କାଠଯୋଡ଼ିରୁ ଘଡ଼ିଆଳ କୁମ୍ଭୀର ଛୁଆ ଉଦ୍ଧାର
କାଠଯୋଡ଼ି ନଦୀରୁ ଏକ ଘଡ଼ିଆଳ ବା ଅଣ୍ଡିରା କୁମ୍ଭୀର ଉଦ୍ଧାର କରାଯାଇଛି । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଦୀର୍ଘ ଏକ ମାସରୁ ଊଦ୍ଧ୍ୱ ସମୟ ଧରି କାଠଯୋଡ଼ିରେ ରହିଥିଲା ଏହି କୁମ୍ଭୀର । ଖାନନଗର କାଠଯୋଡ଼ି ନଦୀ ପଠାରେ ଜୟନ୍ତ ବେହେରା ନାମକ ଜଣେ ବ୍ୟକ୍ତି ମାଛ ଧରିବା ସମୟରେ ଏହି ଛୁଆ କୁମ୍ଭୀରକୁ ଦେଖି ରେଞ୍ଜ ଜୋନ୍ କୁ ଖବର ଦେଇଥିଲେ । ଏହାପରେ ଟିମ୍ ସେଠାରେ ପହଞ୍ଚ ଉକ୍ତ କୁମ୍ଭୀରକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଏହି କୁମ୍ଭୀରଟି ୪ ମାସର ଘଡ଼ିଆଳ କୁମ୍ଭୀର ବୋଲି ଜଣାପଡ଼ିଛି । ଯାହାର ଲମ୍ବ ୨ ଫୁଟ । ଉଦ୍ଧାର ପରେ କୁମ୍ଭୀରକୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାପରେ ଡିଏଫଓଙ୍କ ନିଦେ୍ର୍ଦଶକ୍ରମେ ନନ୍ଦନକାନନ ନ ହେଲେ ସାତକୋଶିଆରେ ଛଡ଼ାଯିବ ବୋଲି କହିଛନ୍ତି କଟକ ବନାଞ୍ଚଳ ଅଧିକାରୀ ରଶ୍ମିରେଖା ପରିଡ଼ା । ତେବେ ବର୍ତ୍ତମାନ କାଠଯୋଡ଼ି ଓ ମହାନଦୀରେ ଗୋଟିଏ ମାଈ ଘଡ଼ିଆଳ କୁମ୍ଭୀର ବୁଲୁଛି ଏବଂ ବନ ବିଭାଗ ଏହି କୁମ୍ଭୀର ଉପରେ ନଜର ରଖିଛି ।