ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ାା ପ୍ରଭାନୁ୍ୟଜ ।ା ଆଠଗଡ: ପବିତ୍ର କାର୍ତ୍ତିକ ମାସର ଶେଷ ରବିବାର ତଥା ଅଁଳା ନବମୀ ପରିପ୍ରେକ୍ଷୀରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଠିଆ ହୋଇ ବାବା ଧବଳେଶ୍ୱରଙ୍କ ଦର୍ଶନ ଲାଭ କରିଥିଲେ । ମହାନଦୀର ଗର୍ଭରେ ଥିବା ବାବାଙ୍କ ପୀଠକୁ ପୂର୍ବରୁ ଯାତାୟତ ପାଇଁ କେବଳ ମଞ୍ଚେଶ୍ୱର ଘାଟରୁ ଡଙ୍ଗା ସାହାଯ୍ୟରେ ଶ୍ରଦ୍ଧାଳୁମାନେ ଯାଉଥିଲେ । ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଛିି । ପରବର୍ତ୍ତୀ ସମୟରେ ୨୦୦୮ ମସିହାରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏକ ଝୁଲାପୋଲ ନିର୍ମାଣ କରାଯାଇଥିଲା । ବିଭିନ୍ନ କାରଣରୁ ଏସିଆ ମହାଦେଶର ୨ୟ ସର୍ବବୃହତ ଏହି ଝୁଲାପୋଲ ଅସୁରକ୍ଷିତ ହୋଇପଡିଲା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ଝୁଲାପୋଲରେ ଯାତାୟତ ବନ୍ଦ ରଖାଯାଇଛି । ମଞ୍ଚେଶ୍ୱର ଘାଟ ଠାରୁ ଧବଳେଶ୍ୱର ପୀଠ ପର୍ଯ୍ୟନ୍ତ କଂକ୍ରିଟ ପୋଲ ନିର୍ମାଣ କରାଯାଇ ଗତବର୍ଷ ଠାରୁ ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ବ୍ୟବସ୍ଥା ହୋଇଛି । କଂକ୍ରିଟ ପୋଲ ଦେଇ ବାବାଙ୍କ ମନ୍ଦିରକୁ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଯାତାୟତ ହେଉଛି, ମାତ୍ର ପବିତ୍ର କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ସମାଗମରେ ଏହି ପୀଠ କମ୍ପି ଉଠୁଛି । ଚଳିତ ବର୍ଷ ପାଗ ଅନୁକୂଳ ହେତୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ପୀଠରେ ସମାଗମ ହୋଇଥିଲା । ଆଜି ରବିବାର ଛୁଟି ଓ ପବିତ୍ର ଅଁଳା ନବମୀ ହେତୁ ପ୍ରତୁ୍ୟଷରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପ୍ରଶାସନ ତଥା ଦେବୋତ୍ତର ବିଭାଗ ପକ୍ଷରୁ ନିର୍ମିତ ବ୍ୟାରିକେଡ଼ରେ ଲମ୍ବାଧାଡି ଲଗାଇଥିଲେ । ଭୋର ସମୟରେ ବାବା ଧବଳେଶ୍ୱରଙ୍କ ପହୁଡ ଫିଟିଥିଲା । ମଇଲମ ଲାଗି ଚନ୍ଦନ, ଚୁଆ, ଅଗୁରୁ ପ୍ରଲେପ ସହ ୧୦୮ ଗରା ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଇବା ସହ ବଲ୍ଲଭ ଭୋଗ ଲାଗି ହୋଇଥିଲା । ବାଳ ଭୋଗ ପରେ ଠାକୁରଙ୍କୁ ଦର୍ଶନ ଯୋଗ ହୋଇଥିଲା । ମଧ୍ୟାନ୍ନ ଧୂପ ସହ ଶଙ୍କୁଡ଼ି ଲାଗି ପରେ ପହୁଡ ଓ ଅନ୍ୟାନ୍ୟ ବିଧି ଉପଚାର କରାଯାଇ ଥିଲା । ଦିନତମାମ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ଲାଭ କରିଥିଲେ । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଠଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୋମବାର ଠାରୁ ବାବାଙ୍କ ପୀଠରେ ପଞ୍ଚକ ଜାତ ପାଇଁଁ ରାଜ୍ୟ, କଟକ ଜିଲ୍ଲା ଓ ଆଠଗଡ଼ ପ୍ରଶାସନ ପକ୍ଷରୁ କର୍ମଚାରୀ, ଅଧିକାରୀମାନେ ମୁତୟନ ହେବେ ବୋଲି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମଞ୍ଚଶ୍ୱେର ଗ୍ରାମର ସେବାୟତ ପରିବାର ପକ୍ଷରୁ ପବିତ୍ର ବଡଓଷା ନିମନ୍ତେ ବାବାଙ୍କ ପ୍ରସିଦ୍ଧ ଗଜଭୋଗ ଓ ଅଟକାଳି ପ୍ରସ୍ତୁତି ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି ବୋଲି ଜଣାପଡିଛି । ଆଜି ଏହି ପୀଠକୁ ବିଭିନ୍ନ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ ହେଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଜଣାପଡିଛି ।