ଆଳୁ ବଜାରରେ ନିଆଁ, କିଲୋ ୬୦ଟଙ୍କା
ସାଲେପୁର: ପଶ୍ଚିମବଙ୍ଗରୁ ଚୋରାରେ ଆସୁଥିବା ଆଳୁ ସାଲେପୁର ବଜାରରେ ୬୦ଟଙ୍କାରେ କିଲୋ ପ୍ରତି ବିକ୍ରୟ କରାଯାଉଛି । ଆଜି ଆସିଥିବା ୨ଟି ଟ୍ରକ୍ ଆଳୁ ଖୁଚୁରା ବ୍ୟବସାୟୀମାନେ ପାଦୁକ ପରି ବୋହି ନେଇଛନ୍ତି । ଯାହାଫଳରେ ସାଲେପୁର ସାପ୍ତାହିକ ହାଟ ନିମନ୍ତେ ଆଳୁ ମିଳିବା ମୁସ୍କିଲ ହୋଇଯିବ । ଯାହାକୁ ନେଇ ଖାଉଟୀଙ୍କ ମଧ୍ୟରେ ନାହିଁ ନ ଥିବା ଅସନ୍ତୋଷ ଦେଖାଦେଇଛି । ଏପରି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିବା ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ୟ ସରକାରଙ୍କ ଜିଲ୍ଲା ଯୋଗାଣ ନିରୀକ୍ଷକ ହାତବାନ୍ଧି ବସି ରହିବା ଫଳରେ ଆଳୁ ବଜାରରେ ନିଆଁ ଲାଗିଯାଉଛି । ଏହାର ସୁଯୋଗ ନେଇ ମୁନାଫାଖୋର ବ୍ୟବସାୟୀ ମନଇଚ୍ଛା ଦର ବଢ଼ାଉଛନ୍ତି । ନିରୀହ ଖାଉଟୀଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି । ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି ।