ପାଇଖାନା ଯୋଗାଣରେ ବ୍ୟାପକ ଦୁର୍ନୀତି 

ାା ପ୍ରଭାନୁ୍ୟଜ ।ା ସାଲେପୁର: ପୁରୁଣାହାଟ ପଞ୍ଚାୟତକୁ ମଳମୁକ୍ତ ଗ୍ରାମପଞ୍ଚାୟତ ଭାବେ ଏହି ପଞ୍ଚାୟତକୁ ଘୋଷଣା କରାଯାଇଥିଲେ ମଧ୍ୟ ବହୁ ଲୋକଙ୍କ ନାମରେ ଜାଲିଆତି କରାଯାଇ ପାଇଖାନା ଅର୍ଥ ଆତ୍ମସାତ୍ କରାଯାଇଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ପାଇଖାନା ପାଇନଥିବାରୁ ବାଧ୍ୟ ହୋଇ ନଦୀବନ୍ଧ ଓ ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କରୁଛନ୍ତି । ଯାହାଦ୍ୱାରା ପଞ୍ଚାୟତରେ ପାଇଖାନା ଯୋଗାଣରେ ବ୍ୟାପକ ଦୁର୍ନୀତି କରାଯାଇଥିବା ନେଇ ପଞ୍ଚାୟତର ବହୁ ଜନସାଧାରଣ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରିଛନ୍ତି । ପୁରୁଣାହାଟ ପଞ୍ଚାୟତ ସାଲେପୁର ବ୍ଲକ୍ର ଏବଂ ଦ୍ୱୀପାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ ହୋଇଥିବାବେଳେ ଏହି ପଞ୍ଚାୟତର ସ୍ୱଚ୍ଛ ଭାରତ ମିଶନ୍ ଯୋଜନାରେ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ସୋଗଲକୁ ପାଇଖାନା ନିର୍ମାଣ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କେତେକ ମୁଷ୍ଟିମେୟ ବ୍ୟକ୍ତି ଏସ୍ଏଚ୍ଜିକୁ ହାତ କରି ପାଇଖାନା ନ ଯୋଗାଇ ବହୁ ହିତାଧିକାରୀଙ୍କ ନାମରେ ମିଥ୍ୟାବିଲ୍ କରି ପାଇଖାନା ଅର୍ଥ ଆତ୍ମସାତ୍ କରିଥିବା ନେଇ ଜିଲ୍ଲାପାଳଙ୍କ ଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ।  ଅଭିଯୋଗ ଅନୁଯାୟୀ, ୬୦ଲକ୍ଷ ଟଙ୍କା ପାଇଖାନା ଯୋଗାଣରେ ଦୁର୍ନୀତି ହୋଇଥିବା ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତିରେ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀ ଲୋକଲୋଚନ ବେହେରାଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଅଭିଯୋଗର କିଛିଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ପ୍ରଦୀପ କୁମାର ବେହେରା, ବଟକୃଷ୍ଣ ମହାନ୍ତି, ରମେଶ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ଭୋଇ, ଅମିତ୍ କୁମାର ମହାନ୍ତି, ଚନ୍ଦନ କୁମାର କାଣ୍ଡି, କଲ୍ୟାଣୀ କାଣ୍ଡି, ଜଗବନ୍ଧୁ ଭୋଇ, କାର୍ତ୍ତିକ ଚନ୍ଦ୍ର ସେଠୀ, ରାମଚନ୍ଦ୍ର ବାରିକ, ସ୍ମୃତିରଂଜନ ମଲ୍ଲିକଙ୍କ ସମେତ ଗ୍ରାମର ବହୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିବା ସହ ଏହି ପଞ୍ଚାୟତରେ ପାଇଖାନା ଯୋଗାଣରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ଦାବି କରିଛନ୍ତି ।  ଏ ସଂପର୍କରେ ଆମ ପ୍ରତିନିଧି ସାଲେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ରଙ୍କୁ ପଚାରିବାରୁ ଏହା ନେଇ  ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି, ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।