ଏନ୍ଟିଆରବି ବିଶେଷଜ୍ଞ ଦଳଙ୍କ ବାଲେଶ୍ୱର ଗସ୍ତ


 ସୁନାମୀ ରେଡିÿ ରିକୋଗନେସନ ପ୍ରୋଗ୍ରାମ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ୪ ଗୋଟି ଗାଁକୁ ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡ (ଏନ୍ଟିଆରବି) ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ବିଶେଷଜ୍ଞ ଦଳ ଦୁଇ ଦିନିଆ ଗସ୍ତ କରିଛନ୍ତି । ଏହି ଗସ୍ତ ସୁନାମୀ ପ୍ରସ୍ତୁତିର ସମୀକ୍ଷା କରିବା ଏବଂ ସ୍ଥାନୀୟ ସମୁଦାୟଙ୍କ ସହ ଯୋଗାଯୋଗ କରିବା ପାଇଁ ଆୟୋଜିତ ହୋଇଥିଲା । ଭ୍ରମଣକାରୀ ଦଳରେ ହାଇଦ୍ରାବାଦର ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର୍ ଓସେନ ଇନଫରମେସନ ସର୍ଭିସେସ୍ (ଆଇଏନସିଓଆଇଏସ)ର ବରିଷ୍ଠ ବୈଜ୍ଞାନିକ ଡଃ ମହେନ୍ଦ୍ର ଏବଂ ଡଃ ସୁନନ୍ଦାଙ୍କ ସମେତ ଓଏସଡିଏମଏର ଡଃ ଆରଣ୍ୟକ ମିଶ୍ର ଏବଂ ଡଃ ରାକେଶ ଠାକୁର ଉପସ୍ଥିତ ଥିଲେ । ଏହି ଦଳ ସଦର ବ୍ଲକର ଜୟଦେବକସବା, ବାହାନଗା ବ୍ଲକର ଜଗନ୍ନାଥପୁର, ଭୋଗରାଇ ବ୍ଲକର ସାହାପୁର ଓ କନ୍ୟାନଗରୀ ବୁଲି ଦେଖିଥିଲେ । ଏହି ଗସ୍ତ କାଳରେ ବିଶେଷଜ୍ଞମାନେ ସ୍ଥାନୀୟ ବାସିନ୍ଦା, ସ୍କୁଲ ଛାତ୍ରଛାତ୍ରୀ, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ସହିତ ଆଲୋଚନା କରିଥିଲେ । ଏହି ମତ ବିନିମୟ କାର୍ଯ୍ୟକ୍ରମରେ ସୁନାମୀ ସମୟରେ ଜୀବନ ହାନିକୁ ହ୍ରାସ କରିବା ଏବଂ ସମୁଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା । ଏହି ଟିମ୍ ଓଡ୍ରାଫ୍, ଅଗ୍ନିଶମ ସେବା, ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ ଏବଂ ଡାକ୍ତରୀ ଦଳଙ୍କ ସହଯୋଗରେ ମକ୍ ଡ୍ରିଲ୍ କରି ସମ୍ଭାବ୍ୟ ସୁନାମୀ ପାଇଁ ଗାଁଗୁଡିକର ପ୍ରସ୍ତୁତିର ଆକଳନ କରିଥିଲେ । ସୁନାମୀ ପ୍ରସ୍ତୁତି ସ୍ୱୀକୃତି କାର୍ଯ୍ୟକ୍ରମ ନିଦେ୍ର୍ଦଶାବଳୀ ଅନୁସାରେ ବର୍ତ୍ତମାନର ପ୍ରସ୍ତୁତି ପଦକ୍ଷେପ ଏବଂ ଭିତ୍ତିଭୂମିର ମଧ୍ୟ ସେମାନେ ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସ୍ଥାନୀୟ ପୋଲିସ ଏବଂ ଡାକ୍ତରୀ ଦଳଙ୍କ ସମେତ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।