ବଲାଙ୍ଗୀରର ଚର୍ଚ୍ଚିତ ନାବାଳିକା ପାୟଲ ନାଗ: ପାଟିରେ ଆଙ୍କୁଥିଲେ ଚିତ୍ର

ବଲାଙ୍ଗୀର: ହାତ ନାହିଁ, ଗୋଡ଼ ନାହିଁ । ହେଲେ କାହାରିଠୁ କମ ନୁହେଁ । ସଂଘର୍ଷମୟ ଜୀବନରେ ସେ ଆଜି ଜିତି ଯାଇଛନ୍ତି । ପୂର୍ବରୁ ପାଟି ସାହାଯ୍ୟରେ ଚମତ୍କାର ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିବା ପରେ ଏବେ ଆଉ ପାଦେ ଆଗକୁ ବଢିଛନ୍ତି ବଲାଙ୍ଗୀର ଜିଲ୍ଲାର ଚର୍ଚ୍ଚିତ ନାବାଳିକା ପାୟଲ ନାଗ । ନିଜ ଦୃଢ଼ ଇଚ୍ଛା ବଳରେ ସୃଷ୍ଟି କରିପାରିଛନ୍ତି ସ୍ବତନ୍ତ୍ର ପରିଚୟ । ଅନେକ ସମୟରେ ନିଜ ପ୍ରତିଭା ପାଇଁ ସେ ଚର୍ଚ୍ଚାରେ ଆସିଥିବା ବେଳେ ଏବେ ଧନୁ ତୀରରେ ନିଜର ପ୍ରତିଭା ଦେଖାଇବାକୁ ଯାଉଛନ୍ତି । ନିଜକୁ ଏଥିରେ ପାରଙ୍ଗମ କରିବା ପାଇଁ ନେଉଛନ୍ତି ପ୍ରଶିକ୍ଷଣ ।

ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପାୟଲ ନାଗ । 8 ବର୍ଷ ତଳେ ଜମୁନାବାହାଲ ଗାଁରୁ କାମ ପାଇଁ ବାପାମାଆଙ୍କ ସହ ରାୟପୁର ଯାଇଥିଲେ ।ସେଠାରେ କାମ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତଗୋଡ଼ ହରାଇଲେ ପାୟଲ । ଝିଅ ଦିବ୍ୟାଙ୍କ ପାଲଟିଯିବା ପରେ ବାପା ମାଆ ତାଙ୍କୁ ଘରେ ଛାଡ଼ି ପୁଣି କାମକୁ ଚାଲିଯାଇଥିଲେ । ଘରେ ବୃଦ୍ଧା ଆଈ ତାଙ୍କର ରକ୍ଷଣା ବେକ୍ଷଣ କରି ଆସୁଥିଲେ । ଆଈଙ୍କ ମୃତ୍ୟୁ ପରେ ସେ ଏକା ଘରେ ପଡ଼ି ରହିଥିଲେ । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପାୟଲଙ୍କୁ ଉଦ୍ଧାର କରି ବଲାଙ୍ଗୀର ସ୍ଥିତ ପାର୍ବତୀ ଗିରି ଆଶ୍ରମରେ ରଖିଛନ୍ତି । ଏବେ ସେ ବଡ଼ ହୋଇଗଲେଣି ସ୍କୁଲ ଯାଉଛନ୍ତି, ପାଠ ପଢୁଛନ୍ତି । ଗୀତ ଗାଉଛନ୍ତି, ସାଙ୍ଗସାଥୀଙ୍କ ସହ ମିଶି ନାଚୁଛନ୍ତି । ଆଉ ନିଜ ଉଜ୍ଜଳ ଭବିଷ୍ୟତ ପାଇଁ ଚେଷ୍ଟା ଜାରି ରଖିଛନ୍ତି । ପାଟି ସାହାଯ୍ୟରେ ଚମତ୍କାର ଚିତ୍ର ଆଙ୍କି ସେ ପୂର୍ବରୁ ସେ ସାରା ଜିଲ୍ଲାରେ ଚର୍ଚ୍ଚାର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ପ୍ରତିଭାକୁ ବେଶ ପ୍ରଶଂସା କରିଥିଲେ । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ପ୍ରତିଭାର ତେଜରେ ସମସ୍ତଙ୍କୁ ଚକିତ କରି ପକାଇଛନ୍ତି । ଏବେ ସେ ପୁଣି ନିଜକୁ ପ୍ରମାଣିତ କରିବା ପାଇଁ ଧନୁ ତୀରରେ କମାଲ ଦେଖାଇବାକୁ ଯାଉଛନ୍ତି । ଏଥିପାଇଁ ଜମ୍ମୁରେ ନେଉଛନ୍ତି ସ୍ବତନ୍ତ୍ର ପ୍ରଶିକ୍ଷଣ । ପାରା ଅଲମ୍ପିକ୍ସ କିମ୍ବା ଅନ୍ୟ କ୍ରୀଡା ପ୍ରତିଯୋଗିତାରେ ସଫଳ ହେବାପାଇଁ ଜିଲ୍ଲା ପ୍ରଶାସନ ସହାୟତାରେ ଗତ ଜୁନ ମାସରୁ ସେ ଏହି ପ୍ରଶିକ୍ଷଣ ନେଉଛନ୍ତି ।