ମୋଦି ଓ ରାହୁଲଙ୍କୁ ଝଟକା

Modi and Naveen

ମୋଦି ଓ ରାହୁଲଙ୍କୁ ଝଟକା

ଭୁବନେଶ୍ୱର : ହରିୟାଣା ଓ ଜାମ୍ମୁକାଶ୍ମୀର ନିର୍ବାଚନ ଫଳାଫଳ ଉଭୟ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀଙ୍କୁ ଝଟକା ଦେଇଛି  । ଏହି ଦୁଇ ତୁଙ୍ଗ ନେତାଙ୍କ ସବୁ ଅଙ୍କ ଗଡ଼ବଡ଼ ହୋଇଯାଇଛି  । ସୁଶାସନ ଭରସାରେ ମୋଦିଜୀ ହରିୟାଣାରେ ହାଟ୍ରିକ୍‌ ମାରିବାର ଲକ୍ଷ୍ୟ ରଖିଥିଲେ  । ତାଙ୍କର ସେହି ଲକ୍ଷ୍ୟ ପୂରଣ ହୋଇଥିବାରୁ ସେ ଖୁସି  । ତେବେ ଜାମ୍ମୁକାଶ୍ମୀରରେ ମୋଦିଙ୍କୁ ଝଟକା ଲାଗିଛି  । ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗକୁ ବିଜେପି ବେଶ୍‌ ଗୁରୁତ୍ୱ ଦେଇଆସୁଛି  । ଏଭଳି ଐତିହାସିକ ନିଷ୍ପତ୍ତିକୁ ନେଇ ଦଳ ଭରପୁର ପ୍ରଚାର କରିବା ସହ ଫାଇଦା ନେବାକୁ ଉଦ୍ୟମ କରିଥିଲା  । ଜାମ୍ମୁକାଶ୍ମୀରରେ ବାଜିମାତ୍‌ କରିବାକୁ ମୋଦି ଓ ଅମିତ ଶାହା ସବୁ ରକମ ପ୍ରୟାସ କରିଥିଲେ  । ଜାମ୍ମୁ ଅଞ୍ଚଳରେ ବିଜେପିର ଭଲ ଭୋଟ ଥିବାରୁ ସେଠାରେ ଆସନ ସଂଖ୍ୟା ବଢ଼ାଇ ଦିଆଯାଇଥିଲା  । କାଶ୍ମୀରରେ କିନ୍ତୁ ସେଭଳି ପଦକ୍ଷେପ ନିଆଯାଇନଥିଲା  । ଶେଷରେ ବିଜେପିର ସବୁ ଅଙ୍କ ଫେଲ୍‌ ମାରିଛି  । ନାସନାଲ କନଫେରେନ୍ସ ଓ କଂଗ୍ରେସ ମେଣ୍ଟ ବିଜେପିର ଆଶାକୁ ଧୂଳିସାତ୍‌ କରିଦେଇଛି  ।

ସେପଟେ ରାହୁଲ ଗାନ୍ଧୀ ହରିୟାଣା ଉପରେ ଫୋକସ କରିଥିଲେ  । ଉତ୍ତର ଭାରତରେ ଦଳ ଦବଦବା ଜାହିର କରିବାକୁ ଦିନରାତି ଏକ କରିଦେଇଥିଲା  । ହରିୟାଣାରେ କୌଣସି ସରକାର ତୃତୀୟ ଥର ଜିତିନଥିବାରୁ କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଆଶା ରଖିଥିଲା  । ଏକଜିଟ୍‌ ପୋଲ ଆକଳନ ପରେ ରାହୁଲ ଗାନ୍ଧୀ ବି ବେଶ୍‌ ଉତ୍ସାହିତ ହୋଇଯାଇଥିଲେ  । ତେବେ ରାହୁଲଙ୍କ ସବୁ ଅଙ୍କ ଗୋଳମାଳ ହୋଇଗଲା  । ବିଜେପି ଭଳି କଂଗ୍ରେସ ଭଲ ଭୋଟ ପାଇଥିଲେବି ଆସନ ଖେଳରେ କିନ୍ତୁ ପଛରେ ପଡ଼ିଯାଇଥିଲା  । ରାହୁଲଙ୍କ ଏକଲା ଚଲୋ ନୀତି ପାଇଁ ଇଣ୍ଡି ମେଣ୍ଟକୁ ବହୁମୂଲ୍ୟ ଦେବାକୁ ପଡ଼ିଛି  । ଯଦି କଂଗ୍ରେସ ଅନ୍ୟ ଦଳକୁ ସହଯୋଗୀ କରିଥାଆନ୍ତା ତେବେ ବିଜେପିକୁ ହରାଇବା ସମ୍ଭବପର ହୋଇଥା’ନ୍ତା  । ଏବେ ରାହୁଲଙ୍କ ରଣନୀତିକୁ ନେଇ ଇଣ୍ଡି ମେଣ୍ଟରେ ଅସନ୍ତୋଷ ପ୍ରକାଶ ପାଇଛି  । ଉଭୟ ମୋଦି ଓ ରାହୁଲଙ୍କୁ ନିର୍ବାଚନରେ ଯେତିକି ଖୁସି ମିଳିଛି ସେତିକି ନିରାଶ ହେବାକୁ ବି ପଡ଼ିଛି  ।