼ିଶାରୁ ମାତ୍ର ଜଣେ ସାଂସଦ ଜୁଏଲ୍ ଓରାମ ଜିତିଥିଲା ବେଳେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା । ତାଙ୍କ ସହ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମନ୍ତ୍ରୀ ହୋଇଥିଲେ । ସେହିପରି ୨୦୧୯ରେ ବିଜେପିର ୮ ଜଣ ସାଂସଦ ର୍ନିବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ୨୦୨୧ରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ବିଶ୍ୱେଶ୍ୱର ଟୁଡ଼ୁଙ୍କୁ ମନ୍ତ୍ରୀ କରାଯିବା ସହ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ କରାଯାଇଥିଲା । ତେବେ ଚଳିତ ନିର୍ବାଚନରେ ଓଡ଼ିଶାରେ ସାଂସଦଙ୍କ ସଂଖ୍ୟା ବଢିଛି । ତେଣୁ ଲୋକସଭାରେ ସାଂସଦଙ୍କ ମଧ୍ୟରୁ ଅତି କମରେ ତିନି ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ·ଲିଛି । ଓଡିଶାର ଜିତିଥିବା ଅଧିକାଂଶ ସାଂସଦ ଅଭିଜ୍ଞ ଓ ପୁରୁଣା । ସେମାନଙ୍କ ମଧ୍ୟରୁ କାହାକୁ ମନ୍ତ୍ରୀ କରାଯିବ ତାକୁ ନେଇ ବର୍ତ୍ତମାନ ଶୀର୍ଷ ନେତୃତ୍ୱ ଚିନ୍ତାରେ ଥିବା ଜଣାପଡିଛି । ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଙ୍ଗୀତା କୁମାରୀ ସିଂହଦେଓ, ବଳଭଦ୍ର ମାଝୀ, ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ବିଭୁପ୍ରସାଦ ତରାଇ ଓ ଅପରାଜିତା ଷଡ଼ଙ୍ଗୀ ରାଚନୀତିରେ ବେଶ ଅଭିଜ୍ଞ । ତେବେ କେନ୍ଦ୍ର ମନ୍ତ୍ରୀ ରେସର ଆଗରେ ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ସବୁଠୁ ଆଗରେ ଥିବା ଆଲୋଚନା ହେଉଛି । ଯଦି ଧର୍ମେନ୍ଦ୍ରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରେ ତେବେ ଅନ୍ୟ ତିନି ଜଣ ମନ୍ତ୍ରୀ ହେବାର ସମ୍ଭାବନା ରହିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ·ଲିଛି । ଅନ୍ୟପଟେ ଭର୍ତ୍ତୃହରି ମହତାବ ବହୁବାର ସାଂସଦକୁ ନିର୍ବାଚିତ ହୋଇଥିବା ବେଳେ ସେ ବାଚସ୍ପତି ହୋଇପାରନ୍ତି ବୋଲି କେତେକ ଗଣମାଧ୍ୟମରେ ଆଲୋଚନା ହେଉଛି ।
ସେପଟେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କିଏ ହେବ, ଏହା ଏବେ ଚା ଖଟିର ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ଏନେଇ କୌଣସି ଖବର ପ୍ରକାଶ ପାଇ ନଥିଳେ ମଧ୍ୟ ଧର୍ମେନ୍ଦ ପ୍ରଧାନଙ୍କ ନାଁ ଆଗରେ ଥିବା ଜଣାପଡ଼ିଛି । କାରଣ ଧର୍ମେନ୍ଦ୍ର ଦୀର୍ଘଦିନ ହେବ ଦଳର ପୋଷ୍ଟର ବୟ ସାଜିଛନ୍ତି । ଧର୍ମେନ୍ଦ ଯଦି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ ତାକୁ ନେି ଚାଲିଛି ନାନା କଳ୍ପନା ଜଳ୍ପନା । ତେବେ ରାଜ୍ୟରେ ଚଳିତ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ଆଲୋଚନା ହେଉଛି ।