୬ ବର୍ଷରେ ମଲେଣି ୨୯ଟି ହାତୀ

୬ ବର୍ଷରେ ମଲେଣି ୨୯ଟି ହାତୀ

  ଭୁବନେଶ୍ୱର:  ଗତ ୬ ବର୍ଷ ଭିତରେ ସାତକୋଶିଆ ଅଭୟାରଣ୍ୟରେ ୨୯ଟି ହାତୀଙ୍କ ମୃତୁ୍ୟ ଘଟିଲାଣି । ତା’ ମଧ୍ୟରୁ ୧୯ଟି ହାତୀଙ୍କ ରୋଗରେ ପଡି ମୃତୁ୍ୟବରଣ କରିବା  ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ସନେ୍ଦହ ସୃଷ୍ଟି କରିଛି ।
ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ତଥା ଅଭୟାରଣ୍ୟ ଅନେକ ସୁନାମ ମୁଣ୍ଡାଇଛି । କିନ୍ତୁ ଏହାର ଆଢୁଆଳରେ ଅନେକ କିଛି ଘଟୁଛି ଯାହା ପଦାକୁ ଆସିପାରୁନି । କେତେବେଳେ ବନ୍ୟପ୍ରାଣୀଙ୍କ ମୃତୁ୍ୟ ତ କେବଳ ଜଙ୍ଗଲରୁ ଗଛ ପଦା ଘଟଣା ସାତକୋଶିଆକୁ ବଦନାମ କରୁଛି । ଏହାରି ଭିତରେ ଏବେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଘଟଣା । ଗତ ୬ ବର୍ଷ ଭିତରେ ସାତକୋଶିଆରେ ୨୯ଟି ହାତୀଙ୍କ ମୃତୁ୍ୟ ସବୁ ସୀମା ଟପିଯାଇଛି । ତା ଭିତରୁ ରୋଗରେ ପଡି ୧୯ଟି ହାତୀଙ୍କ ମୃତୁ୍ୟ ହେବା ସାତକୋଶିଆ ଅଭୟାରଣ୍ୟ ଭିତରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଭାଗୀୟ ତଥ୍ୟ ମୁତାବକ, ୨୦୧୮ ଜୁନ୍ ୧୧ ତାରିଖରେ ଟୁଲୁକା ସଂରକ୍ଷିତ ଜଙ୍ଗଲରେ ଏକ ଅଣ୍ଡିରା ହାତୀ ରୋଗରେ ପଡି ଆଖି ବୁଜିଥିଲା । ସେହିବର୍ଷ ନଭେମ୍ବର ୨୨ ତାରିଖରେ ଜୋଡୁମ୍ ସଂରକ୍ଷିତ ଜଙ୍ଗଲରେ ଆଉ ଏକ ଅଣ୍ଡିରା ହାତୀର ରୋଗରେ ପଡି ମୃତୁ୍ୟ ହୋଇଥିଲା । ୨୦୧୯ ମେ ୧୦ରେ ଜଗନ୍ନାଥପୁର କୌଳାସପଦା ଅଞ୍ଚଳରେ କିଶୋର ହାତୀ, ଜୁନ୍ ୨୩ରେ ଜୋକୁବ ନାଳ ପାଖରେ ଅଣ୍ଡିରା ହାରତୀ ଓ ଅଗଷ୍ଟ ୨୫ରେ ଟାଇଁସି ସଂରକ୍ଷିତ ଜଙ୍ଗଲରେ କିଶୋର ହାତୀର ରୋଗରେ ମୃତୁ୍ୟ ହୋଇଥିଲା । ସେହିପରି ୨୦୨୦ ମାର୍ଚ୍ଚ ୧୮ରେ ପୁରୁଣାକୋଟ ବନାଞ୍ଚଳ ଟାଇଁସି ସଂରକ୍ଷିତ ଜଙ୍ଗଲରେ ମାଈ ହାତୀ ଓ ଡିସେମ୍ବର ୨୦ରେ ଟାଇଁସି ସଂରକ୍ଷିତ ଜଙ୍ଗଲରେ ଛୁଆ ହାତୀ ରୋଗରେ ପଡି ଆଖି ବୁଜିଥିଲା । ୨୦୨୧ ମେ’ ୧୨ରେ ଟାଇଁସି ସଂରକ୍ଷିତ ଜଙ୍ଗଲରେ କିଶୋରୀ ହାତୀ ଓ ମେ ୧୯ ତାରିଖରେ ବାଘମୁଣ୍ଡା ଗ୍ରାମାଞ୍ଚଳରେ ଛଆ ହାତୀର ରୋଗରେ ମୃତୁ୍ୟ ହୋଇଥିଲା । ଟିକରପଡା ସଂରକ୍ଷିତ ଜଙ୍ଗଲରେ ୨୦୨୨ ଫେବୃଆରୀ ୧୯ ଓ ଜୁନ୍ ୨୮ରେ ଦୁଇ ମାଈ ହାତୀ ଏବଂ ଅଗଷ୍ଟ ୨୯ରେ ଜଗନ୍ନାଥପୁର ବେଣାଝରି ଅଞ୍ଚଳରେ ଗୋଟିଏ ଅଣ୍ଡିରା ହାତୀ ରୋଗରେ ମରିଥିଲେ । ୨୦୨୩ ମାର୍ଚ୍ଚ ୫ରେ ବାଘମୁଣ୍ଡା ସଂରକ୍ଷିତ ଜଙ୍ଗଲ ଓ ଡିସେମ୍ବର ୨ରେ କଟ୍ରଙ୍ଗ ସଂରକ୍ଷିତ ଜଙ୍ଗଲ ଓ ଜୁନ୍ ୧ରେ ପୁରୁଣାକୋଟ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ଗୋଟିଏ ଲେଖାଏଁ ମାଈ ହାତୀଙ୍କର ରୋଗରେ ମୃତୁ୍ୟ ହୋଇଛି । ୨୦୧୮ରେ ୨ଟି, ୨୦୧୯ ଓ ୨୦୨୦ରେ ୩ଟି ଲେଖାଏଁ, ୨୦୨୧ରେ ୨ଟି, ୨୦୨୨ରେ ୪ଟି, ୨୦୨୩ରେ ୩ଟି ଓ ୨୦୨୪ ଜୁଲାଇ ଭିତରେ ୨ଟି ହାତୀଙ୍କ ରୋଗଜନିତ ମୃତୁ୍ୟ ହୋଇଛି । ଏମାନଙ୍କ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ୧୧ଟି ମାଈ ହାତୀଙ୍କ ମୃତୁ୍ୟ ହୋଇଥିବାବେଳେ ୬ଟି ଅଣ୍ଡିରା ଓ ୨ଟି ଛୁଆ ହାତୀଙ୍କ ମୃତୁ୍ୟ ହୋଇଛି । ତେବେ ମୃତ ହାତୀଙ୍କୁ କେଉଁ ରୋଗ ହୋଇଥିଲା ତାହା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ନିଦ୍ଧିଷ୍ଟ ଭାବେ କୁହାଯାଇନଥିବାରୁ, ଏହାକୁ ନେଇ ସନେ୍ଦହ ବଢିଛି । ଜଙ୍ଗଲ ଭିତରେ କୌଣସି ଅଜଣା ରୋଗ ବ୍ୟାପୁଛି କି? ଯଦି ରୋଗର କାରଣ ଜଣାଥିଲା, ତେବେ ତଥ୍ୟ କାହିଁକି ଦିଆଗଲା ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି ।