ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ୍
କଟକ: ଅତୀତର ଓଡ଼ିଆ ସାଧବ ପୁଅମାନଙ୍କ ନୌବାଣିଜ୍ୟ ପରମ୍ପରା ଓ ବୋଇତ ବନ୍ଦାଣ ଉତ୍ସବର ପ୍ରତୀକ ରୂପେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଐତିହାସିକ ବାଲିଯାତ୍ରା କଟକ ଉତ୍ସବ-୨୦୨୪ ଆରମ୍ଭ ହେବାକୁ ଯାଉଛି । ଦକ୍ଷିଣପୂର୍ବ ରାଷ୍ଟ୍ର ସମୂହ ସହ ଉକôଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ ଚଳିତ ଥର ବାଲିଯାତ୍ରାର ଅନ୍ୟତମ ବିଶେଷ ଆକର୍ଷଣ ପାଲଟିବାକୁ ଯାଉଛି । ଦକ୍ଷିଣ ପୂର୍ବ ରାଷ୍ଟ୍ର ସମୂହ ସହ ଭାରତ ବିଶେଷ କରି ଓଡ଼ିଶାର କଳା ଓ ସାଂସ୍କୃତିକ ବିନିମୟ, ପୌରାଣିକ ସଂପର୍କ, ମନ୍ଦିର, ବସ୍ତ୍ର, ଟେରାକୋଟା, ନୃତ୍ୟ, ମୁଖା, ମୁଦ୍ରା ଆଦିର ସାମଞ୍ଜସ୍ୟ ପ୍ରଦର୍ଶିତ ହେବ । ପାଭିଲିୟନ ମୁଖ୍ୟ ପ୍ରବେଶ ପଥରେ ଜିରାଙ୍ଗ ଗେଟ ସ୍ଥାନ ପାଇବ । ପାଭିଲିୟନ ମଧ୍ୟରେ ୧୫ରୁ ଊଦ୍ଧ୍ୱର୍ ଷ୍ଟଲ ସ୍ଥାନ ପାଇଛି । ପ୍ରତି ଷ୍ଟଲରେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ପ୍ରଦର୍ଶନୀ କରାଯିବ । ପ୍ରାଚୀନ କଟକର ଅବସ୍ଥିତି, କଟକରେ ବାଲିଯାତ୍ରାର ଇତିହାସ, ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ, ଦକ୍ଷିଣପୂର୍ବ ଏସୀୟ ଦେଶ ଗୁଡ଼ିକ ସହ ନୌବାଣିଜ୍ୟ କାରବାର ଡିଜିଟାଲ ମାନଚିତ୍ର, ସାମୁଦି୍ରକ ପଥ, ପୋତାଶ୍ରୟ, ନୌବାଣିଜ୍ୟ ଯାତ୍ରା, ରପ୍ତାନି ଓ ଆମଦାନୀ ହେଉଥିବା ସାମଗ୍ରୀ ଆଦି ଷ୍ଟଲ ଗୁଡ଼ିକରେ ପ୍ରଦର୍ଶିତ ହେବ । ଏଥିସହ ବୋଇତ ଓ ସାଧବ ସାଧବାଣୀମାନେ ମଧ୍ୟ ଉପସ୍ଥିତ ରହିବେ । କଳାକାରମାନେ ପୁରୀର ମୁଖା ନୃତ୍ୟ ପ୍ରଦର୍ଶନ କରିବେ । ଏଥିସହ ପ୍ରସ୍ଥାନ ପଥରେ ପୁରୀ ରଥଯାତ୍ରା ସମୟର ଚକ ଓ ରଥ ଦଉଡ଼ିକୁ ମଧ୍ୟ ସ୍ଥାନିତ କରାଯାଇଛି । ପାଭିଲିୟନର ଅନ୍ୟତମ ଆକର୍ଷଣ ହେଉଛି ନୌବାଣିଜ୍ୟ ପରମ୍ପରା ଓ ବାଲିଯାତ୍ରାକୁ ନେଇ କୁଇଜ ପ୍ରତିଯୋଗିତା । ସଂପୂର୍ଣ୍ଣ ଡିଜିଟାଲ ବୋର୍ଡ଼ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏବଂ କୃତି ପ୍ରତିଯୋଗୀମାନଙ୍କୁ ଉପହାର ଜିତିବାର ମଧ୍ୟ ସୁଯୋଗ ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।